ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଓଡିଆ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ପାଠଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଦୃଶ୍ୟଶ୍ରାବ୍ୟ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ.ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ଅବସରରେ ‘ଆଧୁନିକ ଓଡିଆ ନାଟକ : ଗତି, ପ୍ରକୃତି ଓ ସମ୍ଭାବନା’ ଶୀର୍ଷକ ପାଠଚକ୍ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ତଥା ଓଡିଶା ସାହିତ୍ୟଏକାଡେମୀ ପୁରସ୍କାରପ୍ରାପ୍ତ ସୁଦକ୍ଷ ନାଟ୍ୟକାର ପ୍ରଫେସର ଡ.ନାରାୟଣ ସାହୁ ଯୋଗଦେଇ ଓଡିଆ ନାଟକର ଉତ୍ପତି ଠାରୁ ଏଯାବତ୍ ରହିଥିବା ସ୍ଥିତି ସମ୍ପର୍କରେ ବିସ୍ତୃତ ଓ ପ୍ରାଞ୍ଜଳ ଭାବେ ଅବତାରଣା କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ ପ୍ରତାପ କେଶରୀ ଖାଟୋଇ, ଅଧ୍ୟାପକ ଦେବାଶିଷ ପଟ୍ଟନାୟକ ଓ ଡ.ଅଞ୍ଜନ କୁମାର ନନ୍ଦ ପ୍ରମୁଖ ଉଦବୋଧନ ଦେଇଥିଲେ। କଲେଜର ଓଡିଆ ବିଭାଗୀୟ ମୁଖ୍ୟ ଡ.ଚିତ୍ରସେନ ରାଉତ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ.ଦିବ୍ୟଶକ୍ତି ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦନର ଉପଦେଷ୍ଟା ଅଧ୍ୟାପିକା ଶ୍ରୀମନ୍ତିନୀ ଦାସ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ସହ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଓଡିଆ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ପାଠଚକ୍ର
1