ନୟାଗଡ଼/ରଣପୁର/ବ୍ରହ୍ମପୁର/ଛତ୍ରପୁର/ପାରଳାଖେମୁଣ୍ଡି: ଭୟଭୀତ ହେବାର କୌଣସି କାରଣ ନାହିଁ। ଚାଷୀମାନଙ୍କ ସହ ସରକାର ଅଛନ୍ତି। ଲଗାଣ ବର୍ଷାରେ ଯାହା ବି କ୍ଷୟକ୍ଷତି ହୋଇଛି, ଏହାକୁ ଭରଣା କରାଯିବ। ଚାଷୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଆଜି ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଫସଲ କ୍ଷତିଗ୍ରସ୍ତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲା ବେଳେ ଚାଷୀଙ୍କୁ ଏମିତି ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି, କ୍ଷତିଗ୍ରସ୍ତ ଚାଷୀମାନେ କୃଷିରକ୍ଷକ ପୋର୍ଟାଲ୍ରେ କ୍ଷୟକ୍ଷତି ନେଇ ଆବେଦନ କରିପାରିବେ। ଆକଳନ ପରେ ଚାଷୀଙ୍କୁ ନିଶ୍ଚିତ ଭାବେ ଉଚିତ କ୍ଷତିପୂରଣ ମିଳିବ। ଯେଉଁ ଚାଷୀମାନେ ଫସଲ ବୀମା କରିଥିଲେ ସେମାନେ ନିଜ ପଞ୍ଜୀକୃତ ନମ୍ବରରୁ ହେଲ୍ପଲାଇନ୍ ନମ୍ବର ‘୧୪୪୪୭’ରେ ଜଣାଇପାରିବେ। ସେମାନଙ୍କର କେତେ ଜମି ଥିଲା ଓ କେତେ ନଷ୍ଟ ହୋଇଛି, ଏହାର ବିବରଣୀ ଦେବା ସହ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ। ଯେଉଁମାନେ ପଞ୍ଜୀକୃତ ହୋଇନାହାନ୍ତି ଓ ଭାଗଚାଷୀମାନେ ଲିଖିତ ଆକାରରେ ନିଜ ନିଜ ଅଞ୍ଚଳର କୃଷି ଅଧିକାରୀ, ରାଜସ୍ବ ନିରୀକ୍ଷକ, ବିଡିଓ, ତହସିଲଦାର ଓ ଜନସେବା କେନ୍ଦ୍ର ଜରିଆରେ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ। ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାର ଅବଧିକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। ରବିବାର ରାତି ୧୨ଟା ସୁଦ୍ଧା ଚାଷୀମାନେ ନିଜ ନିଜ ବିବରଣୀ ପ୍ରଦାନ କରିବାକୁ ପୂର୍ବରୁ କୁହାଯାଇଥିଲା। ଏହାକୁ ସୋମବାର ମଧ୍ୟ ରାତି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ନୟାଗଡ଼, ଗଞ୍ଜାମ, ଗଜପତିରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
ଗୋଟିଏ ଦିନ ବଢ଼ିଲା କ୍ଷୟକ୍ଷତି ସୂଚନା ଦେବାର ଅବଧି
କ୍ଷତିପୂରଣ ପାଇଁ ଆବେଦନ କରିବାକୁ ଚାଷୀଙ୍କୁ ପରାମର୍ଶ
ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୟାଗଡ଼ ଜିଲ୍ଲାର ରଣପୁରକୁ ଯାଇଥିଲେ। ରଣପୁର ଜେଲ୍ ଛକ ନିକଟ ହେଲିପ୍ୟାଡରେ ଓହ୍ଲାଇବା ପରେ ମଝିଆଖଣ୍ଡ ଓ କାଣ୍ଡପଡ଼ା ଅଞ୍ଚଳର କିଛି ଚାଷ ଜମି ବୁଲି ଦେଖିଥିଲେ। ଏହାସହ ମହତପଲା, ବଳଭଦ୍ରପୁର ଓ ଲୋଧାଚୁଆ ପଞ୍ଚାୟତର ଚାଷୀ ବୁଧେଇ ବିଶ୍ବାଳ, ସୁଦାମ ଚରଣ ମାଝୀ, ଯୋଗେନ୍ଦ୍ର ଜେନା, ବସନ୍ତ ବେହେରା, ସାଧୁଚରଣ ମୁଦୁଲି, ଶ୍ୟାମସୁନ୍ଦର ମୁଦୁଲି, ରବି ନାରାୟଣ ବେହେରା, ଭଜକୃଷ୍ଣ ସାମନ୍ତରାୟ, ଦିଲୀପ ବଳିୟାର ସିଂହ, ସନ୍ତୋଷ ମହାନ୍ତି, ସୁଶାନ୍ତ ବାରିକ, ହୃଷୀକେଶ ଖୁଣ୍ଟିଆ ଓ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଲଗାଣ ବର୍ଷା ଯୋଗୁ ହୋଇଥିବା କ୍ଷତି ସମ୍ପର୍କରେ କହିଥିଲେ। ଏହି ସମୟରେ ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ବିଜେପି ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା, ସ୍ଥାନୀୟ ସରପଞ୍ଚ ମଧୁମିତା ତରେଇ, ସମିତି ସଭ୍ୟ ଜ୍ୟୋତି ରଂଜନ ବେହେରା ଓ ସଂଯୋଜକ ଦିଲୀପ ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ। ରଣପୁର ବ୍ଲକ୍ ମଝିଆଖଣ୍ଡ ପଞ୍ଚାୟତର ଡିମିରିଆ କଲେଜ ପରିସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ସାନ୍ତ୍ବନା ଦେଇଥିଲେ।
ଏହା ପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଭିମୁଖେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଓହ୍ଲାଇ ସେଠାରୁ ଗଉଞ୍ଜୁ ପଞ୍ଚାୟତର ଆରୁଆପଲ୍ଲୀ ନିକଟରେ ଥିବା ଚାଷଜମିକୁ ଯାଇଥିଲେ। ଫସଲ କ୍ଷୟକ୍ଷତି ଦେଖିବା ସହିତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ଅଧୀନ ନାଉଳି ଗାଁରେ ପହଞ୍ଚି ଚାଷୀ ରମେଶ ଗୌଡ଼ ଓ ଉଦୟ ଗୌଡ଼ଙ୍କ ଉଜୁଡ଼ି ଯାଇଥିବା କ୍ଷେତକୁ ଦେଖିଥିଲେ। ମହିଳା ଚାଷୀ କେ.ମୁତ୍ୟାଲୁ ରେଡ୍ଡୀଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ଭିଜା ଧାନ ଓ ଗଜା ହୋଇଥିବା ଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୀନ ଉପଲଡ଼ା, ଲିଙ୍ଗିପୁର ଏବଂ ଗୁରାଣ୍ଡି ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଗଜପତି ଜିଲ୍ଲାରୁ ଫେରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ କାର୍ଯ୍ୟାଳୟରେ ଜିଲାସ୍ତରୀୟ ଅଧିକାରୀଙ୍କୁ ନେଇ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ମନୋରଞ୍ଜନ ଦ୍ୟାନସାମନ୍ତରା, ସିଦ୍ଧାନ୍ତ ମହାପାତ୍ର, ନୀଳମଣି ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସରୋଜ ପାଢ଼ୀ ଏବଂ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାଦ୍ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଯାଞ୍ଚ୍ କରିଛନ୍ତି।