
ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ଆଳି-ଭୂଇଁପୁର ରାସ୍ତାର ଏଣ୍ଡୋଳ ପାଖରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି। ବେହେରାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଭାଜପା କର୍ମୀମାନେ ଆକ୍ରମଣ କରିଥିବା ନେଇ ବେହେରା ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଥାନାରେ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସେ ଆଳି ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ବ୍ଲକରୁ କାମ ସାରି ସ୍କୁଟି ନେଇ ତାଙ୍କ ଘର ଡିମିରିପାଳକୁ ଯାଉଥିଲେ। ଆଳି -ଭୂଇଁପୁର ରାସ୍ତାର ଏଣ୍ଡୋଳ ଛକଠାରୁ କିଛି ଦୂରରେ ତାଙ୍କ ଗାଡ଼ିକୁ କେତେଜଣ ଯୁବକ ଅଟକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯୁବକମାନେ ତାଙ୍କୁ ଜୀବନରୁ ଶେଷ କରିଦେବାକୁ ଧମକ ଦେଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚତ୍ ଯିବାରୁ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଆଳି ରାଜନୀତି ସରଗରମ ହୋଇପଡିଛି। ଅଭିଯୋଗ ପାଇ ପୋଲିସ ନଂ. ୭୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାଜପା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।