ଭୁବନେଶ୍ୱର,୨୭ା୧(ଅନିଲ ଦାସ)- ଆସନ୍ତା ୪ ଦିନ ପରେ ରାଜ୍ୟରେ ରାଶନ କାର୍ଡ ଇ-କେୱାଇସି ଅପ୍ଡେଟ କାର୍ଯ୍ୟ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଜାନୁଆରୀ ୩୧ ସୁଦ୍ଧା ଇ-କେୱାଇସି ଅପ୍ଡେଟ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ଯଦି ଏହି ସମୟ ସୁଦ୍ଧା ଶେଷ ନ ହୁଏ ତେବେ ପରବର୍ତ୍ତୀ ସମୟରେ ସରକାର ବିଚାର କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ଏ ପର୍ଯ୍ୟନ୍ତ ୪୦ ଲକ୍ଷ ୪୦ ହଜାର ୮୬୪ ରାଶନ କାର୍ଡ ହିତାଧିକାରୀ ଇ-କେୱାଇସି ଅପ୍ଡେଟ କରି ନାହାନ୍ତି । ମୋଟ ୩ କୋଟି ୩୫ ଲକ୍ଷ ୫୭୦ ହିତାଧିକାରୀଙ୍କ ମଧ୍ୟରୁ ୨କୋଟି ୯୪ ଲକ୍ଷ ୫୯ ହଜାର ୮୮୬ଜଣଙ୍କର ଇ-କେୱାଇସି ଶେଷ ହୋଇଛି । ଏହା ମୋଟ ହିତାଧିକାରୀଙ୍କ ୮୮ ପ୍ରତିଶତ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ଡରେ ଅଯୋଗ୍ୟ ଓ ମୃତବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟ ବାହାରେ ଥିବା ୧ ଲକ୍ଷ ୩୦ ହଜାର ୨୬ ହିତାଧିକାରୀ ଇ-କେୱାଇସି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।