Sunday, February 23, 2025
Home Latest ଓଏସ୍‌ଏସ୍‌ଏସ୍‌ସି ମେଧା ତାଲିକାରୁ ୩୩୭ ବାଦ୍‌: କାର୍ଯ୍ୟାନୁଷ୍ଠାନ ଦାବି କଲା ଷ୍ଟୁଡେଣ୍ଟ୍‌ସ୍‌ ଏଗେନ୍‌ଷ୍ଟ କରପ୍‌ସନ୍‌

ଓଏସ୍‌ଏସ୍‌ଏସ୍‌ସି ମେଧା ତାଲିକାରୁ ୩୩୭ ବାଦ୍‌: କାର୍ଯ୍ୟାନୁଷ୍ଠାନ ଦାବି କଲା ଷ୍ଟୁଡେଣ୍ଟ୍‌ସ୍‌ ଏଗେନ୍‌ଷ୍ଟ କରପ୍‌ସନ୍‌

by
0 comment

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପକ୍ଷରୁ ଫରେଷ୍ଟର୍‌, ଫରେଷ୍ଟ ଗାର୍ଡ ପଦ ପାଇଁ ଶାରୀରିକ ପରୀକ୍ଷା ନିମନ୍ତେ ପ୍ରକାଶିତ ମେଧା ତାଲିକାରୁ ୩୩୭ ଜଣଙ୍କୁ ବାଦ୍‌ ଦିଆଯାଇଛି। ଏ ନେଇ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନଙ୍କୁ ବାଦ ଦିଆଯିବା ପରେ ୮୧୫୯ ଜଣଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଶାରୀରିକ ପରୀକ୍ଷା (ଫିଜିକାଲ୍‌ ଟେଷ୍ଟ) ପାଇଁ ଡକାଯାଇଛି। ବାଦ୍‌ ଦିଆଯାଇଥିବା ୩୩୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଉପଯୁକ୍ତ କାରଣ ଉପଲବ୍ଧ ହେବା ପରେ ଆୟୋଗ ଏହି ୩୩୭ ପ୍ରାର୍ଥୀଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ଗ୍ରହଣ କରିବେ। ତେବେ ଏହି ୩୩୭ ଜଣଙ୍କୁ ବାଦ୍‌ ଦେବା ଘଟଣା ପଛରେ ଦୁର୍ନୀତି ଥିବା ‘ଷ୍ଟୁଡେଣ୍ଟ୍‌ସ୍‌ ଏଗେନ୍‌ଷ୍ଟ କରପ୍‌ସନ୍‌’ (ଏସ୍‌ଏସି) ଅଭିଯୋଗ କରିଛି।

ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ଲାଇଭ୍‌ଷ୍ଟକ୍‌ ଇନ୍‌ସ୍‌ପେକ୍ଟର, ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ‘ଏସ୍‌ଏସି’ ସହ ବିଭିନ୍ନ ଛାତ୍ର ଗୋଷ୍ଠୀଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ରାଜ୍ୟରେ ଚାକିରି ବିକ୍ରି ହେଉଛି ଓ କେବଳ ଚାକିରି କିଣିପାରୁଥିବା ଯୁବକଙ୍କୁ ଛାଡ଼ି ମେଧାବୀଙ୍କ ଭବିଷ୍ୟତ ଅନ୍ଧାର ବୋଲି କହି ସରକାରଙ୍କୁ ଘେରିଥିଲା ସଂଗଠନ। ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ୩୦ ଲକ୍ଷରେ ଚାକିରି ବିକ୍ରି ହେଉଥିବା ସ୍ବୀକାର କରିବା ସହିତ ନିଯୁକ୍ତି ଦୁର୍ନୀତି ରୋକିବାକୁ ନୂଆ ଆଇନ ଅଣାଯିବ ବୋଲି କହିଥିଲେ। ଫରେଷ୍ଟର, ଫରେଷ୍ଟ ଗାର୍ଡ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଚାକିରି ବିକ୍ରି ଅଭିଯୋଗ ଆଣି ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ନିଯୁକ୍ତି ଦୁର୍ନୀତିର ପ୍ରମାଣ ସରକାରଙ୍କ ହାତରେ ଲାଗିଛି। ପୁରୁଣା ମେଧା ତାଲିକା ବାତିଲ କରିବା ସହ ନୂଆ ମେଧା ତାଲିକା ଜାରି କରିଛି ଓଏସ୍‌ଏସ୍‌ଏସ୍‌ସି। ତାଲିକାରୁ ୩୩୭ ଜଣଙ୍କୁ ବାଦ ଦିଆଯାଇଛି। ପରୀକ୍ଷାରେ ଅସଦ୍‌ଉପାୟ ଓ ଜାଲିଆତି କରିଥିବା ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପୂର୍ବରୁ ୮୪୯୬ ଜଣଙ୍କର ମେଧା ତାଲିକାରେ ନାମ ଥିବା ବେଳେ ନୂଆ ତାଲିକାରେ ୮୧୫୯ ଜଣଙ୍କର ନାମ ରହିଛି। 

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଏସ୍‌ଏସି’ର ଆବାହକ ବିଭୂତି ଭୂଷଣ ମହାପାତ୍ର ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନୂଆ ତାଲିକାରେ ୩୩୭ ଜଣଙ୍କ ନାଁ କଟିବା ଘଟଣା ପରୀକ୍ଷାରେ ଦୁର୍ନୀତି ହୋଇଥିବା ପ୍ରମାଣିତ ହୋଇଛି। ଅସାଧୁ ଉପାୟରେ ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀ ବାଦ୍‌ ପଡ଼ିଛନ୍ତି। କେବଳ ସେହିମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କିନ୍ତୁ ଏମାନଙ୍କ ପଛରେ ଯେଉଁ ବଡ଼ ବାବୁ ଓ ଅଧିକାରୀମାନେ ଅଛନ୍ତି, ସେମାନେ କୁଆଡ଼େ ଗଲେ? ପରୀକ୍ଷା ପରିଚାଳନା ପାଇଁ ଠିକା ନେଇଥିବା ସଂସ୍ଥା କୁଆଡ଼େ ଗଲା? ଏହାର ତଦନ୍ତ କରାଗଲେ ଯେଉଁମାନେ ୩୩୭ ପ୍ରାର୍ଥୀଙ୍କୁ ଅସାଧୁ ଉପାୟରେ ସହଯୋଗ କରିଥିଲେ ସେମାନେ ସବୁ ପଦାକୁ ଆସିବେ। ସେମାନଙ୍କ ଉପରେ ନୂଆ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଏହାସହିତ ଆର୍‌ଆଇ, ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା, ନକଲି ସେଣ୍ଟର ମାଲିକ ଗିରଫ, କଳା ତାଲିକାଭୁକ୍ତ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ, ପରୀକ୍ଷା ସମୟସୀମା ପରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ହେବା ଆଦି ପରୀକ୍ଷା ବାତିଲ ପାଇଁ ଯଥେଷ୍ଟ କାରଣ ନୁହେଁ କି? ଏଭଳି ପ୍ରଶ୍ନ କରି ସେ ଆର୍‌ଆଇ, ଅମିନ ପରୀକ୍ଷା ବାତିଲ ଦାବି ଦୋହରାଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od