ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୮ ନଂ ୱାର୍ଡ ପୁରୁଣାଘାଟୀସ୍ଥିତ ରାଇରଙ୍ଗପୁର କଲେଜର ଏକ ଛାତ୍ରୀ ନିବାସ ପାର୍ଶ୍ବରେ ଏକ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ଜଣେ ମଦ ବ୍ୟାପାରୀଙ୍କୁ ଅନୁମତି ମିଳିଛି। ମଦ ଦୋକାନଟି ରାଇରଙ୍ଗପୁର ମୌଜାର କାତା ନଂ ୩୭୬/୭୧୮ ଓ ପ୍ଲଟ୍ ନଂ ୨୬୧୮/୨୬୪୨ ଅଛି,ଜମି ମାଲିକଙ୍କ ନାମ ନିଲୁ ସ୍ମାମୀ ସୁନିଲ କୁମାରଙ୍କ ନାମରେ ରହିଛି। ଉକ୍ତ ଘଟଣା ଜାଣିବା ପରେ ପୁରୁଣାଘାଟିର ବାସିନ୍ଦା ଓ ଛାତ୍ରୀମାନେ ଏକତ୍ରିତ ହୋଇ ଜିଲ୍ଲାପାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ମଦ୍ୟପାନ ପାଇଁ ଆଜିର ଯୁବପିଢ଼ି ବିପଥଗାମୀ ହେଉଛନ୍ତି। ଏହାରି କାରଣରୁ ସମାଜରେ ବିଶୃଙ୍ଖଳା ହେଉଛି। ଅନେକଙ୍କ ପରିବାର ଭାଙ୍ଗି ଯାଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ ଲେକେ ପ୍ରାଣ ହରାଉଛନ୍ତି। ମଦକୁ ଅନେକ ସ୍ଥାନରେ ବିରୋଧ କରାଯାଉଛି। ରାଇରଙ୍ଗପୁର କଲେଜର ଏକ ଛାତ୍ରୀ ନିବାସ ପାର୍ଶ୍ବରେ ଏକ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ସେମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଛାତ୍ରଛାତ୍ରୀମାନେ ଉକ୍ତ ଦାବିପତ୍ରରେ ସେଠାରେ ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ କରିଛନ୍ତି। ସେଠାରେ ମଦ ଦୋକାନ ଖୋଲିଲେ ଜନବସତି, କଲେଜ ମଧ୍ୟ ଅତି ନିକଟରେ ରହିଛି। ଏହା ବ୍ୟତୀତ ଛାତ୍ରୀ ନିବାସ ମଧ୍ୟ ପାର୍ଶ୍ବରେ ରହୁଛି। ସେଠାରେ ମଦ ଦୋକାନ ଖୋଲିଲେ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାବ ପଡ଼ିବ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହିତ ବିଶୃଙ୍ଖଳା ସୃଷ୍ଟି ହେବ। ଏଣୁ ସେଠାରେ ମଦ ଦୋକାନ ପାଇଁ ଅନୁମତି ବାତିଲ୍ କରାଯାଉ ବୋଲି ଦାବି କରାଯାଇଛି।
ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଦେବକୁମାର ଦାସ, ମୁସକାନ ସିର୍କା, ସିପାଲି ମହାନ୍ତ, ଅଂଜନା ସାଲଙ୍କି, କାବେରୀ ହେମ୍ବ୍ରମ, ମୋନାଲିସା ମହାନ୍ତ, ପାୟାଲ ନନ୍ଦ, ସୀମା ମାଝୀ, ମେତଲମ୍ ହେମ୍ବ୍ରମ୍, ଅଂଜଳି ମହାନ୍ତ,ପରେଶ ଚନ୍ଦ୍ର ପାତ୍ର, ସସ୍ମିତା ମହାନ୍ତ, ସୁଭଦ୍ରା ପାତ୍ରଙ୍କ ସମେତ ଗ୍ରାମବାସୀ ଓ ଅନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।