ମାଲକାନଗିରି: ଜାପାନିଜ୍ ଏନସେଫାଲାଇଟିସ୍ ନାଁ ଶୁଣିଲେ ଏବେ ବି ଭୟଭୀତ ମାଲକାନଗିରି ଜିଲ୍ଲାବାସୀ। ୨୦୧୬ରେ ଏହି ରୋଗ ୫୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କ ଜୀବନ ନେଇଥିଲା। ଘଟଣା ପରେ ଘୁଷୁରି ପାଳନ ଉପରେ କଟକଣା ଜାରି କରିଥିଲା ପ୍ରଶାସନ। ହେଲେ ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଜିଲ୍ଲାର ଅଧିକାଂଶ ଘରେ ଏବେ ଗୋଟିଏ ସ୍ଥାନରେ ହିଁ ମଣିଷ ଓ ଘୁଷୁରି ରହୁଛନ୍ତି। ଯାହା ଜାପାନିଜ୍ ଏନ୍ସେଫାଲାଇଟିସ୍ ବ୍ୟାପିବାର ପୁଣି ଭୟ ସୃଷ୍ଟି କରିଛି। ଗରିବ ଶ୍ରେଣୀର ପରିବାର ପାଇଁ ଘୁଷୁରି ଆୟର ମୁଖ୍ୟ ଉତ୍ସ ହୋଇଥିବାରୁ ସ୍ଥିତି ବଦଳି ପାରୁନି।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ଜୀବନ ଜୀବିକା ପାଇଁ ଜିଲ୍ଲାର ୮୦ ପ୍ରତିଶତ ଲୋକ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ସଂପ୍ରଦାୟର ଲୋକ ୧୨ ମାସରେ ୧୩ ପର୍ବ ପାଳନ କରନ୍ତି। ଆଦିବାସୀ ବିଶେଷ କରି ଗୃହପାଳିତ ପଶୁ ଉପରେ ଅଧିକ ନିର୍ଭର କରିଥାନ୍ତି। ସେଥି ମଧ୍ୟରୁ ଘୁଷୁରି ଅନ୍ୟତମ। ଗାଁଗୁଡ଼ିକରେ ପ୍ରାୟତଃ ସମସ୍ତେ ଘରେ ଘୁଷୁରି ପାଳୁଥିବା ଦେଖିବାକୁ ମିଳେ। ଲୋକେ ଗାଈ ଅପେକ୍ଷା ଘୁଷୁରିର ଅଧିକ ଯତ୍ନ ନିଅନ୍ତି। କାରଣ ଏହା ସେମାନଙ୍କ ଖାଦ୍ୟ, ପର୍ବପର୍ବାଣି, ଯାନିଯାତ୍ରା ଓ ବିବାହ ସହ ଅଙ୍ଗାଙ୍ଗି ଭାବେ ଜଡ଼ିତ। ପ୍ରତ୍ୟେକ କ୍ଷେତ୍ରରେ ଘୁଷୁରି ମାଂସ ହିଁ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥାଏ।
ଗୋଟିଏ ସ୍ଥାନରେ ଘୁଷୁରି ଓ ମଣିଷ
୨୦୧୬ରେ ୫୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କ ଯାଇଥିଲା ଜୀବନ
ଗାଁଗୁଡ଼ିକରେ ଅତି ଗରିବ ଆଦିବାସୀ ଲୋକେ ନିଜ ଘରେ ଘୁଷୁରି ପାଳିବା ସହ ନିଜେ ସେହି ଘରେ ରହୁଛନ୍ତି। ତେବେ ଏହି ଘୁଷୁରି ଦିନେ ସେମାନଙ୍କ ପାଇଁ ବିପଦର କାରଣ ହେବ ତାହା କେବେ ମଧ୍ୟ ଭାବି ନାହାନ୍ତି। ଘୁଷୁରି ଯୋଗୁ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ବ୍ୟାପିଥିଲା। ୨୦୧୬ ମସିହାରେ ୫୦୦ରୁ ଉର୍ଦ୍ଧ୍ବ ଶିଶୁଙ୍କ ଜୀବନ ଏହି ରୋଗ ନେଇଥିଲା। ଯାହା ଏବେ ବି ଭାବିଲେ ଛାତି ଥରି ଉଠୁଛି। କିନ୍ତୁ ଜିଲ୍ଲାରେ ଆଦିବାସୀଙ୍କ ରୋଜଗାର କହିଲେ ଘୁଷୁରି ପାଳନ ହିଁ ମୁଖ୍ୟ ଚାଷ ହୋଇଛି। ନିଜର ସ୍ବଳ୍ପ ଜମିରେ ଅଳ୍ପ କିଛି ଧାନ, ମାଣ୍ଡିଆ ଓ ସୁଆଁ ଆଦି ଚାଷ କରୁଛନ୍ତି। ଶିକ୍ଷା ଓ ସଚେତନତାରୁ ଏମାନେ ବହୁ ଦୂରରେ ଥିବାରୁ ଅବହେଳିତ ହୋଇ ରହିଛନ୍ତି। ଘୁଷୁରି ଯୋଗୁ ଅଜଣା ରୋଗର ଶିକାର ହେଉଛନ୍ତି। ତଥାପି ଘୁଷୁରିକୁ ଅଲଗା ରଖିବାକୁ ଚାହୁନାହାନ୍ତି। ୨୦୧୬-୧୭ରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ବ୍ୟାପିବା ପରେ ବହୁ ଘୁଷୁରିଙ୍କୁ ହତ୍ୟା କରାଯାଇଥିଲା। ଫଳରେ ବହୁ ଗରିବ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିଲା। ଆଜି ବି ଅନେକ ପରିବାର ପୁରପଲ୍ଲୀରେ ଘୁଷୁରି ମାଂସକୁ ଶୁଖାଇ ଘରେ ଟାଙ୍ଗିଥିବା ଦେଖିବାକୁ ମିଳୁଛି। ଯାହା ପରବର୍ତ୍ତୀ ସମୟରେ ଝାଡ଼ାବାନ୍ତି ଭଳି ସଂକ୍ରାମକ ରୋଗ ବ୍ୟାପିବାର ମୁଖ୍ୟ କାରଣ ହୋଇଛି।