Sunday, January 12, 2025
Home ସମ୍ପାଦକୀୟ ଢିଙ୍କିଶାଳରୁ ଢେଙ୍କାନାଳ : ପାଉଁଶ ତଳର ନିଆଁ!

ଢିଙ୍କିଶାଳରୁ ଢେଙ୍କାନାଳ : ପାଉଁଶ ତଳର ନିଆଁ!

by
0 comment
 ଢିଙ୍କିଶାଳରୁ ଢେଙ୍କାନାଳ : ପାଉଁଶ ତଳର ନିଆଁ!

ଅକ୍‌ଟୋବର ୭ ତାରିଖରେ ବେଙ୍ଗାଲୁରୁରେ ରହୁଥିବା ଜଣେ ମହିଳା ଶିଳ୍ପୋଦ୍ୟୋଗୀ ଅନୁରାଧା ତିୱାରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’‌େର ଏକ ପୋଷ୍ଟ କଲେ, ଯେଉଁଥିରେ ସେ ‘ବ୍ରାହ୍ମଣ ଜିନ୍‌ସ’ ଷ୍ଟିକର ଲାଗିଥିବା ନିଜ କାର୍‌ର ଏକ ଫଟୋ ସହ ଏକ ବାର୍ତ୍ତା ଲେଖିଥିଲେ। ଇଂରେଜୀରେ ଲେଖା ବାର୍ତ୍ତାଟିର ଓଡ଼ିଆ ଭାବାର୍ଥ ଥିଲା ଏହିପରି: ‘ଜ୍ଞାନରୁ ଜନ୍ମିତ, ଶକ୍ତିରୁ ସମ୍ଭୂତ ଓ ହିନ୍ଦୁ ଧର୍ମର ଆଲୋକବର୍ତ୍ତିକା… ବ୍ରାହ୍ମଣ ହୋଇଥିବାରୁ ମୁଁ ଗର୍ବିତ।’
କହିବା ବାହୁଲ୍ୟ ଏହି ପୋଷ୍ଟ୍‌ଟି ଜାତି ଓ ବର୍ଣ୍ଣକୁ ନେଇ ସହସ୍ରାବ୍ଦୀ ସହସ୍ରାବ୍ଦୀ ଧରି ବହୁଧା ବିଭକ୍ତ ହିନ୍ଦୁ ସମାଜରେ ନିଆଁ ଲଗାଇଦେଲା। ସାମାଜିକ ଗଣମାଧ୍ୟମର ପରିଭାଷାରେ କହିଲେ ଖୁବ୍ କମ ସମୟ ମଧ୍ୟରେ ପୋଷ୍ଟ୍‌ଟି ‘ଭାଇରାଲ୍‌’ ହୋଇଗଲା; ସଇଁତିରିଶ ଲକ୍ଷ ଲୋକ ଏହାକୁ ଦେଖିଲେ, ୨୫,୦୦୦ରୁ ଅଧିକ ଲୋକ ଏହାକୁ ‘ଲାଇକ୍’ କଲେ, ୩୦୦୦ରୁ ଅଧିକ ଲୋକ ‘ରିପୋଷ୍ଟ’ କଲେ ଓ ଶହ ଶହ ସଂଖ୍ୟାରେ ଲୋକ ଏହା ଉପରେ ମନ୍ତବ୍ୟ ଦେଲେ। ମନ୍ତବ୍ୟଗୁଡ଼ିକ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣା ପଡୁଥିଲା ଯେ ଏକବିଂଶ ଶତାବ୍ଦୀର ‘ଆଧୁନିକ’ ଭାରତରେ ମଧ୍ୟ ଜାତିବାଦ ପାଉଁଶ ତଳର ନିଆଁ ଭଳି ଲୁଚି ରହିଛି; କେହି ଜଣେ ଏହାକୁ ଟିକିଏ ଉଖାରି ଦେଲେ ଏହା ପୁଣି ହୁତୁହୁତୁ ହୋଇ ଜଳି ଉଠିବ। ଏ ନିଆଁର ପ୍ରକୋପ କେତେ ଭୟଙ୍କର ଓ ଏହାର ବିଧ୍ୱଂସକାରୀ ସମ୍ଭାବନା କେତେ ବ୍ୟାପକ, ତାହା ଅତୀତରେ ଆମେ ସମସ୍ତେ ଅନେକ ବାର ଦେଖିଛୁ ଏବଂ ଏବେ ମଧ୍ୟ ମଝିରେ ମଝିରେ ଦେଖୁଛୁ। 
