ପୁଣି ଜଣେ ନବାଗତାଙ୍କୁ ପରଦାରେ ଭେଟିବାକୁ ଯାଉଛନ୍ତି ଓଡ଼ିଆ ଦର୍ଶକ। ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଆଲିୟା ରାଉତ ଏବେ ଫିଲ୍ମକୁ ଆସିଛନ୍ତି। ମନୁ ଦ୍ବିବେଦୀଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ‘ମିଡ୍ ନାଇଟ୍’ରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ସେ। ରାଉରକେଲାର ଝିଅ ଆଲିୟାଙ୍କର ସୋସିଆଲ୍ ମିଡିଆରେ ବହୁ ଫଲୋଅର୍ସ ଅଛନ୍ତି। ତାଙ୍କ ଅଭିନୀତ ଚର୍ଚ୍ଚିତ ହିନ୍ଦୀ ମ୍ୟୁଜିକ୍ ଭିଡିଓ ମଧ୍ୟରେ ରହିଛି ‘ଦିଲ୍ କା ହାଲ୍’, ‘ନୀଲ୍ ନୀଲ୍ ଆଁଖ୍କେ ସୋନା’। ସେହିପରି ତାଙ୍କର ଦୁଇଟି ଲୋକପ୍ରିୟ ଓଡ଼ିଆ ମ୍ୟୁଜିକ୍ ଭିଡିଓ ହେଲା ‘ନୀଳ ନୀଳ ଦୁଇ ନୟନା’ ଓ ‘ପ୍ରିୟା, ମତେ ଭୁଲିଗଲୁ ପ୍ରିୟାରେ’। ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓ ‘ନେ ଫୋଟୋ ନେ’, ‘ଏ ରାଜାଜୀ’, ‘ସୁନ୍ଦରଗଡ଼ର ସୁନ୍ଦରୀ’ରେ ବି ଦର୍ଶକଙ୍କ ମନ ମୋହିଛନ୍ତି ଆଲିୟା। ଦୁଇ ବର୍ଷଯାଏ ସେ ମଡେଲିଂରେ ବି ସକ୍ରିୟ ଥିଲେ।
ଏକାଧାରରେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ ଓ ମଡେଲ୍ ଆଲିୟାଙ୍କୁ ଓଲିଉଡ୍ରେ ବ୍ରେକ୍ ଦେଇଛନ୍ତି ନିର୍ଦ୍ଦେଶକ ସୁରେଶ ଦାସ। ନିକଟରେ ସୁଟିଂ ସରିଥିବା ‘ମିଡ୍ ନାଇଟ୍’ରେ ତାଙ୍କ ଅଭିନୀତ ଚରିତ୍ରର ନାମ ରହିଛି ନିଶା। ଉପରକୁ ବିନ୍ଦାସ୍ ଦେଖା ଯାଉଥିଲେ ବି ସେ ସ୍ବଭାବରେ ଖୁବ୍ ଭୟାଳୁ। ରାତିଅଧରେ ନାୟିକା ଭୂତ ଦେଖିବା ପରେ କ’ଣ ସବୁ ଘଟୁଛି, ତାହା ଦେଖିବାକୁ ମିଳିବ ‘ମିଡ୍ ନାଇଟ୍’ରେ। ନିଜ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଥିବା ଆଲିୟା କହନ୍ତି, ‘‘ମୋତେ ସିନେଦର୍ଶକ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ। ହରର୍ ସିନେମା ହେଲେ ବି ‘ମିଡ୍ ନାଇଟ୍’ ସବୁ ଶ୍ରେଣୀର ଦର୍ଶକଙ୍କ ମନ ଜିଣିବ।’’