ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଶନିବାର ଜେଲରୁ ମୁକୁଳିବା ପରେ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହାଇଦ୍ରାବାଦ ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କ ଜୁବିଲି ହିଲ୍ସ ବାସଭବନ ବାହାରେ ଏକତ୍ରିତ ହୋଇଥିଲେ।
ଏହି ଦୁଃଖ ସମୟରେ ପ୍ରଶଂସକଙ୍କ ଅତୁଟ ସମର୍ଥନ ପାଇଁ ଧନ୍ୟବାଦ ଜଣାଇ ୪୧ ବର୍ଷୀୟ ଏହି ତାରକା ସ୍ୱୀକାର କରିଛନ୍ତି ଯେ ଏହା ତାଙ୍କ ପାଇଁ ଓ ତାଙ୍କ ପ୍ରିୟଜନଙ୍କ ପାଇଁ ଏକ କଷ୍ଟକର ସମୟ ଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ଅନିଚ୍ଛାକୃତ ଦୁର୍ଘଟଣା ବୋଲି କହିଛନ୍ତି। ଅଲ୍ଲୁ କହିଛନ୍ତି, ଗତ ୨୦ ବର୍ଷ ହେଲା ମୁଁ ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଉଥିଲି। ଏହା ସବୁବେଳେ ଏକ ଆନନ୍ଦଦାୟକ ଅନୁଭୂତି ଥିଲା, କିନ୍ତୁ ଏଥର ପରିସ୍ଥିତି ଭିନ୍ନ ଥିଲା। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯାହା ଘଟିଲା ସେଥିପାଇଁ ଆମେ ଦୁଃଖିତ, ଯାହା ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣ ବାହାରେ ଥିଲା। ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ଡିସେମ୍ବର ୪ ତାରିଖରେ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟରରେ ହଜାର ହଜାର ପ୍ରଶଂସକ ଅଭିନେତାଙ୍କ ଝଲକ ଦେଖିବା ପାଇଁ ଭିଡ଼ ଜମାଇଥିବା ବେଳେ ଦଳାଚକଟାରେ ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ୮ ବର୍ଷର ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହି ଘଟଣା ପରେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସିଟି ପୁଲିସ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଟିମ୍ ଓ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଛି। ଶୁକ୍ରବାର ସକାଳେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା। ଅଭିନେତା ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ତେବେ ଜେଲ କର୍ତ୍ତୃପକ୍ଷ ଜାମିନ ଆଦେଶ ପାଇବାରେ ବିଳମ୍ବ ହେବାରୁ ଶୁକ୍ରବାର ଅଭିନେତାଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଥିଲା।