ହାଇଦ୍ରାବାଦ: ହାଇଦ୍ରାବାଦରେ ବସବାସ କରୁଥିବା କନ୍ନଡ଼ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ଗଚିବୋଭଲିର ଶ୍ରୀରାମ କଲୋନିର ଘରୁ କନ୍ନଡର ଟେଲିଭିଜନ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଛି।
ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ପଡ଼ିଶା ଲୋକଙ୍କ ସୂଚନା କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଶୋଭିତାଙ୍କ ମୃତ୍ୟୁକୁ ଅନେକ ପ୍ରଶ୍ନବାଚୀ ସ୍ୟଷ୍ଟି ହୋଇଛି। ଯେମିତି କି ଶୋଭିତାଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ ସୁଧୀର କେଉଁଠାରେ ଥିଲେ? ଏପର୍ଯ୍ୟନ୍ତ ସେ କାହିଁକି ସାମ୍ନାକୁ ଆସି ନାହାନ୍ତି।
ବିବାହ ପରେ ଶୋଭିତା ମନୋରଞ୍ଜନ ଶିଳ୍ପଠାରୁ ଦୂରରେ ଯାଇ ସ୍ୱାମୀ ସୁଧୀରଙ୍କ ସହ ହାଇଦ୍ରାବାଦରେ ରହୁଥିଲେ। ଶୋଭିତା ଉଭୟ ଟେଲିଭିଜନ ଓ ସିନେମାରେ କାମ କରିଛନ୍ତି।
ହାଇଦ୍ରାବାଦର ଗଚିବୋଭଲି ପୁଲିସ ଏକ ମାମଲା ରୁଜୁ କରି ଅଭିନେତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଶୋଭିତାଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀଙ୍କ ବୟାନ ରେକର୍ଡ କରୁଛି। ଯାଞ୍ଚ ଓ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଲେ ଯାଇ ଶୋଭିତାଙ୍କ ମୃତ୍ୟୁର କାରଣ କ’ଣ ସେ ବିଷୟରେ କିଛି ତଥ୍ୟ ମିଳି ପାରିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।