ମନ୍ତବ୍ୟଗୁଡ଼ିକ ଭାରତୀୟ ସମାଜରେ ବ୍ରାହ୍ମଣ ଓ ଅବ୍ରାହ୍ମଣଙ୍କ ମଧ୍ୟରେ ଥିବା ବିଭାଜନ ଓ ଅସୂୟାକୁ ଉଜାଗର କରୁଥିଲା। ପ୍ରଣିଧାନଯୋଗ୍ୟ ବିଷୟଟି ହେଲା ଅନୁରାଧାଙ୍କ ସମର୍ଥନରେ ବାହାରିଥିବା ପ୍ରାୟ ସମସ୍ତେ ଥିଲେ ବ୍ରାହ୍ମଣ ଓ ତାଙ୍କୁ ବିରୋଧ କରୁଥିବା ଅଧିକାଂଶ ଥିଲେ ଅବ୍ରାହ୍ମଣ। ସମର୍ଥନ କରୁଥିବା ଲୋକଙ୍କର ଯୁକ୍ତି ଥିଲା ଯେ ଏହା ଜାତିବାଦର ଉଦାହରଣ ନୁହେଁ; ବରଂ ଜାତି ଆଧାରରେ ସଂରକ୍ଷଣ ବ୍ୟବସ୍ଥାର ସମାଲୋଚନା। ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣାରେ ଅନେକ ଗାଡ଼ି କାଚରେ ‘ଗୁଜ୍ଜର ହୋଇଥିବାରୁ ଗର୍ବିତ’ ବା ‘ଜାଠ ହୋଇଥିବାରୁ ଗର୍ବିତ’ ଷ୍ଟିକର୍‌ ଲାଗି ଥିବାର ଉଦାହରଣ ଦେଇ ସେମାନେ ପ୍ରଶ୍ନ କରିଥିଲେ ଯେ ‘ଗୁଜ୍ଜର ଓ ଜାଠ ଯଦି ନିଜ ଜାତିକୁ ନେଇ ଗର୍ବ କରିପାରିବେ, ତେବେ ଜଣେ ବ୍ରାହ୍ମଣ ନିଜ ଜାତିକୁ ନେଇ ଗର୍ବ କରିବାରେ ଅସୁବିଧା କେଉଁଠି?’ ଆଉ କିଛି ଲୋକ ଯୁକ୍ତି ବାଢ଼ିଲେ ଯେ ‘ସେ ତ ଅନ୍ୟ କୌଣସି ଜାତିକୁ ଆକ୍ଷେପ କରି ନାହାନ୍ତି।’
ସତରେ, ନିଜ ଜାତି, ଧର୍ମ ବା ବିଚାରକୁ ନେଇ ଗର୍ବ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହି ଲେଖକ ପାଇଁ ପୋଷ୍ଟଟିର ଆପତ୍ତିଜନକ ଦିଗଟି ଥିଲା ଏୟା ଯେ ଏହା ଥିଲା ବ୍ରାହ୍ମଣମାନଙ୍କୁ ଏକ ଉଚ୍ଚତର, ମହତ୍ତର ଶ୍ରେଣୀର ମଣିଷ ଭାବେ ଚିତ୍ରଣ କରିବାର ଅପଚେଷ୍ଟା। ପ୍ରଥମେ ବିଚାରକୁ ନିଆଯାଉ ଗାଡ଼ିରେ ଲାଗିଥିବା ଷ୍ଟିକର୍‌କୁ ଯେଉଁଥିରେ ଲେଖା ଥିଲା ‘ବ୍ରାହ୍ମଣ ଜିନ୍‌ସ’ ଅର୍ଥାତ୍‌ ‘ବ୍ରାହ୍ମଣ ଗୁଣସୂତ୍ର’। ଏଥିରେ ଅନ୍ୟ କୌଣସି ଜାତିକୁ ଆକ୍ଷେପ କରାଯାଇ ନ ଥିଲେ ମଧ୍ୟ ଦର୍ଶାଇବାକୁ ଚେଷ୍ଟା କରାଯାଇଛି ଯେ ବ୍ରାହ୍ମଣ ଜିନ୍‌ ଏକ ସ୍ବତନ୍ତ୍ର ଓ ଉଚ୍ଚ ଶ୍ରେଣୀର ଜିନ୍‌, ଯାହା ଆଦୌ ବିଜ୍ଞାନସମ୍ମତ ନୁହେଁ। ଦ୍ବିତୀୟରେ: ଯଦି ବା ଧରି ନିଆଯାଏ ଯେ ବ୍ରାହ୍ମଣ ଜିନ୍‌ ଏକ ବିଶେଷ ଗୁଣ ବା ମାନ ବିଶିଷ୍ଟ, ତଥାପି ହଜାର ହଜାର ପୁରୁଷ ଧରି ବଂଶାନୁକ୍ରମିକ ଭାବେ ସେହି ‘ବିଶିଷ୍ଟ’ ଜିନ୍‌ର ଶୁଦ୍ଧତା ବଜାୟ ରହିଛି, ସେଥିରେ ଅଣ-ବ୍ରାହ୍ମଣ ଜିନ ଆଦୌ ମିଶିନାହିଁ, ଏହା କେବଳ ଏକ ଉଦ୍ଭଟ ଯୁକ୍ତି ନୁହେଁ, ହାସ୍ୟାସ୍ପଦ ମଧ୍ୟ। 
ଏଥର ଆସିବା ପୋଷ୍ଟଟିରେ ଚିତ୍ର ସହ ଥିବା ଲେଖା ପ୍ରସଙ୍ଗକୁ। ଏଥିରେ ମଧ୍ୟ ଷ୍ଟିକର୍‌ରେ ବ୍ୟବହୃତ ‘ରଣକୌଶଳ’ର ପୁନରାବୃତ୍ତି ହୋଇଛି। ସ୍ଥୂଳ ଦୃଷ୍ଟିରେ ଦେଖିଲେ ଏଥିରେ କୌଣସି ଜାତିକୁ ଆକ୍ଷେପ କରାଯାଇ ନାହିଁ। କିନ୍ତୁ ଟିକିଏ ତଳେଇ ଦେଖିଲେ ଉଭୟ ଭାବ ଓ ଭାଷା ଦୃଷ୍ଟିରୁ ‘ଜ୍ଞାନରୁ ଜାତ’/‘ଶକ୍ତିରୁ ସମ୍ଭୂତ’ ମନ୍ତବ୍ୟରେ ଅବ୍ରାହ୍ମଣଙ୍କ ପ୍ରତି ଅସୂୟା ଓ ହେୟଜ୍ଞାନ ସ୍ପଷ୍ଟ ବାରି ହେଉଛି। କେବଳ ବ୍ରାହ୍ମଣମାନେ କ’ଣ ‘ଜ୍ଞାନରୁ ଜାତ’? ତେବେ ଅନ୍ୟମାନେ କ’ଣ ‘ଅଜ୍ଞାନରୁ ଜାତ’? ଲେଖାଟିର ସବୁଠାରୁ ଆପତ୍ତିଜନକ ଦିଗଟି ହେଲା ବ୍ରାହ୍ମଣଙ୍କୁ ହିନ୍ଦୁ ଧର୍ମର ଧ୍ବଜାଧାରୀ ଭାବେ ଚିତ୍ରଣ କରିବାର ବିକଳ ପ୍ରୟାସ। ଇତିହାସ ସାକ୍ଷୀ ରହିଛି ଯେ ହିନ୍ଦୁ ଧର୍ମରେ ଯାବତୀୟ କୁସଂସ୍କାର, ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତା ପଛରେ ‘ବ୍ରାହ୍ମଣବାଦ’ର ଭୂମିକା ହେଉଛି ସବୁଠାରୁ ବେଶୀ ଓ ପ୍ରଭାବଶାଳୀ। ତେଣୁ ବ୍ରାହ୍ମଣମାନେ ହିନ୍ଦୁ ଧର୍ମକୁ ଟେକି ଧରିଛନ୍ତି ବୋଲି ଦାବି କରିବା କେବଳ ସତ୍ୟର ଅପଳାପ ନୁହେଁ; ବରଂ ଚିନ୍ତାଜନକ ଭାବେ ବିଦ୍ୱେଷସୃଷ୍ଟିକାରୀ। 
କୁହାଯାଉଛି ଯେ ଅନୁରାଧାଙ୍କ ପୋଷ୍ଟଟି ଯେଉଁ ଚିନ୍ତାଧାରାକୁ ପ୍ରକାଶ କରୁଛି, ତା’ର ଉତ୍ପତ୍ତି ସ୍ଥଳ ହେଉଛି ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥାର ପ୍ରଚଳନ, ଯେଉଁଥିରେ ବ୍ରାହ୍ମଣ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏଭଳି ବ୍ୟବସ୍ଥା ଯୋଗୁଁ କେବଳ ବ୍ରାହ୍ମଣ ନୁହେଁ, ଅନ୍ୟ ଉଚ୍ଚ ବର୍ଗର