ଜଣେ ପ୍ରବଳ ପରାକ୍ରମୀ ରାଜା ଥିଲେ। ଚତୁର୍ଦିଗରେ ସମସ୍ତେ ତାଙ୍କର ସ୍ତୁତିଗାନ କରୁଥିଲେ। ସେ ରାଜସଭାରେ ପହଞ୍ଚିଲା ମାତ୍ରକେ ଭାଟମାନେ ଯେଉଁ ଗୀତ ବୋଲୁଥିଲେ, ସେଥିରେ କହାଯାଉଥିଲା ଯେ ସେ ହେଉଛନ୍ତି ପୃଥିବୀର ସବୁଠାରୁ ଶ୍ରେଷ୍ଠ ରାଜା। ତାଙ୍କ ଭଳି ସୁପୁରୁଷ ଏ ପୃଥିବୀରେ ନାହାନ୍ତି। ତାଙ୍କ ରୂପକାନ୍ତି ଯାହା ସେଥିରେ ଚନ୍ଦ୍ରରେ ଗ୍ରହଣ ଲାଗିଯିବ ଏବ˚ ଶୌର୍ଯ୍ୟ ଓ ଦୀପ୍ତିରେ ତାଙ୍କ ଆଗରେ ସୂର୍ଯ୍ୟ ମଳିନ ପଡ଼ିଯିବେ। ଏଭଳି ସ୍ତୁତି ଶୁଣିବା ପରେ ରାଜା ଖୁସିରେ ଗଦ୍ଗଦ୍ ହୋଇ ଭାଟମାନଙ୍କ ଉପରେ ଧନ ବର୍ଷା କରି ଦିଅନ୍ତି। ଯିଏ ତାଙ୍କ ସ୍ତୁତି ଗାନ କରେ ସେ ଧନୀ ହୋଇଯାଏ।
ଦିନେ ରାଜ୍ୟକୁ ଆସିଲେ ଜଣେ ସନ୍ଥ। ରାଜା ତାଙ୍କ ଠାରୁ କିଛି ସତ୍ ଉପଦେଶ ଚାହିଁଲେ। ସେତେବେଳକୁ ସନ୍ଧ୍ୟା ସମୟ। ଚାରିଆଡ଼ ଦୀପାଲୋକ ଦ୍ବାରା ଉଜ୍ଜ୍ବଳ ଦିଶୁଥାଏ। ରାଜାଙ୍କ ଅନୁରୋଧ ଶୁଣି ସନ୍ଥ ଉଠିଲେ ଏବଂ ପାଖରେ ଜଳୁଥିବା ଦୀପକୁ ଲିଭାଇ ଦେଇ ଚାଲିଗଲେ।
ରାଜା ଏଭଳି କଥା ଦେଖି ଆଚମ୍ବିତ ହେଲେ। ସନ୍ଥ କ’ଣ କହିବାକୁ ଚାହାନ୍ତି, ତା’ର ମର୍ମ ଭେଦ କରିପାରିଲେ ନାହିଁ। ସେ ମନେ ମନେ ଏ ନେଇ ଅନେକ ଭାବିଲେ। ଦୀପ ଲିଭାଇ ଦେବାର ଅର୍ଥ କିଛି ଅଶୁଭ ନୁହେଁ ତ?
ଏ କଥା ରାଜାଙ୍କ ଏକମାତ୍ର ଝିଅ ଦେଖିଲେ ଓ ବାପାଙ୍କ ମନରେ ଥିବା ପ୍ରଶ୍ନ ବିଷୟରେ ବୁଦ୍ଧିମତୀ ରାଜକନ୍ୟା ବୁଝି ପାରିଲେ। ସେ ରାଜାଙ୍କୁ କହିଲେ- ସନ୍ଥ ଯାହା କଲେ, ତା’ର ଅର୍ଥ ବୋଧହୁଏ ଏୟା, ଯେ ଦୀପ ଜଳୁଥିବା ବେଳେ ତାକୁ ପତଙ୍ଗ ବେଢ଼ି ଯାଆନ୍ତି। ଅନ୍ଧାରରେ ଥିବା ଦୀପର ପାଖ ସେମାନେ ମାଡ଼ନ୍ତି ନାହିଁ। ଆପଣ ଏବେ ରାଜା। ତେଣୁ ଆପଣଙ୍କୁ ସ୍ତାବକମାନେ ଘେରି ରହିଛନ୍ତି। ଆପଣ ଯଦି କେବେ କ୍ଷମତାଶୂନ୍ୟ ହୋଇଯାଆନ୍ତି, ଆପଣଙ୍କ ପ୍ରଭା ନ ରହେ, ତେବେ ସେମାନେ ଆପଣଙ୍କ ପାଖକୁ ଆସିବେ ନାହିଁ। ତେଣୁ ଅଯଥା ପ୍ରଶସ୍ତି ଗାନରୁ ଆପଣ ଦୂରେଇ ରହନ୍ତୁ।
କଥାଟିଏ-ଯାଯାବର: ସନ୍ଥଙ୍କ ସଂକେତ
3