Monday, February 24, 2025
Home ବିଶେଷ ଗାଈଙ୍କୁ ଚରାଇବାକୁ ନେବ ସ୍ବାଗ୍‌ବଟ୍‌

ଗାଈଙ୍କୁ ଚରାଇବାକୁ ନେବ ସ୍ବାଗ୍‌ବଟ୍‌

by
0 comment

ଆପଣମାନେ ଗାଈଚରାଳିଙ୍କ କଥା ଶୁଣିଥିବେ। ସେମାନେ ଲୋକଙ୍କ ଗୁହାଳରୁ ଗାଈ ନେଇ ପାଖ ଜଙ୍ଗଲ ଅଥବା ନଈକୂଳିଆ ପଡ଼ିଆରେ ଚରାନ୍ତି ଏବଂ ସଞ୍ଜରେ ଫେରିଆସନ୍ତି। ଏବେ କିନ୍ତୁ ଏ କାମ କରିବାକୁ ପ୍ରସ୍ତୁତ ହୋଇଗଲାଣି ରୋବଟ୍‌। ଅଷ୍ଟ୍ରେଲିଆର ସିଡ୍‌ନି ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ବିକଶିତ ‘ସ୍ବାଗ୍‌ବଟ୍‌’ ବିଶ୍ବର ପ୍ରଥମ ରୋବଟ୍‌ ଗାଈଚରାଳି। ୨୦୧୬ ମସିହାରେ ପ୍ରଥମ କରି ଗୋଚାରଣରେ ନିୟୋଜିତ ହୋଇଥିବା ଏହି ଚାରିଚକଯୁକ୍ତ ସ୍ବୟଂଚାଳିତ ଯାନ୍ତ୍ରିକ ଗୋଚରାଳିର କାର୍ଯ୍ୟଶୈଳୀ ଆଶାଠାରୁ ଯଥେଷ୍ଟ ଅଧିକ ଉପାଦେୟ ବୋଲି ପ୍ରମାଣିତ ହୋଇଛି। ପ୍ରଥମେ ଏହା ଅସମତଳ ତଥା ଅଙ୍କାବଙ୍କା ଭୂଭାଗରେ ଚଳପ୍ରଚଳ କରିବା ପାଇଁ ସମର୍ଥ ଥିଲା ବେଳେ ଏବେ ସେଥିରେ ବିଭିନ୍ନ ପ୍ରକାର ସେନ୍‌ସର୍‌, କୃତ୍ରିମ ବୁଦ୍ଧିମତା(ଏଆଇ) ଜ୍ଞାନକୌଶଳ ଓ  ମେସିନ୍‌ ଲର୍ଣ୍ଣିଂ ପ୍ରଣାଳୀ ଖଞ୍ଜାଯାଇଛି। ଫଳରେ ଏହି ବ୍ୟାଟେରିଚାଳିତ ରୋବଟ୍‌ ଗୋଚରାଳି  ବିଭିନ୍ନ ଚାରଣଭୂଇଁର ପ୍ରକାର ଭେଦ, ସୁସ୍ଥତା ଓ ଘନତା ପରଖି ପାରିବା ସହ ଗୋସମ୍ପଦର ସ୍ବାସ୍ଥ୍ୟ ମଧ୍ୟ ନିରୀକ୍ଷଣ କରିପାରୁଛି। ତ‌ା’ପରେ ଏହା ଗାଈପଲକୁ ସର୍ବୋତ୍ତମ ଚରାଭୂଇଁକୁ ଅଡ଼ାଇନେଉଛି। ଫଳରେ ଗୋରୁମାନେ ପରିପୁଷ୍ଟ ତୃଣ ପାଇପାରିବା ସହ ମାତ୍ରାଧିକ ଚାରଣଜନିତ ମୃତ୍ତିକା ମାନ ହ୍ରାସ ମଧ୍ୟ ରୋକାଯାଇପାରୁଛି। ଏଥିସହିତ ଗୋସମ୍ପଦ ସମ୍ପର୍କିତ ସମସ୍ତ ସୂଚନା ମଧ୍ୟ ଏହି ‘ସ୍ବାଗ୍‌ବଟ୍‌’ ତାହାର ମାଲିକଙ୍କ ପାଖକୁ ପଠାଇପାରୁଛି।

