ଭୁବନେଶ୍ବର: ରାଜ୍ୟରେ କମ୍ ବୟସରେ ବହୁ କିଶୋରୀ ଗର୍ଭବତୀ ହେଉଛନ୍ତି। ପ୍ରତିବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଗର୍ଭବତୀ ମହିଳା ପଞ୍ଜୀକୃତ ହେଉଛନ୍ତି ତହିଁରୁ ଏମାନଙ୍କ ସଂଖ୍ୟା ପ୍ରାୟ ସାଢ଼େ ୪ ପ୍ରତିଶତ। ବାଲ୍ୟବିବାହ ଏହା ପଛର ଏକ ପ୍ରମୁଖ କାରଣ। ସାମାଜିକ କର୍ମୀମାନେ ଦାବି କରୁଛନ୍ତି ଯେ ଏହି ସଂଖ୍ୟା ଆହୁରି ଅଧିକ। ହେଲେ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଭାରତ ସମେତ ଏସିଆ ମହାଦେଶରେ ୬୦ଲକ୍ଷ କିଶୋରୀ ପ୍ରତିବର୍ଷ ଗର୍ଭଧାରଣ କରୁଥିବା ସୂଚନା ଦିଆଯାଇଛି। ଏମାନଙ୍କ ବୟସ ୧୫-୧୯ବର୍ଷ ଭିତରେ। ‘ହୁ’ର ରିପୋର୍ଟ ଅନୁସାରେ, ଏହି ବର୍ଗର ଯୁବତୀ ଗର୍ଭଧାରଣ କରିବା ଫଳରେ ସେମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଢ଼ୁଛି। ୨୦ବର୍ଷ ବୟସର ଜଣେ ଯୁବତୀ ଗର୍ଭଧାରଣ କଲେ ଯେତିକି ବିପଦ ରହିଥାଏ ୧୬ବର୍ଷର କିଶୋରୀଠାରେ ଏହି ହାର ୪ଗୁଣା ଅଧିକ। ଯୌନ ସ୍ବାସ୍ଥ୍ୟ ଓ ପରିବାର ନିୟୋଜନ ସଂପର୍କରେ ସେମାନଙ୍କ ନିକଟରେ ଯଥେଷ୍ଟ ସୂଚନା ପହଞ୍ଚିପାରୁ ନ ଥିବା ଏହା ପଛର ପ୍ରମୁଖ କାରଣ। ଏହାସହ କମ୍ ବୟସର ମା’ଠାରୁ ଯେଉଁ ଶିଶୁ ଜନ୍ମ ନେଉଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବଡ଼ ବିପଦ ରହିଛି। ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳିପାରୁ ନ ଥିବା ‘ହୁ’ର ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ରାଜ୍ୟରେ ୬ଲକ୍ଷ ୪୫ହଜାର ୫୭୬ ଗର୍ଭବତୀ ମହିଳାଙ୍କ ପ୍ରସବ ହୋଇଛି। ତହିଁରୁ ୧୫ବର୍ଷରୁ କମ୍ କିଶୋରୀଙ୍କ ସଂଖ୍ୟା ହେଉଛି ୫୫୬। ଏହାସହ ୧୫-୧୯ବର୍ଷ ଭିତରେ ୨୭ହଜାର ୫୨୪। ଯାହାକି ପ୍ରସବ ପାଇଁ ପଞ୍ଜୀକୃତ ହୋଇଥିବା ମହିଳାଙ୍କ ସଂଖ୍ୟାର ୪.୪%। ଯଦି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪କୁ ବିଚାରକୁ ନିଆଯାଏ ତାହାଲେ ଏହି ସଂଖ୍ୟା ହେଉଛି ୭.୬%। ଏହି ସଂଖ୍ୟାରେ ଏତେ ତାରତମ୍ୟ ଦେଖାଯିବା ପଛର ଏକ ପ୍ରମୁଖ କାରଣ ହେଉଛି ଅନେକ ଗର୍ଭବତୀ କିଶୋରୀ ସେମାନଙ୍କ ବୟସ ଲୁଚାଉଛନ୍ତି।
ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁର ଯତ୍ନ ପାଇଁ ଓଡ଼ିଶାରେ ‘ମମତା’ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଥମ କିସ୍ତିରେ ୬ହଜାର ଓ ଦ୍ବିତୀୟ କିସ୍ତିରେ ୪ହଜାରକୁ ମିଶାଇ ୧୦ହଜାର ଟଙ୍କା ଦିଆଯାଉଛି। ତେଣୁ ଗ୍ରାମାଞ୍ଚଳରେ ଗର୍ଭଧାରଣ କରୁଥିବା କମ୍ ବୟସର ଅନେକ ଯୁବତୀ ଏହି ଅର୍ଥ ପାଇବା ଲାଗି ସେମାନଙ୍କ ପରିବାର ପ୍ରକୃତ ବୟସ ଲୁଚାଉଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ତେଣୁ ଗର୍ଭବତୀଙ୍କ ପ୍ରକୃତ ବୟସ ଜାଣିବା ଲାଗି ଲେବର ରୁମ୍ରୁ ବୟସଜନିତ ତଥ୍ୟ ସଂଗ୍ରହ କରିବା ଲାଗି ଚେଷ୍ଟା କରାଯାଉଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ମତରେ ଗର୍ଭଧାରଣ କରୁଥିବା ଅନେକ କିଶୋରୀଙ୍କୁ ଗର୍ଭଧାରଣ ସମୟରେ ଯେଉଁ କାର୍ଡ ଦିଆଯାଉଛି ସେଥିରେ ଅନେକ ନିଜର ବୟସ ଲୁଚାଉଛନ୍ତି। ତେଣୁ ରାଜ୍ୟରେ ପ୍ରକୃତରେ ୧୮ବର୍ଷରୁ କମ୍ କିଶୋରୀ ଗର୍ଭଧାରଣ କରୁଛନ୍ତି ତାହା ଜାଣିବା କଷ୍ଟକର। ଯେଉଁ ସଂଖ୍ୟା ମିଳୁଛି ତାହା ଲେବର ରୁମ୍କୁ ସଂଗୃହୀତ ତଥ୍ୟ। ଏହାସହ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ କମ୍ ବୟସର ଯୁବତୀଙ୍କ ଗର୍ଭଧାରଣ ତଥ୍ୟ ସଂଗ୍ରହ କରୁଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପରପକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ ବିଭାଗ ପକ୍ଷରୁ ଏ ସଂପର୍କିତ କୌଣସି ତଥ୍ୟ ଦେବାକୁ ମନା କରାଯାଇଥିଲା।