ଛତିଶଗଡ଼ର ଲୋକପ୍ରିୟ ନାୟକ ମନ୍ କୁରୈସୀଙ୍କୁ ଓଡ଼ିଆ ଦର୍ଶକ ଚଳିତବର୍ଷ ମୁକ୍ତିଲାଭ କରିବାକୁ ଥିବା ଦ୍ବିଭାଷୀ ସିନେମା ‘ମୁରଲୀ’ରେ ଦେଖିବାକୁ ପାଇବେ। ଓଡ଼ିଆ ଓ ଛତିଶଗଡ଼ରେ ନିର୍ମିତ ହେଉଥିବା ‘ମୁରଲୀ’ରେ ଛତିଶଗଡ଼ର ସୁପର୍ଷ୍ଟାର୍ ମନ୍ କୁରୈସୀଙ୍କ ବ୍ୟତୀତ ରାଜେଶ ଅବସ୍ତୀ, ହିମାଙ୍ଗିନୀ, ଅନୁ ଚୌଧୁରୀ ଓ ବାଳକୃଷ୍ଣ ପ୍ରମୁଖ ଅଭିନୟ କରିଛନ୍ତି। ‘ମୁରଲୀ’ର କାହାଣୀକାର ହେଲେ ଲକି ନାୟକ ଓ ସିପ୍ରା ବିଶ୍ବାଳ। ବି. ଉତ୍ତମ କୁମାର ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ‘ଲଭ୍ ପ୍ରମିଜ୍’ ଓ ‘ତୁ ମୋ କମ୍ଜୋରୀ’ ଫେମ୍ ସନ୍ତୋଷ ବିଶ୍ବାଳ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅମାନତ ଦାସଙ୍କ ପ୍ରଯୋଜିତ ଏହି ଛବିର ସଙ୍ଗୀତକାର ହେଲେ ବିରଜା ପ୍ରସାଦ।
ଉଲ୍ଲେଖଯୋଗ୍ୟ, ମନ୍ କୁରୈସୀ ଛତିଶଗଡ଼ୀ ଛବି ‘ବି ଏ ସେକେଣ୍ଡ୍ ଇୟର୍’, ‘ଡାର୍ଲିଂ ପ୍ୟାର୍ ଝୁକ୍ତା ନେହିଁ’, ‘ଦୁଲ୍ହନ୍ ଉହି ଜଉନ୍ ପିୟା ମନ୍ ଭାଏ’ ଓ ‘ଏକ ଔର୍ ଲଭ୍ ଷ୍ଟୋରି’ ପାଇଁ ବେଶ୍ ଚର୍ଚ୍ଚିତ। ଏଣେ ମନ୍ କୁରୈସୀଙ୍କ ଅଭିନୀତ ଅନ୍ୟ ଏକ ଛତିଶଗଡ଼ୀ ସିନେମା ‘ଜିରୋ ବନ୍ହି ହିରୋ’ରେ ଓଲିଉଡ୍ର ଲୋକପ୍ରିୟ ନାୟିକା ଭୂମିକାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏଥିରେ ମନ-ଭୂମିକା ଯୋଡ଼ି ବି ବେଶ୍ ଜମିଥିଲା। ଏବେ ଦେଖିବା କଥା ‘ମୁରଲୀ’ରେ ଓଡ଼ିଆ ଦର୍ଶକ ମନ୍ କୁରୈସୀଙ୍କୁ କେତେ ପସନ୍ଦ କରୁଛନ୍ତି।