ଉଲ୍ଲେଖଯୋଗ୍ୟ, ବିଶ୍ବର ଅନ୍ୟତମ ସର୍ବାଧିକ ଗୋମାଂସ ଚାଲାଣକାରୀ ଅଷ୍ଟ୍ରେଲିଆରେ ପାଖାପାଖି ୩ କୋଟି ଗୋରୁଙ୍କୁ ଲାଳନପାଳନ କରାଯାଇଥାଏ। ତେବେ ସେମାନଙ୍କ ପାଇଁ ଉପଲବ୍‌ଧ ଚରାଭୂଇଁ ବେଳେ ବେଳେ ମାତ୍ରାଧିକ ଶୁଷ୍କ ହେବା ସହ ତାହା ଦୁର୍ବଳ ତୃଣଯୁକ୍ତ ତଥା ଚାରଣ ଅନୁପଯୋଗୀ ହୋଇପଡୁଛି। ତେଣୁ ପଶୁପାଳକମାନେ ନିରନ୍ତର ନିଜ ଜମିରେ କେତେ ପଶୁପାଳନ କରିବେ ତାହା ଆକଳନ କରିଥା’ନ୍ତି, ମାତ୍ର ଏହି ଗୃହପାଳିତ ପଶୁମାନେ ବିଶାଳ ଆବଦ୍ଧ କ୍ଷେତ୍ରରେ କୁଆଡ଼େ ଚରିବେ ତାହା ଉପରେ ସେମାନଙ୍କର କ୍ବଚିତ୍‌ ନିୟନ୍ତ୍ରଣ ଥାଏ। ଅପରପକ୍ଷେ, ଗୋଟିଏ ସ୍ଥାନରେ ମାତ୍ରାଧିକ ଚାରଣ ହେଲେ, ତାହା ମୃତ୍ତିକା ମାନ ଦୁର୍ବଳ କରିଦେବ, ଯାହା ଉଦ୍ଭିଦ ଓ ଜୀବଜନ୍ତୁଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏବେ ପଶୁପାଳକମାନଙ୍କୁ ବିଭିନ୍ନ ଚାରଣ ଭୂମି ସମ୍ପର୍କରେ ‘ସ୍ବାଗ୍‌ବଟ୍’ ଅବଗତ କରାଇପାରୁଛି ଏବଂ ପ୍ରାଣୀମାନଙ୍କୁ ଉନ୍ନତ ତଥା ପୁଷ୍ଟିକର ତୃଣଭୂମି ଆଡ଼କୁ ଅଡ଼ାଇ ନେଉଛି। ଏହାଦ୍ବାରା ଅପେକ୍ଷାକୃତ ଅଧିକ ପୁଷ୍ଟିକର ଖାଦ୍ୟ ଲୋଡୁଥିବା ଗର୍ଭବତୀ ପ୍ରାଣୀମାନେ ବି ଉପକୃତ ହୋଇପାରୁଛନ୍ତି। ଅଷ୍ଟ୍ରେଲିଆ ପରି ଦେଶରେ ଯେଉଁଠି ବୃହତ୍‌ ପଶୁପାଳକମାନେ ସେମାନଙ୍କ ପାଳିତ ପଶୁଙ୍କୁ ଅଧିକ ଖାଦ୍ୟ ଯୋଗାଇବା ଲାଗି ଦୂରଦୂରାନ୍ତ ଅପନ୍ତରା ସ୍ଥାନରେ ଚରାଇବା ପାଇଁ ଲୋକଙ୍କୁ ଭଡ଼ାରେ ଆଣି ନିୟୋଜିତ କରିଥା’ନ୍ତି, ସେଠି ଏହି ‘ସ୍ବାଗ୍‌ବୋଟ୍‌’ର ଚାହିଦା ଯଥେଷ୍ଟ ବେଶୀ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od