Friday, February 14, 2025
Friday, February 14, 2025
Home ଖେଳ ଜାତୀୟ ଭାରୋତ୍ତୋଳନ: ଓଡ଼ିଶାକୁ ଆଉ ୪ ପଦକ

ଜାତୀୟ ଭାରୋତ୍ତୋଳନ: ଓଡ଼ିଶାକୁ ଆଉ ୪ ପଦକ

by
0 comment

ଭୁବନେଶ୍ବର: ହିମାଚଳପ୍ରଦେଶର ନଗ୍ରତା ଭବବାନସ୍ଥିତ ରେ‌ନ୍‌ବୋ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍ ପରିସରରେ ଚାଲିଥିବା ଜାତୀୟ ଯୁବ, କନିଷ୍ଠ ଓ ବରିଷ୍ଠ ଭା‌ରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ଆଉ ୪ ପଦକ ମିଳିଛି। ସୋମବାର ପ୍ରଥମ ଦିବସରେ ହର୍ଷବର୍ଦ୍ଧନ ସାହୁ ଓ ଜ୍ୟୋସ୍ନା ଶବର ସ୍ବର୍ଣ୍ଣ ପଦକ ଜିତି ଅଭିଯାନ ଆରମ୍ଭ  କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଏହି ପ୍ରତିଯୋଗିତାରେ ମଙ୍ଗଳବାର ଆଉ ୪ ପଦକ ଯୋଡ଼ିଛନ୍ତି ୩ ଓଡ଼ିଶା ଖେଳାଳି। ଏହା ମଧ୍ୟରେ ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଅଛି। ଓଡ଼ିଶାର ମୋଟ ପଦକ ୬ରେ ପହଞ୍ଚିଛି।

ଯୁବ ଓ କନିଷ୍ଠ ବାଳିକା ବର୍ଗର ୪୫ କିଲୋଗ୍ରାମ ବର୍ଗରେ ପ୍ରୀତିସ୍ମିତା ଭୋଇ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଭାରୋତ୍ତୋଳନ ଏଚ୍‌ପିସିର ଢ଼େଙ୍କାନାଳ ସବ୍‌ସେଣ୍ଟର୍ ପ୍ରଶିକ୍ଷାର୍ଥୀ ପ୍ରୀତି ସ୍ନାଚ୍‌ରେ ୫୭ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୮୩ କିଲୋଗ୍ରାମ ସହ ମୋଟ ୧୪୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଚଳିତ ବର୍ଷ ପ୍ରୀତିସ୍ମିତା ପେରୁର ଲିମାରେ ଅନୁଷ୍ଠିତ ଯୁବ ବିଶ୍ବ ଭାରୋତ୍ତୋଳନ ପ୍ରତିଯୋଗିତାରେ ନୂଆ ସ୍ନାଚ୍‌ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହ‌ିଭଳି ଯୁବ ବର୍ଗର ୫୫ କିଲୋଗ୍ରାମ ଶ୍ରେଣୀରେ ମୁକେଶ ଗମାଙ୍ଗୋ ସ୍ନାଚ୍‌ରେ ୯୩ କି‌ଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୧ କିଲୋଗ୍ରାମ ସହ ମୋଟ ୨୦୪ କିଲୋଗ୍ରାମ ଉତ୍ତୋଳନ କରି ରୌପ୍ୟ ପଦକ ଜିତିଛନ୍ତି। ମ‌ୁକେଶ ଏବେ ଓଡ଼ିଶା ଭାରୋତ୍ତୋଳନ ଏଚ୍‌ପିସିର ଭୁବନେଶ୍ବର କେନ୍ଦ୍ରରେ ତାଲିମ ନେଉଛନ୍ତି। ଗଞ୍ଜାମ ଭାରୋତ୍ତୋଳକ ମୁନା ନାୟକ ଅନ୍ତଃରାଜ୍ୟ ବରିଷ୍ଠ ବର୍ଗରେ ଆଉ ଏକ ରୌପ୍ୟ ପଦକ ଜିତିଛନ୍ତି। ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ପୂର୍ବତନ ଅନ୍ତେବାସୀ ମୁନା ୫୫ କିଲୋଗ୍ରାମ ଶ୍ରେଣୀର ୧୦୪ କି‌ଲୋଗ୍ରାମ ସ୍ନାଚ୍‌ ଏବଂ ୧୩୫ କିଲୋଗ୍ରାମ କ୍ଲିନ୍ ଆଣ୍ଡ୍ ଜର୍କ ଉତ୍ତୋଳନ କରି ମୋଟ ୨୩୯ ‌କିଲୋଗ୍ରାମ ଭାରୋତ୍ତୋଳନ କରିଥିଲେ। ମୁନା ଏବେ ପୁଣେସ୍ଥିତ ଆର୍ମି ସ୍ପୋର୍ଟସ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେଉଛନ୍ତି। ପଦକ ବିଜେତାମାନଙ୍କୁ ଓଡ଼ିଶା ଭାରାତ୍ତୋଳନ ସଂଘ ସଭାପତି ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od