ଅସିତ ମହାନ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରରେ ପ୍ରତିବର୍ଷର ସ୍ନାନଯାତ୍ରା ପରେ, ସେଦିନ ରାତିରୁ ଆରମ୍ଭ ହୋଇଥାଏ ଦାରୁଦିଅଁମାନଙ୍କର ଅଣସର ନୀତି। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ରାତିରୁ ଅମାବାସ୍ୟାର ପ୍ରଭାତ ପର୍ଯ୍ୟନ୍ତ ଏକପକ୍ଷ ବ୍ୟାପୀ ଏହି ଗୁପ୍ତ ନୀତି େହାଇଥାଏ। ନବକଳେବର ବର୍ଷରେ ଏହା ଆହୁରି ଏକମାସ ବଢ଼ିଯାଏ। ସେଥିପାଇଁ ସାଧାରଣ ବର୍ଷ ଏହାକୁ ‘ଅଣସର’ କୁହାଯିବାବେଳେ, ନବକଳେବର ବର୍ଷରେ କୁହାଯାଏ ‘ମହାଅଣସର’। ଏହି ଅଣସର ବା ମହାଅଣସର ସମୟରେ ପୂଜା ପାଆନ୍ତି ‘ପଟିଦିଅଁ’। ଏହା ପଟ ଉପରେ ଅଙ୍କିତ ପ୍ରତିମା। ଏହି ପ୍ରତିମାଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଚିତ୍ରକାର ସେବକ ସ୍ବତନ୍ତ୍ର ଭାବରେ ଅଙ୍କନ କରିଥାଆନ୍ତି।
ବ୍ୟାସଦେବକୃତ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ର ଏକାଦଶ ସ୍କନ୍ଧ, ସପ୍ତବିଂଶ ଅଧ୍ୟାୟର ଦ୍ବାଦଶ ଶ୍ଳୋକରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ତାଙ୍କର ପ୍ରତିମା କେଉଁପରି ଭାବରେ ନିର୍ମିତ ହେବ କହିଛନ୍ତି। ସେହି ପ୍ରସଙ୍ଗରେ ଅଷ୍ଟବିଧ ପୂଜାଯୋଗ୍ୟ ପ୍ରତିମା ଆସିଛନ୍ତି। ଶ୍ରୀକୃଷ୍ଣ କହିଛନ୍ତି- ‘‘ଶୈଳୀ ଦାରୁମୟୀ ଲୌହୀ ଲେପ୍ୟା ଲେଖ୍ୟା ଚ ସୈକତୀ। / ମନୋମୟୀ ମଣିମୟୀ ପ୍ରତିମାଷ୍ଟବିଧା ସ୍ମୃତା।’’ ଅର୍ଥାତ୍, ପ୍ରତିମା ହେଉଛନ୍ତି ଆଠ ପ୍ରକାରର। ସେମାନେ- ‘‘ପଥରରେ ତିଆରି, ଦାରୁରେ ତିଆରି, ଲୁହା ଓ ସୁବର୍ଣ୍ଣ ଆଦି ଧାତୁରେ ତିଆରି, ମୃତ୍ତିକା ଓ ଚନ୍ଦନରେ ତିଆରି, ପଟରେ ବା କାନ୍ଥରେ ଅଙ୍କିତ, ବାଲିରେ ତିଆରି ଏବଂ ମନୋମୟୀ ଓ ମଣିମୟୀ ମୂର୍ତ୍ତି। ଏଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପୂର୍ବରୂପ ଶ୍ରୀନୀଳମାଧବ ମଣିମୟୀ (ଇନ୍ଦ୍ରନୀଳମଣି) ମୂର୍ତ୍ତି ଥିବାବେଳେ, ଇନ୍ଦ୍ରଦ୍ୟୁମ୍ନଙ୍କଠାରୁ ଏ ପର୍ଯ୍ୟନ୍ତ ପୂଜା ପାଉଥିବା ମୂର୍ତ୍ତି ଦାରୁମୟୀ। ଏହି ମୂର୍ତ୍ତି ଦାରୁରେ ନିର୍ମିତ ଏବଂ ‘ବ୍ରହ୍ମଦାରୁ’ ଓ ‘ଦାରୁବ୍ରହ୍ମ’ ବୋଲି କଥିତ ହୋଇଥାନ୍ତି। କିନ୍ତୁ ଅଣସର ସମୟରେ ପୂଜିତ ପଟିଦିଅଁ ‘ଲେଖ୍ୟା’ ବା ପଟ ଉପରେ ଅଙ୍କିତ ପ୍ରତିମା। ଅଣସର ତାଟି ଭିତରେ ଅଣସର ଗୃହରେ ଦାରୁମୟୀ ମୂର୍ତ୍ତିଙ୍କର ଗୁପ୍ତନୀତି ଚାଲିଥିବା ବେଳେ, ଏହି ଚିତ୍ରପଟ ବା ପଟିଦିଅଁ ଅଣସର ତାଟି ବାହାରେ ପୂଜିତ ହୋଇଥାନ୍ତି।
