ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ଓ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ-୨୦୨୫ ଉପସ୍ଥାପନ କରିଛନ୍ତି। ଏଥି ସହିତ ସଂସଦର ଉଭୟ ଗୃହକୁ ଆଜି ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆଜି ଆସିବ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହେବାକୁ ଯାଉଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ।
ଅର୍ଥନୈତିକ ସର୍ଭେ-୨୦୨୫ରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବାର ଅନୁମାନ କରାଯାଉଛି। ଏହି ଅନୁମାନ ସରକାରଙ୍କ ପୂର୍ବର ଅନୁମାନ ଠାରୁ କମ୍ ଏବଂ ଅନ୍ୟପଟରେ ଦେଖିବାକୁ ଗଲେ ଗତ ୪ ବର୍ଷରେ ସବୁଠାରୁ କମ ରହିଛି। କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେରେ ଯୁବଗୋଷ୍ଠୀଙ୍କୁ ରୋଜଗାର ଓ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ସୁବିଧା ଦେବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।
ଫେବ୍ରୁଆରି ୧ରେ ବଜେଟ୍ ୨୦୨୫-୨୬
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ସେ ଆଜି ପୂର୍ବାହ୍ଣ ୧୧ଟାରେ ଲୋକସଭାରେ ବଜେଟ୍ ଭାଷଣ ଦେବେ। ବଜେଟ୍ ସଂପର୍କିତ କାର୍ଯ୍ୟକ୍ରମ ଏମିତି ରହିଛି।
-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ଣ ୮ଟା ୩୦ରେ ନିଜ ନିବାସରୁ ନର୍ଥ ବ୍ଲକ ଅଭିମୁଖେ ବାହାରିବେ।
-ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ଟିମ୍ ସହିତ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବେ। ସେ ସେଠାରେ ରାଷ୍ଟ୍ରପତିଙ୍କୁ ବଜେଟ୍ର କପି ଦାଖଲ କରିବେ।
-ରାଷ୍ଟ୍ରପତିଙ୍କ ଠାରୁ ବଜେଟ୍ର ଅନୁମୋଦନ ମିଳିବା ପରେ ଅର୍ଥ ମନ୍ତ୍ରାଳୟକୁ ଫେରି ପୂର୍ବାହ୍ଣ ୯ଟାରେ ନର୍ଥ ବ୍ଲକର ୨ ନମ୍ବର ଗେଟ୍ରେ ଫଟୋ ସୁଟ୍ ହେବ।
-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଂକଜ ଚୌଧୁରୀ ବଜେଟ ସହିତ ସଂଗଦରେ ପୂର୍ବାହ୍ଣ ୧୦ଟାରେ ପ୍ରବେଶ କରିବେ। ଏଠା୍ରେ ଫଟୋ ସୁଟ୍ ହେବ।
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ର ପୂର୍ବାହ୍ଣ ୧୦ଟା ୧୫ରୁ ୧୦ଟା ୪୦ ଯାଏଁ ସଂସଦ ଭବନ ପରିସରରେ ବୈଠକ ହେବ। ଏହା ପରେ ବଜେଟ୍କୁ କ୍ୟାବିନେଟ୍ରୁ ମଂଜୁରୀ ମିଳିବ।
-କ୍ୟାବିନେଟ୍ର ଅନୁମୋଦନ ପରେ ଅର୍ଥମନ୍ତ୍ରୀ ସକାଳ ୧୧ଟାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ।
-କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ଅପରାହ୍ଣ ୩ଟାରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ।
-ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ, ଅର୍ଥ ମନ୍ତ୍ରାଳୟର ସଚିବ ଓ ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଉପସ୍ଥିତ ରହିବେ।