Tuesday, January 14, 2025
Tuesday, January 14, 2025
Home Latest କାର୍ଯ୍ୟକ୍ଷମ ହେଲା ବିଡିଏ ଷ୍ଟ୍ରିଟ୍‌ ଡିଜାଇନ୍‌ ରେଗୁଲେସନ୍‌ସ୍‌-୨୦୨୪

କାର୍ଯ୍ୟକ୍ଷମ ହେଲା ବିଡିଏ ଷ୍ଟ୍ରିଟ୍‌ ଡିଜାଇନ୍‌ ରେଗୁଲେସନ୍‌ସ୍‌-୨୦୨୪

by
0 comment

କାର୍ଯ୍ୟକ୍ଷମ ହେଲା ବିଡିଏ ଷ୍ଟ୍ରିଟ୍‌ ଡିଜାଇନ୍‌ ରେଗୁଲେସନ୍‌ସ୍‌-୨୦୨୪

କୌଣସି ସିଡିପି ଶତ ପ୍ରତିଶତ ସଫଳ ହୋଇନାହିଁ

ଭୁବନେଶ୍ୱର: ବିଡିଏ ଷ୍ଟ୍ରିଟ୍‌ ଡିଜାଇନ୍‌ ରେଗୁଲେସନ୍‌ସ୍‌-୨୦୨୪ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି। ପ୍ରସ୍ତୁତ ହୋଇଥିବା ସିଡିପି(ବିସ୍ତୃତ ବିକାଶ ଯୋଜନା)-୨୦୪୦ ଏହି ରେଗୁଲେସନ୍‌ସ୍‌ ବଳରେ ପୂର୍ଣ୍ଣ ରୂପ ନେବ। ତା’ ସହିତ ଆଗକୁ ବା ଭବିଷ୍ୟତାରେ ବିଡିଏ ଅଞ୍ଚଳରେ ଯେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେବ ତାହା ମଧ୍ୟ ଏହି ନିୟମ ବଳରେ ହେବ। ସହରୀ ଜୀବନକୁ ସୁଖମୟ କରିବାକୁ ଏହି ନୂଆ ରେଗୁଲେସନ୍‌ସ୍‌ରେ ଯାବତୀୟ ବ୍ୟବସ୍ଥା ରହିଛି। କିନ୍ତୁ ପୂର୍ବରୁ ପ୍ରସ୍ତୁତ ସମସ୍ତ ସିଡିପି ‌ଫେଲ୍‌ ମାରିଛି। ସଦ୍ୟ ପ୍ରକାଶିତ ସିଡିପି-୨୦୪୦ରେ ମଧ୍ୟ ଯାବତୀୟ ବିବାଦ ରହିଛି। ଏଣୁ ଏହି ନୂଆ ରେଗୁଲେସନ୍‌ସ୍‌ ଧାର୍ଯ୍ୟ ଲକ୍ଷ୍ୟ ପୂରଣରେ କେତେଦୂର ସକ୍ଷମ ହୋଇପାରିବ ସେ ନେଇ ପ୍ରଶ୍ନ ଉଠିଛି।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ରାଜଧାନୀର ପରିବର୍ଦ୍ଧିତ ତଥା ପରିବର୍ତ୍ତିତ ଚିତ୍ର ଓ ଚରିତ୍ରକୁ ଆଖି ଆଗରେ ଆଗାମୀ ୧୦ ବର୍ଷ ପାଇଁ ବିଡିଏ ୧୯୯୪ ମସିହାରେ ସିଡିପି ପ୍ରସ୍ତୁତ କରିଥିଲା। ଏହି