Saturday, January 11, 2025
Home Latest ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା: ରାଷ୍ଟ୍ରପତି

ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା: ରାଷ୍ଟ୍ରପତି

by
0 comment

ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା: ରାଷ୍ଟ୍ରପତି

୯୬ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ବଳ୍ପ ଜୀବନକାଳ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁସବୁ କାର୍ଯ୍ୟ କରିଛନ୍ତି, ତା’ର ମୂଲ୍ୟାୟନ ସମ୍ଭବ ନୁହେଁ। ତାଙ୍କପରି ଜଣେ ମହାମନୀଷୀଙ୍କ ଆଦର୍ଶରେ ଉତ୍ତରପିଢ଼ି ଅନୁପ୍ରାଣିତ ହୋଇ ଜାତି-ଦେଶପ୍ରେମ ପ୍ରଜ୍ବଳିତ କରିପାରିଲେ, ତାହା ସେହି ମହାନ ପୁରୁଷଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଜୟଦେବ ଭବନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଲେ, ଗୋପବନ୍ଧୁଙ୍କ ସମଗ୍ର ଜୀବନ ଦେଶବାସୀଙ୍କ ପାଇଁ ସମର୍ପିତ ଥିଲା। ବ୍ୟକ୍ତିସ୍ବାର୍ଥ ଅପେକ୍ଷା ସମୂହ ସ୍ବାର୍ଥକୁ ସେ ଗୁରୁତ୍ବ ଦେଉଥିଲେ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ କହିଲେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଗୋପବନ୍ଧୁ ପ୍ରଭାବିତ ହୋଇଥିଲେ। ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ସେ ଥିଲେ ସାରଥି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଏକ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଗୋପବନ୍ଧୁ ଥିଲେ ସାମାଜିକ ଚେତନାର ବାର୍ତ୍ତାବହ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବଙ୍କ ବିକାଶ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାର ଅସ୍ମିତା ଓ ପ୍ରଗତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଗୋପବନ୍ଧୁ ତାଙ୍କ ସମଗ୍ର ଜୀବନକୁ ଜନକଲ୍ୟାଣରେ ବିନିଯୋଗ କରିଥିଲେ। ବାଲ୍ୟକାଳରୁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ସମାଜକୁ ସର୍ବସ୍ୱ ସମର୍ପିତ କରିଥିଲେ। ୨୦୩୬ର ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଅଗ୍ରସର ହେଉଥିବାବେଳେ ଗୋପବନ୍ଧୁଙ୍କ ପରି ଅମୂଲ୍ୟ ବ୍ୟକ୍ତିଙ୍କ ବୌଦ୍ଧିକ ସମ୍ପଦ ଓ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବାର ପ୍ରାସଙ୍ଗିକତା ରହିଥିବା ଶ୍ରୀ ପ୍ରଧାନ କହିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜକୁମାର ଚୋପ୍ରା କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ଗୋପବନ୍ଧୁ ଥିଲେ ଓଡ଼ିଶାର ଗାନ୍ଧୀ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଭାଷା ଓ ଶିକ୍ଷାର ବିକାଶ ପାଇଁ ସେ ସାରା ଜୀବନ ସମର୍ପିତ ଥିଲେ। ସ୍ବାଗତ ଭାଷଣ ଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କହିଲେ, ଗୋପବନ୍ଧୁଙ୍କ ପରି ମହାମନୀଷୀଙ୍କ ପାଇଁ ଏ ଜାତି ଗର୍ବିତ। ତାଙ୍କୁ ମରଣୋତ୍ତର ଭାରତରତ୍ନ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ସେ ନିବେଦନ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବିଦ୍ୟାର୍ଥୀଙ୍କୁ ଅନ୍‌ଲାଇନରେ ଡ. ରାଧାନାଥ ରଥ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ମୃତ୍ୟୁଞ୍ଜୟ ରଥ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od