ଗୁରୁଡିଝାଟିଆ: କଟକ ଜିଲ୍ଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରୁ ୪ମାସର ଶିଶୁପୁତ୍ରକୁ ଅପହରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୁଲିସ । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମାନସୀ ପ୍ରଧାନ ଓ ମିଥୁନ ନାୟକ। ପ୍ରକାଶଯୋଗ୍ୟ ବୁଧବାର ପୂର୍ବାହ୍ନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ସୁକାନ୍ତ ହେଉରୀଙ୍କ ପତ୍ନୀ ମିନତୀ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ୪ମାସର ଶିଶୁପୁତ୍ରକୁ ନେଇ ଚିକିତ୍ସା ପାଇଁ ଯାଇଥିଲେ । ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଯିବା ବାଟରେ ସଂପର୍କିୟ ପିଙ୍ଗୁଆ ଗ୍ରାମର ମାନସୀ ସହିତ ସାକ୍ଷାତ ହୋଇଥିଲା । ଅତି ଚତୁରତାର ସହିତ ଦୂର ସଂପର୍କୀୟା ମାଉସୀ କହିଥିଲା ମୁଁ ଶିଶୁପୁତ୍ରକୁ ଧରିଛି ତୁମେ ନିରାମୟରୁ ଯାଇ ଔଷଧ ଆଣ କହି ମାନସୀ ଶିଶୁପୁତ୍ରଟିକୁ ଧରି ଖୁଣ୍ଟୁଣୀ ବଜାର ଠାରୁ ନିଜ ଗାଁ ପିଙ୍ଗୁଆ ଅଭିମୁଖେ ପଳାଇଥିଲା । ବାଟରେ ଏହି କାର୍ୟ୍ୟରେ ମିଥୁନ ନାୟକ ତାକୁ ସହଯୋଗ କରିଥିଲା । ଶିଶୁପୁତ୍ରର ମାଆ ମିନତୀ ଦିନ ଓ ରାତି ତମାମ ଖୋଜାଖୋଜି କରିଥିଲା ।
ମାନସୀକୁ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାର ଫୋନ ସୁଇଚଅପ ରହିଥିଲା । ତେଣୁ ବାଧ୍ୟ ହୋଇ ଗୁରୁବାର ସକାଳେ ମିନତୀ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଅନୁସନ୍ଧାନ ପୂର୍ବକ ଖୋଳତାଡ ଆରମ୍ଭ କରିଥିଲା । ଶେଷରେ ପିଙ୍ଗୁଆ ଗ୍ରାମରେ ପହଞ୍ଚିଚ ମାନସୀ ଓ ମିଥୁନକୁ କାବୁ କରିବା ସହିତ ତାଙ୍କ ଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଅଜିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ମାନସୀ ଓ ମିଥୁନ ବେଙ୍ଗାଲୁରୁରେ କାମ କରିଥାନ୍ତି । ତେଣୁ ଅପରହରଣ କରିନେଇଥିବା ଶିଶୁପୁତ୍ରକୁ ବାହାରେ ବିକ୍ରି କରିବାର ଯୋଜନା ରଖିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର
17