Friday, January 10, 2025
Friday, January 10, 2025
Home Latest ଖସୁନି ଆଳୁ ଦର, ଖାଉଟି ହନ୍ତସନ୍ତ

ଖସୁନି ଆଳୁ ଦର, ଖାଉଟି ହନ୍ତସନ୍ତ

by
0 comment

ଖସୁନି ଆଳୁ ଦର, ଖାଉଟି ହନ୍ତସନ୍ତ

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଖସିବାର ନାଁ ଧରୁନି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଦରରେ କୌଣସି ପ୍ରକାର ସୁଧାର ଆସୁନାହିଁ। ବରଂ ଆଳୁ କେଜି ୫୦ ଟଙ୍କା ଛୁଇଁଲାଣି। ଆଳୁର ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଳୁକୁ ନେଇ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ
ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଲୋକଙ୍କ ଥାଳିରୁ ଆଳୁ କମିଗଲାଣି। ଗତ ୪ଦିନ ହେବ ଓଡ଼ିଶାକୁ ଆଳୁ ଗାଡ଼ି ଆସୁନାହିଁ। ତେଣୁ ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଆଜି ପଶ୍ଚିମବଙ୍ଗରୁ ପ୍ରାୟ ୧୫ଟି ଆଳୁ ଗାଡ଼ି ଭୁବନେଶ୍ବର ଆଳୁ ଗଦିରେ ପହଞ୍ଚିଛି। ଯଦିଓ ଏହା ଯୋଗୁଁ ଆଳୁ ଦରରେ ବଡ଼ ଧରଣର ପରିବର୍ତ୍ତନ ହେବନାହିଁ, ମାତ୍ର ବଜାରରେ ଆଳୁର ଅଭାବକୁ ଦୂର କରିବ ବୋଲି ଆଶା। ରାଜ୍ୟରେ ଆଳୁ ସଂକଟ ଦୂର କରିବା ପାଇଁ ସରକାର କେତେବେଳେ ପଶ୍ଚିମବଙ୍ଗ ଓ ପଞ୍ଜାବ କହୁଛନ୍ତି, ମାତ୍ର ଆଳୁ ଦର କେବେ ସ୍ବାଭାବିକ ହେବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିପରି ଚଢ଼ା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଥିଲେ। ହେଲେ ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଲାଗି କଥାବାର୍ତ୍ତା ଚାଲିଛି। ଦିନେ କିମ୍ବା ୨ଦିନ ଭିତରେ ଓଡ଼ିଶାରେ ଆଳୁ ଭର୍ତ୍ତି ହୋଇଯିବ। ଆଳୁରେ ଓଡ଼ିଶା ଆତ୍ମନିର୍ଭର ନୁହେଁ। ରାଜ୍ୟରେ ୩ଲକ୍ଷ କ୍ବିଣ୍ଟାଲ ଆଳୁ ଉତ୍ପାଦନ ହେଉଥିବା ବେଳେ ୧୩ଲକ୍ଷ କ୍ବିଣ୍ଟାଲର ଆବଶ୍ୟକତା ରହିଛି। ୧-୨ବର୍ଷ ଭିତରେ ଓଡ଼ିଶାରେ ଆଳୁରେ ଆତ୍ମନିର୍ଭର ହେବ। ଆଳୁର ଏଭଳି ଅଭାବ ବର୍ତ୍ତମାନର ସରକାର କରିନାହାନ୍ତି। ଯେଉଁ ସରକାର ୨୪-୨୫ବର୍ଷ ଧରି ଶାସନରେ ରହିଥିଲା ତାଙ୍କ ଉପରୁ ଧ୍ୟାନ ହଟାଇଲେ ହେବ ନାହିଁ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକ୍‌ମାନଙ୍କୁ ହଇରାଣ କରାଯାଉଛି। ହୁଏତ ଭାଇ କହିଥିବେ ଓ ଭଉଣୀ ଏମିତି କରିଥିବେ ବୋଲି ଶ୍ରୀ ପାତ୍ର କହିଛନ୍ତି। ସେହିପରି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଗତକାଲି ପଶ୍ଚିମବଙ୍ଗ ସରକାରଙ୍କ ସହ ସ୍ଥାନୀୟ ବ୍ୟବସାୟୀ, ଶୀତଳ ଭଣ୍ଡାର ମାଲିକ ଓ ଚାଷୀଙ୍କ ଏକ ବୈଠକ ବସିଥିଲା। ଓଡ଼ିଶାକୁ ଆସିବାକୁ ଥିବା ଆଳୁ ଦର, ସରକାର କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ସ୍ଥିର କରିଛନ୍ତି। ହେଲେ ବ୍ୟବସାୟୀମାନେ ଏହି ଦରକୁ ନେଇ ସନ୍ତୁଷ୍ଟ ନୁହନ୍ତି। ଆଜି ସକାଳୁ ୩ଟି ଗାଡ଼ି ପଶ୍ଚିମବଙ୍ଗ ଓ ଗୋଟିଏ ଗାଡ଼ି ଉତ୍ତରପ୍ରଦେଶରୁ ଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ଟି ଗାଡ଼ି ଆସିଥିବା ସୂଚନା ମିଳିଛି। ସରକାରୀ ସ୍ତରରେ ନାଫେଡ୍‌ ମାଧ୍ୟମରେ ଆଳୁ ଆଣିବା ଲାଗି ଉଦ୍ୟମ ହେଉଥିବା ସୂଚନା ମିଳିଛି। ତେଣୁ ଆସନ୍ତା ୨-୩ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ସରକାର ଖୁଚୁରା ଦର କେତେ ହେବ ତାହା ନିର୍ଣ୍ଣୟ କରିବା ଦରକାର। ରାଜ୍ୟରେ ଶୀତଳ ଭଣ୍ଡାରରେ ୧୭ହଜାର ଟନ୍ ଆଳୁ ରହିଥିଲା, ଏବେ ଆଉ ୧୫-୧୬ହଜାର ଟନ୍ ମହଜୁଦ ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅପରପକ୍ଷରେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା। ଶ୍ରୀ ବେହେରା କହିଛନ୍ତି, ରାଜ୍ୟରେ ଆଳୁ ଏକ ଅପରିହାର୍ଯ୍ୟ ପରିବା। ଆଳୁ ଯେଉଁଠାରୁ ବି ଆସୁ, ରାଜ୍ୟବାସୀ ତାହାକୁ ପାଇବା ଦରକାର। ଏହାର ଦାୟିତ୍ବ ଯୋଗାଣ ବିଭାଗର। ମନ୍ତ୍ରୀ ସିନା ଦିନେ ଦୁଇ ଦିନ କଥା କହୁଛନ୍ତି, ମାତ୍ର ପରିସ୍ଥିତି ଏଠି ଗମ୍ଭୀର ହେଲାଣି। ଆଗକୁ ଯେପରି ଏଭଳି ସମସ୍ୟା ନ ହୁଏ ସେଥିପାଇଁ ଏକ ସ୍ଥାୟୀ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od