କାଲିଫର୍ଣ୍ଣିଆ: ଯୁକ୍ତରାଷ୍ଟ୍ର ଆମେରିକାଠାରେ ନିକଟରେ ପଞ୍ଚମ ଓଡ଼ିଶା ଆର୍ଟିଫିସିଆଲ଼ ଇଣ୍ଟେଲିଜେନ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଢଙ୍ଗରେ ଆୟୋଜିତ ଏହି ମହାସମାବେଶରେ ବିଶ୍ୱର କୋଣ ଅନୁକୋଣର ଶତାଧିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞ, ବୈଜ୍ଞାନିକ, ପରାମର୍ଶଦାତା, ଗବେଷକ, ଉଦ୍ଭାବକ ଏବଂ ଏ.ଆଇ ସହିତ ସଂଶ୍ଲିଷ୍ଟ ପେଶାଦାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖାଯାଇଥିଲା। କାଲିଫର୍ଣ୍ଣିଆସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଓଡ଼ିଶା ଏଆଇ ଆନୁକୂଲ୍ୟରେ ଆହୂତ ଦୀର୍ଘ ୩୨ ଘଣ୍ଟାର ଏହି ଅଧିବେଶନ ବ୍ୟାପକ ଭାବରେ ସଫଳ ହୋଇଛି। ବିଶେଷକରି ଏହି ଆନ୍ତର୍ଜାତିକ ସମ୍ମିଳନୀର ବାସ୍ତବ ସ୍ଥଳ ଯଥା; କାଲିଫର୍ଣ୍ଣିଆ, ଷ୍ଟକହୋମ, ଲଣ୍ଡନ, ଆବୁଧାବି, ଟୋକିଓ, ଜୋହାନ୍ସବର୍ଗ, ବେଙ୍ଗାଲୁରୁ, ଚେନ୍ନାଇ, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଆଦିଠାରେ ଯୁବ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
‘ବର୍ତ୍ତମାନ ଜେନ ଏଆଇ, ପରବର୍ତ୍ତୀ କ’ଣ ?’ ଶୀର୍ଷକ ବହୁ ପ୍ରତୀକ୍ଷିତ ଏହି ଆଇ.ଟି ମେଳାକୁ ସ୍ଵିଡେନର କର୍ଣ୍ଣେଲ ପ୍ରଫେସର ଆଦିତ୍ୟ ପରିଡ଼ା ଜାପାନରେ ସୂର୍ଯ୍ୟୋଦୟର ପ୍ରଥମ କିରଣ ଦୃଶ୍ୟମାନ ହେବା ମାତ୍ରେ ଶୁଭାରମ୍ଭ ଘୋଷଣା କରିଥିଲେ। ଆମେରିକୀୟ ସାମୋଆଠାରେ ସୂର୍ଯ୍ୟ ଦିଗବଳୟରୁ ଅସ୍ତମିତ ହେବା ସମୟରେ ଏହି ସମ୍ମିଳନୀରେ ଯବନିକା ପାତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁପ ସାହୁଙ୍କ ନେତୃତ୍ବରେ ଜାପାନର ପ୍ରତିଭାବାନ ଟିମ ଏ.ଆଇର ପ୍ରୟୋଗ ଉପରେ ଏକ ଚମତ୍କାର ବିଶ୍ଲେଷଣ ଉପସ୍ଥାପନ କରିଥିଲେ। ପରେପରେ କାଲିଫର୍ଣ୍ଣିଆର ବିଶିଷ୍ଟ ନିବେଶକ ରାଜ ମୂର୍ତ୍ତିନି ଏଞ୍ଜେଲ ଇନଭେସଟିଂ ୧୦୧ କୁ କେନ୍ଦ୍ର କରି ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ ।ଏହି ସମାବେଶରେ ଅଂଶଗ୍ରହଣକାରୀ ସୂଚନା ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ପ୍ରଣୟନକାରୀମାନେ ମୁଖ୍ୟତଃ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ କ୍ଷେତ୍ରରେ ବର୍ଦ୍ଧିଷ୍ଣୁ ସୁଯୋଗ, ସଦ୍ୟତମ ଅଗ୍ରଗତି ଏବଂ ସାମ୍ପ୍ରତିକ ଆହ୍ବାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ଜେନେରେଟିଭ ଏଆଇ ବିଭିନ୍ନ ପାଠ୍ୟ, କୋଡ୍, ପ୍ରତିଛବି ଏବଂ ଭିଡିଓ ସହିତ ସଂଯୁକ୍ତ ତଥ୍ୟ ପ୍ରକରଣକୁ ଜେନେରେଟ କରିପାରିବ, ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟାନ୍ୱୟନ କରିପାରିବ ଏବଂ ଜଟିଳ ମଲ୍ଟିଷ୍ଟେପ ପ୍ରକ୍ରିୟାଗୁଡ଼ିକକୁ ନିର୍ଭରଯୋଗ୍ୟ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହେବ।
-ଜେଫ୍ ଡିନ୍, ଗୁଗୁଲର ମୁଖ୍ୟ ବୈଜ୍ଞାନିକ
ପ୍ରମୁଖ ବକ୍ତା ଗୁଗୁଲର ମୁଖ୍ୟ ବୈଜ୍ଞାନିକ ଜେଫ ଡିନ ଭବିଷ୍ୟତରେ ବିଶେଷଜ୍ଞମାନଙ୍କ ଦ୍ୱାରା ଜେନେରେଟିଭ ଏ.ଆଇ ର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ। ଜେଫ, ମଲ୍ଟିମୋଡ଼ାଲ ମଡେଲଗୁଡ଼ିକର ବିକାଶ ଉପରେ ଜୋର ଦେଇଥିଲେ ଯାହା ବିଭିନ୍ନ ପାଠ୍ୟ, କୋଡ୍, ପ୍ରତିଛବି ଏବଂ ଭିଡିଓ ସହିତ ସଂଯୁକ୍ତ ତଥ୍ୟ ପ୍ରକରଣକୁ ଜେନେରେଟ କରିପାରିବ, ନିରବିଚ୍ଛିନ୍ନ ଭାବରେ କାର୍ଯ୍ୟାନ୍ୱୟନ କରିପାରିବ ଏବଂ ଜଟିଳ ମଲ୍ଟିଷ୍ଟେପ ପ୍ରକ୍ରିୟାଗୁଡ଼ିକକୁ ନିର୍ଭରଯୋଗ୍ୟ ଭାବରେ ସମ୍ପନ୍ନ କରିବାରେ ସକ୍ଷମ ହେବI ସେ ଉପରୋକ୍ତ ଏଆଇ ମଡେଲଗୁଡ଼ିକର ଅଭ୍ୟୁଦୟର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏନଆଇଏସ୍ଇଆର ଏବଂ ଆଇଆଇଏସ୍ଇଆର ଭଳି ଦୁଇଟି ଖ୍ୟାତିସମ୍ପନ୍ନ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନକୁ ଓଡ଼ିଶାକୁ ଆଣିବାର ଇତିହାସ ଉପରେ ତଥ୍ୟ ପ୍ରଦାନ କରି ପ୍ରଫେସର ଡଃ ଚିତ୍ତ ବରାଳ ଯୁବ ସମ୍ପ୍ରଦାୟକୁ ଓଡ଼ିଶାର ଡିଜିଟାଲ ବିକାଶ କ୍ଷେତ୍ରରେ ଉତ୍ସର୍ଗୀକୃତ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ।