ଭୁବନେଶ୍ୱର : ଆଧାର ହେଉଛି ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ ସିଷ୍ଟମ ଯାହା ଭାରତୀୟଙ୍କୁ ବାୟୋମେଟ୍ରିକ ଏବଂ ଜନସଂଖ୍ୟା ସମ୍ବନ୍ଧୀୟ ସୂଚନା ଆଧାରରେ ସ୍ୱେଚ୍ଛାକୃତ ଭାବରେ ୧୨ ଅଙ୍କ ବିଶିଷ୍ଟ ଏକ ୟୁନିକ ପରିଚୟ ପ୍ରାପ୍ତ କରିବାକୁ ଅନୁମତି ଦେଇଥାଏ । ବ୍ୟାଙ୍କ ଆକାଉଂଟ ଖୋଲିବା, ପାସପୋର୍ଟ ପାଇବା, ସବସିଡିର ଲାଭ ଉଠାଇବା, ସରକାରୀ ଯୋଜନା ପାଇଁ ଆବେଦନ କରିବା ଇତ୍ୟାଦି ଭଳି ସହଜ ପ୍ରାମାଣିକରଣ ପ୍ରଦାନ କରିଥାଏ । ଆଧାର ମୋବାଇଲ ନମ୍ବର ସହିତ ମଧ୍ୟ ଲିଙ୍କ ହୋଇଥାଏ ଏବଂ ଖୁଚୁରା ନିବେଶକାରୀଙ୍କ ପାଇଁ ଆର୍ôଥକ ଅନୁଷ୍ଠାନ ଦ୍ୱାରା ପରିଚୟର ଏକ ଗ୍ରହଣୀୟ ରୂପ ଅଟେ । ଆଧାରର ସବୁଠାରୁ ଉପଯୋଗୀ ଫିଚର ହେଉଛି ଓଟିପି (ୱାନ-ଟାଇମ ପାସୱାର୍ଡ) ଭେରିଫିକେସନ, ଯେକୌଣସି ସ୍ଥାନରୁ ଏହାକୁ ସହଜରେ ପ୍ରାମାଣିକରଣ କରିହୁଏ । ଯଦିଓ ସାଇବର କ୍ରାଇମ ଯୁଗରେ, ଆଧାରର ସହଜରେ ଉପଲବ୍ଧତା ନିଜର ପରିଚୟକୁ ସୁରକ୍ଷିତ ରଖିବା ବିଷୟରେ ଜାଣିନଥିବା ଲୋକଙ୍କୁ ବିପଦରେ ପକାଇପାରେ ।
ଠକମାନେ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଂଟ ସହ ଲିଙ୍କିଂ ର ଫାଇଦା ଉଠାଇ ଅନେକ ପ୍ରକାରରେ ଟଙ୍କା ଚୋରି ବା ଅନଧିକୃତ ଟ୍ରାଞ୍ଜାକସନ କରିବାକୁ ଚେଷ୍ଟା କରନ୍ତି । ଆଧାର ଏବଂ ବ୍ୟାଙ୍କିଂ ବିବରଣୀ ପାଇବା ପାଇଁ ସେମାନେ ପ୍ରାୟତଃ ଫିସିଂ ଇମେଲ, ଭିସିଂ କଲ ଏବଂ ସିମ ସ୍ୱାପ ଠକେଇ ଭଳି କୌଶଳ ବ୍ୟବହାର କରନ୍ତି । ଫିସିଂରେ ଠକାମିଯୁକ୍ତ ଇମେଲ କିମ୍ବା ମେସେଜ ଅନ୍ତର୍ଭୁକ୍ତ ଅଟେ ଯେଉଁଥିରେ ୟୁଜରଙ୍କୁ ସେମାନଙ୍କର ଆଧାର ବିବରଣୀ କିମ୍ବା ୟୁପିଆଇ ପିନ ଅପଡେଟ କରିବାକୁ ଏବଂ ମିଥ୍ୟା ଛଳନାରେ ସମ୍ବେଦନଶୀଳ ସୂଚନା ସେୟାର କରିବାକୁ କୁହାଯାଇଥାଏ । ଭିସିଂ କଲରେ ମଧ୍ୟ ଏହିପରି ସମାନ କୌଶଳ ବ୍ୟବହାର କରାଯାଇଥାଏ, ଠକମାନେ ଫୋନରେ ସାଧାରଣ ଲୋକଙ୍କୁ କଲ କରି ବ୍ୟାଙ୍କ କିମ୍ବା ୟୁଆଇଡିଏଆଇରୁ କଲ କରୁଥିବାର ଦାବି କରନ୍ତି ଏବଂ ଆକାଉଂଟ ଭେରିଫିକେସନ କିମ୍ବା ସମସ୍ୟା ସମାଧାନର ବାହାନା କରି ଆଧାର ନମ୍ବର, ୟୁପିଆଇ ପିନ କିମ୍ବା ଓଟିପି ମାଗିଥାନ୍ତି । ସିମ ସ୍ୱାପ ଠକେଇରେ ଓଟିପି ପାଇବା ପାଇଁ ପୀଡ଼ିତାଙ୍କ ସିମ କାର୍ଡ କପି କରାଯାଇଥାଏ । ତତସହିତ, ଠକମାନେ ବୈଧ ୟୁପିଆଇ ସର୍ଭିସ ଏବଂ ସମ୍ବେଦନଶୀଳ ସୂଚନା ପ୍ରାପ୍ତ କରିବା ପାଇଁ ନକଲି ଆପ ଏବଂ ୱେବସାଇଟ ତିଆରି କରିଥାନ୍ତି ।
