ଭୁବନେଶ୍ବର: କୁଷ୍ଠ ରୋଗରେ ସାଧାରଣଭାବେ ଚର୍ମରେ ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମରେ ସମ୍ବେଦନଶୀଳତା ହ୍ରାସ ପାଇଥାଏ। କିନ୍ତୁ କୁଷ୍ଠ କେବଳ ଚର୍ମରେ ଲକ୍ଷଣ ପ୍ରକାଶ ପାଇବାରେ ସୀମିତ ରହିନାହିଁ, ଚର୍ମରେ ବିନା ଲକ୍ଷଣରେ ବି ଏହା ଆଖି ଓ କାନ ସହ ସଂଯୋଗ କରୁଥିବା ସ୍ନାୟୁକୁ ପ୍ରଭାବିତ କରୁଛି। ଏମ୍ସ ଭୁବନେଶ୍ବର ପକ୍ଷରୁ ହୋଇଥିବା ଏହି ନୂଆ ଗବେଷଣାରେ ଏଭଳି ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଚର୍ମରେ କୌଣସି ପ୍ରକାର ଲକ୍ଷଣ ନ ରହିବା କାରଣରୁ ଲୋକମାନେ ଏହାକୁ କୁଷ୍ଠ ବୋଲି ବିଶ୍ବାସ କରିବାକୁ କୁଣ୍ଠାବୋଧ କରିଥାନ୍ତି। ଔଷଧ ଖାଇବାକୁ ମଧ୍ୟ ରାଜି ହୋଇ ନ ଥାନ୍ତି। ତେବେ ସ୍ନାୟୁ କୁଷ୍ଠ ଯେ କେତେ ମାରାତ୍ମକ ତାହା ନୂଆ ଗବେଷଣାରୁ ସ୍ପଷ୍ଟ ହୋଇଛି। ଭଲ ଚାଳିଚଳଣି ଥିବା ପରିବାରର ଅନେକ ଲୋକ ଏହି ସ୍ନାୟୁ କୁଷ୍ଠର ଶିକାର ହୋଇଥିବା ଗବେଷଣାରେ ଚିହ୍ନଟ ହୋଇଛି। ଯେତେଶୀଘ୍ର ସ୍ନାୟୁ କୁଷ୍ଠର ଚିହ୍ନଟ ହେବ ରୋଗକୁ ତୁରନ୍ତ ଭଲ କରିବା ଦିଗରେ ପଦକ୍ଷେପ ନିଆଯାଇପାରିବ ବୋଲି ଗବେଷଣାରତ ଡାକ୍ତର ସୂଚନା ଦେଇଛନ୍ତି।
ସ୍ନାୟୁ କୁଷ୍ଠକୁ ନେଇ ଏମ୍ସ ଭୁବନେଶ୍ବରର ନୂଆ ଗବେଷଣା
ପାଦରୁ ଗଳିପଡ଼ିବ ଚପଲ, ବଙ୍କା ହୋଇଥାଏ ହାତ ଆଙ୍ଗୁଠି
ନ୍ୟୁରୋଟିକ କୁଷ୍ଠ (ପିଏନ୍ଏଲ୍) ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶା ଭଳି ରାଜ୍ୟରେ ଦେଖିବାକୁ ମିଳିଥାଏ। ପଶ୍ଚିମ ରାଷ୍ଟ୍ରମାନେ ସ୍ନାୟୁଜନିତ କୁଷ୍ଠକୁ ଗ୍ରହଣ କରୁ ନ ଥିବା ବେଳେ ଭାରତ ସରକାର କିନ୍ତୁ ଏହି କୁଷ୍ଠକୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ୧୦ହଜାର ଜନସଂଖ୍ୟାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଲେ ଏହାକୁ ନିରାକରଣ ପର୍ଯ୍ୟାୟ ବୋଲି ଘୋଷଣା କରାଯାଇଥାଏ। କିଛିବର୍ଷ ପୂର୍ବରୁ ଓଡ଼ିଶାରେ କୁଷ୍ଠ ରୋଗ ନିରାକରଣ ନେଇ ଘୋଷଣା କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଥିଲା। କେନ୍ଦ୍ର ସରକାର ୨୦୩୦ ସୁଦ୍ଧା କୁଷ୍ଠ ନିରାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଏମ୍ସ ଭୁବନେଶ୍ବରେ ଏହି ଗବେଷଣା ପାଇଁ ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ପାଣ୍ଠି ପ୍ରଦାନ କରାଯାଇଥିଲା। ୨୦୨୦ରୁ ୨୦୨୩ ମସିହା ଭିତରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିବା ୭୬ଜଣଙ୍କୁ ଏଥିରେ ସାମିଲ କରାଯାଇଥିବା ବେଳେ ତହିଁରୁ ୪୯ଜଣଙ୍କଠାରେ ସ୍ନାୟୁ କୁଷ୍ଠ ରହିଥିବା ନଜରକୁ ଆସିଥିଲା। ସେମାନଙ୍କ ବୟସ ୧୪-୭୨ବର୍ଷ ଭିତରେ ରହିଛି। ଏସବୁ ରୋଗୀଙ୍କ ପାଦରୁ ଚପଲ ଗଳିପଡ଼ିବା ସହ ହାତ-ଆଙ୍ଗୁଠି ବଙ୍କା ହୋଇଯିବା ଭଳି ଲକ୍ଷଣ ରହିଥିଲା। ବିଭିନ୍ନ ପରୀକ୍ଷା ପରେ ସେମାନେ ସ୍ନାୟୁ କୁଷ୍ଠରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏହି ଗବେଷଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏମ୍ସ ଭୁବନେଶ୍ବର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡା.ସଞ୍ଜୀବ କୁମାର ଭୋଇ କହିଛନ୍ତି, ଏହି ଅଧ୍ୟୟନରୁ ସ୍ନାୟୁ କୁଷ୍ଠ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସେଣ୍ଟ୍ରାଲ ନର୍ଭସ ସିଷ୍ଟମ୍)କୁ ପ୍ରଭାବିତ କରୁଥିବା ଜଣାପଡ଼ିଛି। ଶରୀର ଚର୍ମରେ କୌଣସି ପ୍ରକାର ଲକ୍ଷଣ ନ ରହିବା କାରଣରୁ ଏଭଳି କୁଷ୍ଠ ଚିହ୍ନଟ ହୋଇ ପାରିନଥାଏ। ଯଦି କୌଣସି ରୋଗୀଙ୍କ କହୁଣୀ ବା ଆଣ୍ଠୁ ଚମଡ଼ା ମୋଟା ବିନା ଚର୍ମରେ କ୍ଷତ, ମାଂସପେଶୀରେ ଦୁର୍ବଳତା ପରି ସ୍ନାୟୁ ସମ୍ବନ୍ଧୀୟ ଲକ୍ଷଣ ପ୍ରକାଶ ପାଏ ତା ହେଲେ ଡାକ୍ତରମାନେ ସ୍ନାୟୁ ଅଧ୍ୟୟନକୁ ବିଚାରକୁ ନେବା ଉଚିତ।