ପ୍ରଥମ ସିଡିପର‌ ୮୦ ପ୍ରତିଶତ ଯୋଜନା ସଫଳ ହେଲା ନାହିଁ। ଏଥିରେ ଥିବା ଗୁରୁଚଣ୍ଡାଳ ଦୋଷ ପାଇଁ ହଜାର ହଜାର ଜମିମାଲିକ ଫସିଗଲେ। କେଉଁଠି ରେଡ୍‌ ଜୋନ୍‌କୁ ଗ୍ରିନ୍‌ ଜୋନ୍‌ କରି ଦିଆଯାଇଥିବା ବେଳେ କେଉଁଠି ଠିକ୍‌ ଓଲଟା ହୋଇଥିଲା। ଏଣୁ ଏହାର ୧୦ ବର୍ଷ ମଧ୍ୟରେ ପ୍ରସ୍ତୁତ ହେବାକୁ ଥିବା ପରବର୍ତ୍ତୀ ସିଡିପି ପ୍ରସ୍ତୁତ ହୋଇ ପାରିଲା ନାହିଁ। ୧୬ ବର୍ଷ ପରେ ଅର୍ଥାତ ୨୦୧୦ରେ ଦ୍ବିତୀୟ ସିଡିପି ପ୍ରସ୍ତୁତ ହେଲା। ଏଥିରେ ମଧ୍ୟ ୫୦ ପ୍ରତିଶତ ଯୋଜନା ଅଧାରେ ରହିଗଲା। ଏହାର ୧୦ ବର୍ଷ ପରେ ଅର୍ଥାତ୍‌ ୨୦୨୦ରେ ପ୍ରସ୍ତୁତ ହେବାକୁ ଥିବା ସିଡିପି ଚଳିତ ବର୍ଷ ୨୦୨୪ରେ ପ୍ରସ୍ତୁତ ହୋଇଛି। ଏଥିରେ ୬୯୧ ବର୍ଗକିମି ଅଞ୍ଚଳ ସାମିଲ ହୋଇଛି। ଯେଉଁଥିରେ ଖୋର୍ଦ୍ଧା ବ୍ଲକ୍‌, ପିପିଲି ଏନ୍‌ଏସି ଓ ବାଲିଅନ୍ତା ବ୍ଲକ୍‌ର ୩୫୧ରାଜସ୍ବ ଗ୍ରାମ ରହିଛି। ଏ ସବୁର ବିକାଶ ପାଇଁ ଏଥିରେ ଯୋଜନା ହୋଇଛି। ଡ୍ରାଫ୍ଟ ସିଡିପି ଉପରେ ବିଡିଏ ଆପତ୍ତି/ପ୍ରସ୍ତାବ ଗ୍ରହଣ କରିସାରିଛି। ଏ ସବୁର ତର୍ଜମା ଚାଲିଛି। ତର୍ଜମା ପରେ ଚୂଡ଼ାନ୍ତ ସିଡିପି ପ୍ରକାଶ ପାଇବ। କିନ୍ତୁ ଏଥିରେ ଯାବତୀୟ ସମସ୍ୟା ରହିଥିଲା। ଦୁଇଟି ଅଞ୍ଚଳର ନକ୍ସା ୧୩ ଦିନ ପର୍ଯ୍ୟନ୍ତ ‌ଖୋଲିନଥିବାରୁ ହଜାର ହଜାର ଜମି ମାଲିକ ଆପତ୍ତି/ପ୍ରସ୍ତାବ ଦେବାକୁ ସମୟ ପାଇ ନାହାନ୍ତି। ଏଭଳି ସ୍ଥିତିରେ ନୂଆ‌ ସିଡିପି କିଭଳି ବାସ୍ତବ ବା ପୂର୍ଣ୍ଣ ରୂପ ନେବ ସେଥିପାଇଁ ରେଗୁଲେସନ୍‌ସ୍‌ ମଧ୍ୟ ପ୍ରସ୍ତୁତ ହୋଇଛି।

କୌଣସି ସିଡିପି ଶତ ପ୍ରତିଶତ ସଫଳ ହୋଇନାହିଁ
ବିସ୍ତୃତ ବିକାଶ ଯୋଜନାକୁ କେମିତି ଦେବ ପୂର୍ଣ୍ଣରୂପ?