ଫୋନପେ ସାଇବର ସୁରକ୍ଷା ବିଶେଷଜ୍ଞମାନେ ନିଜକୁ ଆଧାର ଠକେଇରୁ ରକ୍ଷା କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସେୟାର କରିଛନ୍ତି:
ଆପଣଙ୍କର ଆଧାର ସୂଚନାକୁ ସୁରକ୍ଷିତ ରଖିବା ପାଇଁ, ଆପଣଙ୍କର ଆଧାର ନମ୍ବର, ୟୁପିଆଇ ପିନ, ଓଟିପି, କିମ୍ବା ବ୍ୟାଙ୍କ ବିବରଣୀ ଭଳି ବ୍ୟକ୍ତିଗତ ବିବରଣୀ ଫୋନ, ଇମେଲ କିମ୍ବା ଏସଏମସ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ । ଆପଣଙ୍କର ବ୍ୟାଙ୍କ କିମ୍ବା ପେମେଂଟ ସର୍ଭିସ ପ୍ରୋଭାଇଡରଙ୍କ ଠାରୁ ଦାବି କରୁଥିବା ଯେକୌଣସି ଯୋଗାଯୋଗର ସତ୍ୟତା ଯାଂଚ କରନ୍ତୁ । ଆପଣଙ୍କ ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ସୁରକ୍ଷିତ ରଖନ୍ତୁ । ଯାଂଚ ହୋଇଥିବା ଆପ ଷ୍ଟୋରରୁ କେବଳ ଅଫିସିଆଲ ଏବଂ ବିଶ୍ୱସ୍ତ ୟୁପିଆଇ ଆପ ବ୍ୟବହାର କରନ୍ତୁ ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ନିୟମିତ ଭାବରେ ଆପଣଙ୍କର ବ୍ୟାଙ୍କ ଷ୍ଟେଟମେଂଟ ଏବଂ ପୁରୁଣା ଟ୍ରାଞ୍ଜାକସନ ଉପରେ ନଜର ରଖନ୍ତୁ । ତାହାସହିତ, ଆପଣଙ୍କ ଆକାଉଂଟ କାର୍ଯ୍ୟକଳାପ ବିଷୟରେ ଅବଗତ ରହିବାକୁ ଟ୍ରାଞ୍ଜାକସନ ଆଲର୍ଟ ସକ୍ଷମ କରନ୍ତୁ ।
ଯଦି ଆପଣ ଆଧାର ଏବଂ ୟୁପିଆଇ ପେମେଂଟ ସହିତ ସମ୍ବନ୍ଧିତ କୌଣସି ଠକେଇ କାର୍ଯ୍ୟକଳାପର ସନ୍ଦେହ କରୁଛନ୍ତି, ତେବେ ଯେକୌଣସି ଅନଧିକୃତ ଟ୍ରାଞ୍ଜାକସନ ରୋକିବା ପାଇଁ ତୁରନ୍ତ ଆପଣଙ୍କ ବ୍ୟାଙ୍କ ସହ ଯୋଗାଯୋଗ କରି ଆପଣଙ୍କ ଆକାଉଂଟକୁ ଫ୍ରିଜ କରାନ୍ତୁ । ତତସହିତ, ଆପଣଙ୍କର ଆଧାର ନମ୍ବରର ଦୂରୁପଯୋଗ ବିଷୟରେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ କିମ୍ବା ହେଲ୍ପଲାଇନ ମାଧ୍ୟମରେ ଅଭିଯୋଗ କରନ୍ତୁ । ଯଦି ଆପଣ ଫୋନପେ ମାଧ୍ୟମରେ ଠକାମିର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ ଫୋନପେ ଆପରେ କିମ୍ବା କଷ୍ଟମର କେୟାର ନମ୍ବର ୦୮୦–୬୮୭୨୭୩୭୪ / ୦୨୨–୬୮୭୨୭୩୭୪ ରେ କଲ କରି କିମ୍ବା ଫୋନପେ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହିପରି ଠକେଇଗୁଡ଼ିକ ବିଷୟରେ ରିପୋର୍ଟ କରିପାରିବେ । ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗର ରିପୋର୍ଟ କରିପାରିବେ କିମ୍ବା ଅନଲାଇନରେ https://www.cybercrime.gov.in ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ କରିପାରିବେ କିମ୍ବା ସାଇବର କ୍ରାଇମ ସେଲ ହେଲ୍ପଲାଇନ ନମ୍ବର ୧୯୩୦ରେ ଯୋଗାଯୋଗ କରିପାରିବେ ।