Wednesday, February 19, 2025
Home Home ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

ଜୋରଦାର ହେବ ବାରବାଟୀ-କଟକ ନିର୍ବାଚନ ଲଢ଼େଇ

by
0 comment

କଟକ, ୩ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ମାତ୍ର ଅଳ୍ପଦିନ ବାକି ରହିଥିବାବେଳେ ସରଗରମ ହେବାରେ ଲାଗିଛି କଟକ ରାଜନୀତି। ଏପରି କି ସମସ୍ତ ନିର୍ବାଚନମଣ୍ଡଳୀ ଅପେକ୍ଷା ଏବେ ରୋଚକ ହୋଇଛି ବାରବାଟୀ-କଟକ। ଏହି ଆସନକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ ଅଙ୍କକଷା ଜାରିରହିଥିଲା। ପ୍ରଥମେ ବିଜେଡି ବାରବାଟୀ-କଟକ ଆସନ ପାଇଁ ପ୍ରକାଶ ବେହେରାଙ୍କ ନଁା ଘୋଷଣା କରିଥିଲା। କିଛିଦିନ ତଳେ ବରିଷ୍ଠ ନେତା ଇଂ. ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍‌ଦୋସଙ୍କ ନାମ କଂଗ୍ରେସ ଘୋଷଣା କରିଥିଲା। ଏପରି କି ବିଜେଡି ପ୍ରାର୍ଥୀ ପ୍ରକାଶ ବୁଧବାର ନାମାଙ୍କନପତ୍ର ଦାଖଲ କରିବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭାଜପାର ରାଜ୍ୟ ଉପସଭାପତି ଦାୟିତ୍ୱରେ ଥିବା ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଦଳ ସାମ୍ନାକୁ ଆଣିଛି। ଏବେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ୨ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ଲଢ଼େଇ ଜୋର୍‌ଦାର ହେବା ନେଇ ଲୋକେ ଆଲୋଚନା କରୁଛନ୍ତି। ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରସ୍ତୁତି କରିଥିବାବେଳେ ପରେ ସେହି ଦୌଡରେ ସୋଫିଆ ସାମିଲ ହୋଇଛନ୍ତି। ହେଲେ ଭାଜପା ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିବା ଯେପରି କଟକ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ଲୋକ ସଭା ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଭର୍ତ୍ତୃହରି ମହତାବ ଭାଜପାରେ ଯୋଗଦେବା ପରେ ଦଳ ତାଙ୍କୁ ଟିକେଟ ଦେଇଥିଲା। ପରେ ଦଳ ପୂର୍ଣ୍ଣଚନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାରବାଟୀ-କଟକ ବିଧାନସଭା ଟିକେଟ ଦେବା ନେଇ ପ୍ରସ୍ତାବ ଦେଇଥିଲା। ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପୂର୍ଣ୍ଣଚନ୍ଦ୍ର ଏଥିପାଇଁ ସ୍ପଷ୍ଟ ଭାବେ ମନା କରିଥିଲେ। ହେଲେ ଦଳ ଏପରି ଭାବେ ପୂର୍ଣ୍ଣଚନ୍ଦ୍ରଙ୍କ ନଁା ଘୋଷଣା କରି ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିଥିଲା। ଏପରି କି ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀ ଓ ପ୍ରସୂତିରୋଗ ଚିକିତ୍ସକ ଥିବାବେଳେ ରାଜ୍ୟତମାମ ସେ ସେବା ଯୋଗାଇଛନ୍ତି। ତେଣୁ ଭାଜପା ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରି ମହିଳା ଭୋଟ ହାତେଇବା ନେଇ ଯୋଜନା କରିଥିବା ଆଲୋଚନା ହେଉଛି। ପୂର୍ଣ୍ଣଚନ୍ଦ୍ର ଓ ସୋଫିଆ ପ୍ରଥମଥର ବାରବାଟୀ-କଟକରୁ ନିଜ ଭାଗ୍ୟ ପରୀକ୍ଷା କରୁଥିବାବେଳେ ନିର୍ବାଚନ ଲଢ଼ିବାରେ ନୂଆ ନ ହୋଇଥିଲେ ମଧ୍ୟ ବିଜେଡିରେ ଯୋଗଦେବା ପରେ ବାରବାଟୀ-କଟକରୁ ପ୍ରଥମକରି ଟିକେଟ ପାଇଛନ୍ତି ପ୍ରକାଶ। ୩ ଦଳ ତିନୋଟି ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ସତ, ହେଲେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od