ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ସରକାର ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ। ଏହି ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ ଓ ଡା. ଅଶୋକ କୁମାର ମହାପାତ୍ର।
ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଅଦ୍ବୈତ ଚରଣ ଗଡ଼ନାୟକ, ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ ଓ ଅଶୋକ କୁମାର ମହାପାତ୍ର।
ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କଳା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଅଦ୍ବୈତ ଚରଣ ଗଡ଼ନାୟକ, ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଡା. ଅଶୋକ କୁମାର ମହାପାତ୍ର, କଳା ପାଇଁ ଦୁର୍ଗାଚରଣ ରଣବୀର ଓ ସାହିତ୍ୟ ଏବଂ ଶିକ୍ଷା ପାଇଁ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।
ଅଦ୍ବୈତ ଚରଣ ଗଡ଼ନାୟକ: ମୂର୍ତ୍ତି ନିର୍ମାଣ ପାଇଁ ବିଖ୍ୟାତ ଅଦ୍ବୈତ ଚରଣ ଗଡ଼ନାୟକ ଢେଙ୍କାନାଳ ଜିଲ୍ଲା ନେଉଳାପୋଇ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଭୁବନେଶ୍ବରସ୍ଥିତ ବିକେ କଲେଜ୍ ଅଫ୍ ଆର୍ଟସ ଆଣ୍ଡ କ୍ରାଫ୍ଟରୁ ସ୍ନାତକ ଶିକ୍ଷା ପ୍ରାପ୍ତ କରିଥିଲେ। ନୂଆଦିଲ୍ଲୀସ୍ଥିତ କଲେଜ୍ ଅଫ୍ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ବୋଷ, ନୂଆଦିଲ୍ଲୀର ରାଜଘାଟରେ ସ୍ଥାପିତ ‘ଦାଣ୍ଡି ଯାତ୍ରା’ର କଳାକୃତି ପ୍ରଶଂସନୀୟ ହୋଇପାରିଛି।
ଦୁର୍ଗାଚରଣ ରଣବୀର: ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରୁ ଦୁର୍ଗାଚରଣ ରଣବୀର ହେଉଛନ୍ତି ଅନ୍ୟତମ। ଶିକ୍ଷକ ଭାବେ ତାଙ୍କ ପାଖରେ ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। ସେ ହେଉଛନ୍ତି ଗୁରୁ ଦେବ ପ୍ରସାଦ ଦାସଙ୍କର ଶିଷ୍ୟ। ସେ ଭୁବନେଶ୍ବର, କଟକ, ନୂଆଦିଲ୍ଲୀ ଓ ଆମେରିକାରେ ଶିକ୍ଷାଦାନ କରିଛନ୍ତି। ଭୁବନେଶ୍ବରରେ ତାଙ୍କର ଏକ ପ୍ରତିଷ୍ଠାନ ପରିଚାଳିତ ହେଉଛି। ତାଙ୍କର ଶିଷ୍ୟମାନେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଛାତ୍ରବୃତ୍ତି ପାଉଛନ୍ତି।
ପ୍ରତିଭା ଶତପଥୀ: କେନ୍ଦ୍ର ସାହିତ୍ୟ ପୁରସ୍କାରପ୍ରାପ୍ତ ପ୍ରତିଭା ଶତପଥୀ ସାହିତ୍ୟ କ୍ଷେତ୍ରରେ ଏକ ଉଜ୍ଜଳ ତାରକା। ସେ ୧୯୪୫ ମସିହା ନଭେମ୍ବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ‘ଆମ କବିତା’ ପ୍ରକାଶ ପାଇଥିଲା। ସେବେ ଠାରୁ ତାଙ୍କର ଅନେକ ଗୁଡ଼ିଏ କବିତା ସଂକଳନ ପ୍ରକାଶିତ ହୋଇଛି। ତାଙ୍କର ପୁସ୍ତକ ହିନ୍ଦୀ ଓ ଇଂରାଜୀରେ ମଧ୍ୟ ଅନୁବାଦ ହୋଇଛି। ଜାତୀୟ ଓ ଆଞ୍ଚଳିକ ସ୍ତରରେ ତାଙ୍କୁ ଅନେକ ପୁରସ୍କାର ମିଳିଛି।
ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ର: ଚିକିତ୍ସା ଦୁନିଆରେ ଡା. ଅଶୋକ କୁମାର ମହାପାତ୍ର ଏକ ଜଣାଶୁଣା ନାମ। ସେ ଶ୍ରୀକ୍ଷେତ୍ର ପୁରୀ ନିକଟ ବ୍ରାହ୍ମଣ ଶାସନରେ ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ସରଳ ଜୀବନଯାପନକୁ ଭଲ ପାଆନ୍ତି। ବ୍ରହ୍ମପୁରସ୍ଥିତ ଏମ୍କେସିଜିରୁ ୧୯୭୫ରେ ଏମବିବିଏସ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୩ରୁ ୨୦୧୭ ଯାଏଁ ସେ ଦିଲ୍ଲୀ ଏମ୍ସରେ ବିଭିନ୍ନ ପଦବଦବିରେ କାମ କରିଥିଲେ।