ବାରିପଦା:: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ, ବାଦାମପାହାଡ-କେନ୍ଦୁଝରଗଡ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି ।
ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ୩ଟି ରେଳ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ମୁଁ ଆଶାୟୀ । ଏହା ଦ୍ବାରା ବାଙ୍ଗିରିପୋଷି, ରାଇରଙ୍ଗପୁର ସମେତ ମୟୁରଭଞ୍ଜରେ ଯୋଗାଯୋଗ ବୃଦ୍ଧି ପାଇବାର ଆଶା ରହିଛି।
ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ପରିକଳ୍ପନାର ସୁଫଳ ଏବେ ଓଡ଼ିଶାକୁ ମିଳୁଛି । ଜନଜାତିର ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି । ୯୦ରୁ ଅଧିକ ବନଜାତ ଦ୍ରବ୍ୟ ପାଇଁ ଏମଏସପି ବ୍ୟବସ୍ଥା ହୋଇଛି ।
ଅଧିକ ପଢ଼ନ୍ତୁ: ରବିବାର ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ: ଚାଷୀଙ୍କୁ ଡିବିଟିରେ ସବସିଡି ଦେବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନମନ ଯୋଜନାରେ ଜନଜାତି ଫାଇଦା ପାଉଛନ୍ତି । ଏଇ ମାଟିର ଝିଅ ଭାବେ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି । ଆପଣମାନଙ୍କ ଆଶୀର୍ବାଦ ପାଇଁ ମୁଁ ଦେଶର ଏହି ପଦବୀରେ ପହଞ୍ଚି ପାରିଛି ।
ଏଠାକାର ଗଳିକନ୍ଦିକୁ ଚିହ୍ନିଛି ଏବଂ ଗୁଣ୍ଡୁଚି ମୂଷା ଭାବେ କାର୍ଯ୍ୟ କରି ଚାଲିଛି । ଯେଉଁଠି ରହିଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ କାର୍ଯ୍ୟ କରି ଚାଲିବି ବୋଲି ରାଷ୍ଟ୍ରପତି କହିଛନ୍ତି ।
ଅଧିକ ପଢ଼ନ୍ତୁ: ଦାଦନ ଖଟି ଯିବେ ବାପା-ମା’:ସରକାରଙ୍କ ହାତକୁ ଟେକିଦେଲେ ୨ ମାସର ଶିଶୁକନ୍ୟା