ଲୋକ ମଧ୍ୟ ସମାନ ପରିମାଣରେ ପ୍ରଭାବିତ ହୋଇଛନ୍ତି। ପ୍ରତିଭା ବଦଳରେ କେବଳ ଜାତିଗତ ଆଧାରରେ ଶିକ୍ଷାନୁଷ୍ଠାନରେ ସ୍ଥାନ, ଚାକିରି ଓ ପଦୋନ୍ନତି ମିଳିବା ଏ ଯୁଗରେ ଗ୍ରହଣୀୟ ନୁହେଁ। ଏକ ଆଦର୍ଶ, ସାମ୍ୟବାଦୀ ସମାଜରେ ଏଭଳି ବ୍ୟବସ୍ଥା ରହିବା ଉଚିତ ନୁହେଁ। କିନ୍ତୁ, ଐତିହାସିକ କାରଣରୁ ଭାରତୀୟ ସମାଜର ସଂଖ୍ୟାଗରିଷ୍ଠ ଲୋକ ଏବେ ବି ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ବଞ୍ଚୁଛନ୍ତି। ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ କାରଣରୁ ବିକାଶର ଆନୁପାତିକ ଲାଭ ପାଇବାରୁ ସେମାନେ ଏବେ ବି ବଞ୍ଚିତ। ତେଣୁ ଶତାବ୍ଦୀ ଶତାବ୍ଦୀ ଧରି ଅବହେଳିତ ଓ ନିଷ୍ପେଷିତ ଏହି ବର୍ଗମାନଙ୍କୁ ସାମାଜିକ ସୁରକ୍ଷାର ଆବଶ୍ୟକତା ଏବେ ବି ରହିଛି। ଏବଂ ବିକାଶର ଧାରାରେ ପଛରେ ପଡ଼ିଯାଇଥିବା ବର୍ଗଙ୍କ ପାଇଁ ‘ସକାରାତ୍ମକ ପଦକ୍ଷେପ’ (ଇଂରେଜୀରେ ‘ଏଫର୍ମେଟିଭ୍‌ ଆକ୍‌ସନ୍‌’)ର ବ୍ୟବସ୍ଥା କେବଳ ଭାରତରେ ନୁହେଁ, ବରଂ ସବୁ ସଭ୍ୟ, ଉନ୍ନତ ଦେଶରେ ରହିଛି; ଏପରିକି ପୃଥିବୀର ସବୁଠାରୁ ବିକଶିତ ଓ ଶକ୍ତିଶାଳୀ ଦେଶ ବୋଲି ବିଚାର କରାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ। ସେ ସବୁ ଦେଶରେ ଏଭଳି ବ୍ୟବସ୍ଥାକୁ ନେଇ ଗାତ୍ରଦାହ ହେଉ ନ ଥିଲା ବେଳେ ଭାରତରେ ଜାତିଗତ ଆରକ୍ଷଣ ବ୍ୟବସ୍ଥାକୁ ନେଇ ଅସୂୟା ଓ ଅସହିଷ୍ଣୁତାର ମୁଖ୍ୟ କାରଣ ହେଉଛି ଆମ ରାଜନୈତିକ ଦଳ ଓ ନେତାମାନେ ଏହାକୁ ଏକ ଭୋଟସର୍ବସ୍ବ ବ୍ୟବସାୟରେ ପରିଣତ କରି ଦେଇଛନ୍ତି। ସେମାନେ ଅଧିକରୁ ଅଧିକ ଜାତିଙ୍କୁ ଆରକ୍ଷଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଭୋଟ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ସଂବିଧାନ ସଂଶୋଧନ କରି ସବୁ ପ୍ରକାର ଆରକ୍ଷଣ ପାଇଁ ସୁପ୍ରିମ୍‌ କୋର୍ଟ ଦ୍ବାରା ନିର୍ଦ୍ଧାରିତ ୫୦% ସୀମାକୁ ଉଠାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି ଓ ସେହି ପ୍ରତିଶ୍ରୁତି ଆଧାରରେ ନୂଆ ନୂଆ ବର୍ଗଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ୧୯୩୧ ଠାରୁ ବନ୍ଦ ହୋଇ ଯାଇଥିବା ଜାତିଭିତ୍ତିକ ଜନଗଣନା ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ କରିବା ପାଇଁ କଂଗ୍ରେସର ପ୍ରତିଶ୍ରୁତିକୁ ଏହି ପର୍ଯ୍ୟାୟଭୁକ୍ତ କରାଯାଇପାରେ। ସେହିପରି ଭାରତର ଅନେକ ଅଞ୍ଚଳରେ କ୍ଷେତ୍ରୀୟ ଦଳମାନେ ନୂଆ ନୂଆ ଜାତିଙ୍କୁ ପଛୁଆ ବର୍ଗ, ଆଦିବାସୀ ଓ ଦଳିତ ବର୍ଗରେ ସାମିଲ କରି ସେମାନଙ୍କୁ ଆରକ୍ଷଣର ସୁବିଧା ଦେବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କର ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହାର ବିଡ଼ମ୍ବିତ ପରିଣତି ହୋଇଛି ଏଇୟା ଯେ ଅପେକ୍ଷାକୃତ ସ୍ୱଚ୍ଛଳ ପଟେଲ, ମରାଠା, ରାଜପୁତ ଏପରିକି ବ୍ରାହ୍ମଣମାନେ ବି ଏବେ ଆରକ୍ଷଣ ବ୍ୟବସ୍ଥାରେ ସାମିଲ ହେବା ପାଇଁ ଆନ୍ଦୋଳନ କଲେଣି! କହିବା ବାହୁଲ୍ୟ, ଏଭଳି ପ୍ରତିଯୋଗିତାମୂଳକ ଜାତିବାଦ ମଧ୍ୟରେ ଆରକ୍ଷଣ ବ୍ୟବସ୍ଥାର ମୂଳ ଲକ୍ଷ୍ୟ – ଅବହେଳିତଙ୍କ ଉତ୍‌ଥାନ – କୁଆଡ଼େ ହଜିଗଲାଣି। ଏଭଳି ଅହେତୁକ ପ୍ରତିଯୋଗିତା ଯେ ଦେଶ ଓ ହିନ୍ଦୁ ଧର୍ମର ଏକତା ଓ ସଂହତି ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରୁଛି, ଏ କଥା ବୁଝାଇ କହିବାର ଆବଶ୍ୟକତା ନାହିଁ। 
ଏଥର ପୁଣି ଫେରିବା ମୂଳ ପ୍ରସଙ୍ଗକୁ। ସ୍ପଷ୍ଟ କରିଦେବା ଉଚିତ ହେବ ଯେ ବ୍ରାହ୍ମଣମାନଙ୍କ ପ୍ରତି ଏହି ସ୍ତମ୍ଭକାର ମନରେ କୌଣସି ଅସୂୟା ଭାବ ନାହିଁ। ସତ କହିଲେ ତା’ର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ସୂଚିରେ ବ୍ରାହ୍ମଣମାନଙ୍କ ସଂଖ୍ୟା ସବୁଠାରୁ ଅଧିକ। କିନ୍ତୁ ସେମାନେ ଅନ୍ତରଙ୍ଗ ଏଇଥି ପାଇଁ ଯେ ସେମାନେ ବ୍ରାହ୍ମଣ ବୋଲି କୌଣସି ବିଶେଷ ସମ୍ମାନ କେବେ ଦାବି କରି ନାହାନ୍ତି। ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ କେହି ଦାବି କରେ ଯେ ବ୍ରାହ୍ମଣମାନେ ଏକ ସ୍ବତନ୍ତ୍ର ପ୍ରଜାତି, ଏକ ବିରଳ ‘ଗୁଣସୂତ୍ର’ର ଅଧିକାରୀ ବା ଅନ୍ୟ ସବୁ ବର୍ଗର ମଣିଷଙ୍କ ଠାରୁ ଶ୍ରେଷ୍ଠ- ସେ ଦାବି ବ୍ରାହ୍ମଣ କରନ୍ତୁ ବା ଅବ୍ରାହ୍ମଣ। କିଏ କେଉଁ କୁଳରେ ଜାତ ହେବ, ତାହା ମନୁଷ୍ୟକୃତ ନୁହେଁ, ଇଶ୍ୱରଙ୍କ ବିଧାନ। ତେଣୁ କେବଳ ଏକ ନିର୍ଦ୍ଦିଷ୍ଟ କୁଳରେ ଜନ୍ମ ନେଇଥିବାରୁ ଗର୍ବ କରୁଥିବା ବ୍ୟକ୍ତି ପ୍ରକୃତରେ ଜ୍ଞାନୀ ନୁହେଁ, ଅଜ୍ଞାନ। ପ୍ରକୃତ କଥା ହେଲା କେବଳ ବ୍ରାହ୍ମଣ ବୋଲି ଗର୍ବ କରୁଥିବା ଓ ଏକ ସ୍ବତନ୍ତ୍ର ସମ୍ମାନର ଅପେକ୍ଷା ରଖୁଥିବା ବ୍ୟକ୍ତିର ଗର୍ବ କରିବା ପାଇଁ ତାଙ୍କ ବ୍ରାହ୍ମଣ ପରିଚୟ ବ୍ୟତୀତ ଅନ୍ୟ କିଛି ନ ଥାଏ। ଯେଉଁମାନେ ଜ୍ଞାନୀ, ଗୁଣୀ ଓ ମାନବ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ, ସେମାନେ ବ୍ରାହ୍ମଣ ଅବ୍ରାହ୍ମଣ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ପାତ୍ର ହୁଅନ୍ତି। ବ୍ରାହ୍ମଣ କୁଳରେ ଜାତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଦେଶବାସୀଙ୍କ ପାଇଁ ଯେତିକି ସମ୍ମାନାସ୍ପଦ, ଅବ୍ରାହ୍ମଣ ‘ଜାତିର ପିତା’ ମହାତ୍ମା ଗାନ୍ଧୀ ମଧ୍ୟ ସେତିକି ନମସ୍ୟ। ଅନ୍ୟ ପକ୍ଷରେ ତଥାକଥିତ ‘ତଳ’ ବା ‘ପଛୁଆ’ ଜାତିରେ ଜନ୍ମିତ ବାବାସାହେବ ଆମ୍ବେଦକର ଯେ ସବୁ ଭାରତୀୟଙ୍କ ସକାଶେ ପ୍ରାତଃ ସ୍ମରଣୀୟ, ତହିଁରେ ଅତ୍ୟୁକ୍ତି ନାହିଁ। ତେଣୁ କୌଣସି ମଣିଷ ନିଜ ମନରେ ହୀନମନ୍ୟତାକୁ ପ୍ରଶ୍ରୟ ଦେବାର ମଧ୍ୟ କୌଣସି କାରଣ ନାହିଁ। କାରଣ ‘କର୍ମେ ଜିଏ ନର, କର୍ମ ଏକା ତା’ର ଜୀବନର ମାନଦଣ୍ଡ!’
ମୋ: ୯୯୩୭୨୨୮୧୨୨

 profile image

Updated

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od