ଖୋଲୁଛି ବହୁରୂପୀ ଦୁହ୍ଲେ ରାଜାର ଗୁମର: ପାଇଲଟ୍ରୁ କର୍ପୋରେଟ୍ ହେଡ୍ ଯାଏଁ
କୋରାପୁଟରୁ ପୁଣି ୨ କାର୍ ଜବତ, ମହିଳାଙ୍କ ସହ ମିଠାମିଠା ଚାଟ୍
ଭୁବନେଶ୍ବର: ମାଟ୍ରିମୋନି ସାଇଟ୍ରେ ଗୁଇନ୍ଦା ଅଧିକାରୀ ପରିଚୟ ଦେଇ କମ୍ ବୟସର ବିଧବା ଓ ସ୍ବାମୀ ପରିତ୍ୟକ୍ତା(ଚାକିରିଆ ବା ପଇସାବାଲା)ଙ୍କୁ ବିବାହ ବାହାନାରେ ଫସାଇ ଲୁଟୁଥିବା ମହାଧୂର୍ତ୍ତ ସତ୍ୟଜିତ୍ ସାମଲର କଳା କାରନାମା ପଦାକୁ ଆସିବାରେ ଲାଗିଛି। ଅପରେସନ୍ ‘ଦୁହ୍ଲେ ରାଜା’ରେ ଗିରଫ ହୋଇଥିବା ସତ୍ୟଜିତ୍ର ଭାନୁମତି ପେଡ଼ି ପେଟରାକୁ ଯେତିକି କମିସନରେଟ୍ ପୁଲିସ ଯେତିକି ଘାଣ୍ଟୁଛି, ସେତିକି ରୋଚକପୂର୍ଣ୍ଣ ତଥ୍ୟ ମିଳୁଛି। କେବଳ ଗୁଇନ୍ଦା ଅଧିକାରୀ(ଆଇବି ଅଫିସର) ନୁହେଁ, ଆହୁରି ବଡ଼ବଡ଼ ପଦ ପଦବିର ଛଦ୍ମବେଶରେ ସେ ମହିଳାମାନଙ୍କୁ ଫସାଉଥିବା ତଦନ୍ତରୁ ଜଣାପଡ଼ିଛି। ବହୁରୂପୀ ସତ୍ୟଜିତ୍ ନିଜକୁ କେତେବେଳେ ପାଇଲଟ୍ ତ କେତେବେଳେ କର୍ପୋରେଟ୍ ହେଡ୍ ବୋଲି କହୁଥିଲା। କାହାକୁ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ତ କାହାକୁ ସିବିଆଇ ଅଧିକାରୀ ବୋଲି କହି ଭୁଆଁ ବୁଲାଉଥିଲା। ଏତିକି ସବୁ ତଥ୍ୟ ତା’ଠାରୁ ଜବତ ୩ ମୋବାଇଲ୍ରୁ ହିଁ ପୁଲିସକୁ ମିଳିଛି। ତେଣୁ ତା’ର ପୂରା ଇତିହାସକୁ ଲୋକଲୋଚନରେ ରଖିବା ଲାଗି ତାକୁ ୧୦ ଦିନିଆ ରିମାଣ୍ଡ୍ରେ ଆଣିବାକୁ ପୁଲିସ ଯୋଜନା କରୁଛି। ଆଜି କ୍ୟାପିଟାଲ୍ ଥାନାରେ ଡିସିପି ପ୍ରତୀକ ସିଂ ସତ୍ୟଜିତ୍ର ଖେଳ ଉପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟରୁ ପୁଣି ୨ କାର୍ ଜବତ
ମହିଳାଙ୍କ ସହ ମିଠାମିଠା ଚାଟ୍
୧୦ଦିନିଆ ରିମାଣ୍ଡ୍ ପାଇଁ ଯୋଜନା
ସତ୍ୟଜିତ୍ ବିବିଏ ଡିଗ୍ରି ହାସଲ କରିବା ସହ ହୋଟେଲ୍ ମ୍ୟାନେଜ୍ମେଣ୍ଟ ପାସ୍ କରିଛି। ସେ କିଛି ଦିନ ଦୁବାଇ ଓ ସାଉଦି ଆରବରେ ମଧ୍ୟ କାମ କରିଛି। ତେଣୁ ହାଇପ୍ରୋଫାଇଲ୍ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରିବା ଓ ସେମାନଙ୍କ ଚାଲିଚଳଣକୁ ନକଲ କରିବାରେ ତା’ର କୌଣସି ସମସ୍ୟା ନଥିଲା। ତେଣୁ ମହିଳାମାନଙ୍କୁ ଫସାଇବା ବେଳେ ସେ ନିଜକୁ ବଡ଼ବଡ଼ ପଦ ପଦବିରେ ଅଧିଷ୍ଠିତ ବୋଲି କହୁଥିଲା। ପୁଲିସ ତା’ର ହ୍ବାଟସ୍ଆପ୍ ଚାଟ୍ ଓ ମାଟ୍ରିମୋନିଆଲ୍ ପ୍ରୋଫାଇଲ୍ରୁ ଜାଣିବାକୁ ପାଇଛି ଯେ ସେ ନିଜକୁ ରିଆଦ୍ର ଏକ ଘରୋଇ ଏୟାର୍ବସ୍ ସଂସ୍ଥାରେ ପାଇଲଟ୍ ଥିବା ଦର୍ଶାଇଛି। ସେହିଭଳି ଅନ୍ୟ ଜଣଙ୍କୁ ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ରାହୁଲ୍ କୁମାର ବୋଲି କହିଛି। ତା’ ସହ ଯୋଗାଯୋଗରେ ଥିବା ପାଖାପାଖି ୪୯ ମହିଳାଙ୍କୁ ସେ କେତେବେଳେ ଆଇବି ଅଧିକାରୀ ତ କେବେ ପୁଣି ସିବିଆଇ ଅଫିସର୍ ବୋଲି କହିଛି। ସେମିତି କିଛି ମହିଳାଙ୍କୁ ବିଦେଶୀ କର୍ପୋରେଟ୍ କମ୍ପାନିର ହେଡ୍ ବୋଲି କହିଛି। ସାଉଦି ଆରବରେ ‘କୋଷ୍ଟା କଫି’ରେ ସେ ମ୍ୟାନେଜର୍ ବୋଲି କିଛି ମହିଳାଙ୍କୁ କହିଛି। ତା’ ଲଭ୍ ଲିଷ୍ଟ୍ରୁ ପୁଲିସ ଆଜି ୧୧ ମହିଳାଙ୍କ ସହ ଯୋଗାଯୋଗ କରିଛି। ସେମାନଙ୍କ ମଧ୍ୟରୁ ବହୁ ମହିଳାଙ୍କଠାରୁ କିଛି ନା କିଛି ଟଙ୍କା ନେଇଥିବା ଜଣାପଡ଼ିଛି। କାର୍ କିସ୍ତି ଦେବା ପାଇଁ ଜଣେ ମହିଳାଙ୍କଠାରୁ ୪୦ ହଜାର ଟଙ୍କା ନେଇଛି। ମହିଳାମାନଙ୍କ ସହ ତା’ର ମିଠାମିଠା ଚାଟ୍ରୁ ପୁଲିସକୁ ଏମିତି ବହୁ ରୋଚକପୂର୍ଣ୍ଣ ତଥ୍ୟ ସବୁ ମିଳିଛି।
ଆଜି ପୁଲିସ କୋରାପୁଟର ଏକ ଟ୍ରାଭେଲ୍ ଏଜେନ୍ସିରୁ ୨ଟି କାର୍ ଜବତ କରିଛି। ଗୋଟିଏ ନାଲି ରଙ୍ଗର ବାଲେନୋ ଓ ଅନ୍ୟଟି ଧଳାରଙ୍ଗର ହ୍ୟୁଣ୍ଡାଇ ‘ଅରା’ ଜବତ କରାଯାଇଛି। ଗୋଟିଏ ତା’ ନିଜ ନାଁରେ ଓ ଅନ୍ୟଟି ଜଣେ ମହିଳାଙ୍କ ନାଁରେ ରହିଛି। ଗିରଫ ବେଳେ ତା’ ନିକଟରୁ ୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଥିଲା ଏବଂ ୩ ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୧ ଲକ୍ଷ ୭୫ ହଜାର ଟଙ୍କାକୁ ଫ୍ରିଜ୍ କରାଯାଇଥିଲା। ମାତ୍ର ୨ ମହିଳାଙ୍କ ଅଭିଯୋଗ ଆଧାରରେ ତାକୁ ଗିରଫ କରାଯାଇଛି ଏବଂ ପାଖାପାଖି ୫୦ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି। ତେଣୁ ପ୍ରାୟ ୪୯ ମହିଳା ତା’ ସହ ଯୋଗାଯୋଗରେ ଥିବାରୁ ଏହି ଠକେଇର ପରିମାଣ କୋଟିଏ ଟପିବା ସମ୍ଭାବନା ରହିଛି। ଏଥିପାଇଁ ତାକୁ ରିମାଣ୍ଡରେ ଆଣି ତା’ର ଆର୍ଥିକ କାରବାରର ତଦନ୍ତ କରାଯିବ। ଅଧିକ ତଥ୍ୟ ହାତେଇବା ପାଇଁ ପୁଲିସ ସାଦି ଡଟ୍ କମ୍ ଭଳି ବିଭିନ୍ନ ମାଟ୍ରିମୋନି ସାଇଟ୍କୁ ତା’ ବାବଦ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଡ଼ମଲ୍ଲୀପୁରର ସତ୍ୟଜିତ୍ ମାଟ୍ରିମୋନି ସାଇଟ୍ରେ ଯୋଡ଼ିହୋଇ ମହିଳାମାନଙ୍କୁ ଫସାଉଥିଲା। ଠିକ୍ ସମାନ ତରିକାରେ କମିସନରେଟ୍ ପୁଲିସର ଜଣେ ମହିଳା ଏସ୍ଆଇ ତାକୁ ଫସାଇଥିଲେ।