ଏହି ନୂଆ ରେଗୁଲେସନ୍‌ସ୍‌ରେ, ବିଶେଷକରି ରାସ୍ତାକୁ ଗୁରୁତ୍ବ ଦିଆଯାଇଛି। ଯଥେଷ୍ଟ ଚଉଡ଼ା ରାସ୍ତା, ସାଇକେଲ୍‌ ଟ୍ରାକ୍‌, ଭୂତଳ ୟୁଟିଲିଟି, ପାଦଚଲା ରାସ୍ତା ଓ ଟ୍ରାଫିକ୍‌ ଯେଭଳି ଶୃଙ୍ଖଳିତ ପରିଚାଳନା ହେବ ସେ ନେଇ ଧ୍ୟାନ ଦିଆଯାଇଛି। ଏହା ବାଦ୍‌ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଜରୁରୀ ଥିବା ପ୍ରତିଟି ଆବଶ୍ୟକତାର ଯତ୍ନ ନଆଯାଇଛି। କୌଣସି କେବୁଲ୍‌ ମୁଣ୍ଡ ଉପରେ ଝୁଲିବ ନାହିଁ। ବିଦ୍ୟୁତ ଠାରୁ ଆରମ୍ଭ କରି ସ୍ବେରେଜ୍‌, ଡ୍ରେନେଜ୍‌, ପାନୀୟଜଳ ପାଇପ୍‌, ଟେଲି ଯୋଗା‌ଯୋଗ, ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମାଟିତଳେ ରହିବ। କେଉଁ ପାଇପ୍‌ କେତେ ଗଭୀରରେ ରହିବ ସେ ନେଇ ଗଭୀରତା ମଧ୍ୟ ଧାର୍ଯ୍ୟ ହୋଇଛି। ‌ଯେମିତିକି ପାନୀୟ ଜଳ, ଟେଲି ଯୋଗାଯୋଗ କେବୁଲ୍‌ ମାଟିତଳେ ୦.୬ରୁ ୧ମିଟର ପର୍ଯ୍ୟନ୍ତ ଗଭୀରରେ ରହିବାକୁ ଥିବା ବେଳେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ୨ରୁ ୩ ମିଟର ଗଭୀରରେ ରହିବ। ରାସ୍ତାର କେଉଁ ପଟେ କେଉଁ ଲାଇନ୍‌ ରହିବ ତାହା ମଧ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ପାଦଚଲା ରାସ୍ତାର ଓସାର ୧.୮ମିଟର ରହିଥିବା ବେଳେ ଉଚ୍ଚତା ୧୫୦ ମିମି ରହିଛି। ସେହିଭଳି ସାଇକେଲ୍‌ ଟ୍ରାକ୍‌ ଓସାର ୨ମିଟର ରହିଥିବା ବେଳେ ଟ୍ରାଫିକ୍‌ ସିଗ୍‌ନାଲ୍‌ ଯେଭଳି ବାଧକ ନ ହେବ ସେଭଳି ପ୍ରସ୍ତୁତ କରାଯିବ। ପଥଚାରୀଙ୍କ ପାଇଁ ୪ମିଟର ଓସାର ଫୁଟ୍‌ପାଥ୍‌ ରହିବ। ପ୍ରତି ୫ଶହ ମିଟରରୁ ୮ଶହ ମିଟର ମଧ୍ୟରେ ସ୍ତନ୍ୟପାନ କରାଇବା ପାଇଁ ଆବଦ୍ଧ ସ୍ଥାନ ରହିବ। ପ୍ରତି ୧ କିଲୋମିଟର ରାସ୍ତାରେ ଅତି କମ୍‌ରେ ୧୨୫ଟି ଗଛ ରହିବ। ବସ୍‌ଷ୍ଟାଣ୍ଡ ଓ ଛକରେ ଡଷ୍ଟ୍‌ବିନ୍‌ ରହିବ। ଏଭଳି ଅନେକ ସୁବିଧା କରାଯିବାକୁ ରେଗୁଲେସନ୍‌ସ୍‌ରେ ବ୍ୟବସ୍ଥା କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od