Thursday, January 9, 2025
Home ରାଜ୍ୟ ଟ୍ୟୁବ୍‌ ଷ୍ଟ୍ରେଚର୍‌ରେ ଉଛୁଳା ନାଳ ପାର ହେଲେ ମହିଳା ରୋଗୀ

ଟ୍ୟୁବ୍‌ ଷ୍ଟ୍ରେଚର୍‌ରେ ଉଛୁଳା ନାଳ ପାର ହେଲେ ମହିଳା ରୋଗୀ

by
0 comment

ବାଂଶପାଳ: ଗମନାଗମନ ସୁବିଧା ନ ଥିବାରୁ ଜଣେ ମହିଳା ରୋଗୀ ତିନିଦିନ ଧରି ଅସୁସ୍ଥ ଥିଲେ ବି ଡାକ୍ତରଖାନା ଯାଇପାରିନଥିଲେ। ଉଛୁଳା ନାଳ ପାର ହେବାକୁ ସାଧନ ନଥିବାରୁ ଘରେ ପଡ଼ି ରହିଥିଲେ। ତିନିଦିନ ପରେ ଘର ଲୋକ ତାଙ୍କୁ ଦୋଳା କରି ଆଣିବା ପରେ ଅଗ୍ନିଶମ ବିଭାଗ ଟ୍ୟୁବ୍‌ ଷ୍ଟ୍ରେଚ୍‌ର ତିଆରି କରି ମହିଳାଙ୍କୁ ନାଳ ପାର କରି ଡାକ୍ତରଖାନା ନେଇଥିଲା। ଖଣିଜ ସମ୍ପଦଭରା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍‌ରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଏଠାରେ ଗମନାଗମନର ସୁବିଧା କରାଯାଉନାହିଁ। 

ଖବର ଅନୁସାରେ, କାଦକଳା ପଞ୍ଚାୟତ ହଳଡ଼ିହି ସାହିର ସିପେଇ ମୁଣ୍ଡା ଗତ ତିନିଦିନ ହେଲା ଅସୁସ୍ଥ ଥିଲେ। ପାହାଡ଼ିଆ ନାଳରେ ପ୍ରବଳ ବଢ଼ି ଆସିଥିବାରୁ ସେ ଘରୁ ବାହାରି ପାରିନଥିଲେ। ଆଜି ନାଳରେ ପାଣି ସାମାନ୍ୟ କମିବା ପରେ ତାଙ୍କ ଦୁଇ ପୁଅ ବୀରବର ମୁଣ୍ଡା ଓ ତ୍ରିଲୋଚନ ମୁଣ୍ଡା ଭାରରେ ବୋହି ତାଙ୍କୁ ମାଲଦା ନାଳ ପାଖକୁ ନେଇଥିଲେ। ହେଲେ ପ୍ରଖର ସ୍ରୋତକୁ ଦେଖି ଅପରପାର୍ଶ୍ୱକୁ ନେବା ପାଇଁ ଆଉ ସାହସ କରିନଥିଲେ। ଖବର ପାଇ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ରଶି ବାନ୍ଧିବା ପରେ ଟ୍ୟୁବ୍‌ ଜରିଆରେ ଏକ ଷ୍ଟ୍ରେଚର ତିଆରି କରି ମହିଳାଙ୍କୁ ସୁରକ୍ଷିତ ଭାବେ ନାଳ ଆରପଟକୁ ନେଇଥିଲେ। ଏହା ପରେ କିଛିବାଟ ପୁଣି ତାଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ସେଠାରୁ ସେ ବାଂଶପାଳ ଡାକ୍ତରଖାନା ଯାଇଥିଲେ। ମହିଳାଙ୍କୁ ସୁରକ୍ଷିତ ଭାବେ ନାଳ ପାର କରିବା କଷ୍ଟକର ଥିଲେ ମଧ୍ୟ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଏହି କାମ କରିଥିଲେ ବୋଲି ବାଂଶପାଳ ଅଗ୍ନିଶମ ବାହିନୀ ଅଧିକାରୀ ଦିଗମ୍ବର ମହାନ୍ତ କହିଛନ୍ତି। 

ସୂଚନାଯୋଗ୍ୟ, କାଦକଳା ପଞ୍ଚାୟତଠାରୁ ହଳଡିହି ସାହିକୁ ଯାଇଥିବା ରାସ୍ତା ମଝିରେ ପ୍ରବାହିତ ହେଉଥିବା ମାଲଦା ନାଳରେ ପୋଲ ନାହିଁ। ବର୍ଷାଋତୁରେ ଏହି ନାଳ ଫୁଲିଥାଏ। ପାଣି ଅଧିକ ହେଲେ ଯାତାୟାତ ସମ୍ଭବ ହୁଏନାହିଁ। ପାଣି କମିଲେ ରଶି ବାନ୍ଧି ଗାଁ ଲୋକେ ନଦୀ ପାର ହୋଇଥାନ୍ତି। କିଛି ଦିନ ପୂର୍ବରୁ ଏହି ନାଳରେ ଛାତ୍ରଛାତ୍ରୀ ଓ ସାହିବାସୀ ଦଉଡ଼ି ସାହାଯ୍ୟରେ ପାର ହେଉଥିବାର ସଚିତ୍ର ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ବର୍ଷା ପରେ ରାସ୍ତା ଓ ପୋଲ ନିର୍ମାଣ କରାଯିବ ବୋଲି ସୂଚନା ଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od