ଏହି ପ୍ରତିମାଙ୍କ ସଂପର୍କରେ ‘ନୀଳାଦ୍ରିମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ବିଶଦ ବର୍ଣ୍ଣନା ଅଛି। ସାଧାରଣ ବର୍ଷର ଅଣସର (ବା ମହାଅଣସର) ସମୟରେ ଏହି ଗୁପ୍ତନୀତି ଚାଲୁଥିବା ବେଳେ, ଦାରୁବ୍ରହ୍ମଙ୍କୁ ସଂପୃକ୍ତ ଅଙ୍ଗରକ୍ଷକ ଦଇତା ଓ ପତି ସେବକଙ୍କ ଭିନ୍ନ ଆଉ କେହି ଦର୍ଶନ କରିପାରନ୍ତି ନାହିଁ। ତେଣୁ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ କମଳାସନ! ବାଉଁଶ ତାଟିର ଆବରଣ ମଧ୍ୟରେ ଯେଉଁ ୧୫ ଦିନ ଠାକୁର ଅଣସରରେ ଅବସ୍ଥାନ କରନ୍ତି, ସେହି ସମୟରେ କେଉଁସବୁ କର୍ମ କରାଯାଏ, ତାହା ମୋତେ ବୁଝାଇ କୁହନ୍ତୁ। ହେ ପଦ୍ମଯୋନି! ବାଉଁଶ ତାଟିର ଅାବରଣ ମଧ୍ୟରେ ପରମାତ୍ମା ବିଷ୍ଣୁ ଅବସ୍ଥାନ କରୁଥିବା ସମୟରେ ତାଙ୍କୁ ତ କେହି ଦର୍ଶନ କରନ୍ତି ନାହିଁ; ସେହି ସମୟରେ ତାଙ୍କର ‘ଷଟ୍କାଳ’ ବା ଛଅଥର ପୂଜା ଅର୍ଚ୍ଚନା କିପରି କରାଯାଏ, ତାହା ମୋତେ ଅତିଶୀଘ୍ର କହନ୍ତୁ!’’
ଇନ୍ଦ୍ରଦ୍ୟୁମ୍ନଙ୍କର ସେହି ପ୍ରଶ୍ନର ଉତ୍ତରରେ ବ୍ରହ୍ମା ତାଙ୍କୁ କହିଛନ୍ତି- ‘‘ହେ ମହାପ୍ରାଜ୍ଞ ରାଜା! ଶୁଣ। ସ୍ନାନୋତ୍ସବ ସମାପ୍ତି ପରେ, ସେହି ବାଉଁଶ ତାଟିର ଆବରଣରେ ବହୁ ଚିତ୍ର, ବିଚିତ୍ର ବସ୍ତ୍ର ଉପରେ ଅତି ସୁନ୍ଦର ତିନିହାତ ଲମ୍ବ ଓ ଦେଢ଼ହାତ ଓସାର ସୂକ୍ଷ୍ମବସ୍ତ୍ରରେ ଚିତ୍ରପ୍ରତିମା କରିବ। ସେହି ଚିତ୍ରପ୍ରତିମାଙ୍କ ପଟକୁ ସୁନ୍ଦର କରି ବାନ୍ଧି ତାହା ସମ୍ମୁଖରେ ଖଟ ପକାଇବ। ତାହା ପରେ ଧବଳବର୍ଣ୍ଣର ରାମ (ବଳଭଦ୍ର)ଙ୍କୁ ଶଙ୍ଖ, ଚକ୍ର, ହଳ ଓ ମୂଷଳଧାରୀ ଚତୁର୍ଭୁଜ ରୂପେ ଚିତ୍ର କରାଇବ। ପଦ୍ମାସନରେ ଆସୀନା ସୁଭଦ୍ରା ପୀତବର୍ଣ୍ଣା ଓ ଚତୁର୍ଭୁଜା ରୂପେ ଚିତ୍ରିତ ହେବେ। ତାଙ୍କର ଦୁଇ ହସ୍ତରେ ଦୁଇଟି ପଦ୍ମ ଏବଂ ଅନ୍ୟ ଦୁଇ ହସ୍ତରେ ଅଭୟ ମୁଦ୍ରା ଚିତ୍ରିତ ହେବ। ସେହିପରି, ସେହି ଚିତ୍ର ପ୍ରତିମାରେ ବିଷ୍ଣୁ ନୀଳମେଘବର୍ଣ୍ଣରେ ଚିତ୍ରିତ ହେବେ। ତାଙ୍କର ନେତ୍ର ପଦ୍ମପରି ଏବଂ ସେ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିବା ଚିତ୍ରିତ ହେବ। ଶ୍ରୀସୁଦର୍ଶନ ଚକ୍ରରୂପେ ସେଥିରେ ବିରାଜିତ ହେବେ।’’
‘ନୀଳାଦ୍ରିମହୋଦୟ’ର ଶାସ୍ତ୍ରୋଲ୍ଲେଖ ଓ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ, ଅଣସର ତାଟିର ଭିତର ପଟେ ଅଣସର ଘରେ ଦାରୁବିଗ୍ରହମାନଙ୍କର ଗୁପ୍ତନୀତି ଚାଲିଥିବା ବେଳେ, ତାଟିର ବାହାରେ, ବାଉଁଶ ତାଟିରେ, ଏହି ତିନି ପଟ ପ୍ରତିମା ବିରାଜିତ ହୁଅନ୍ତି। ତାଙ୍କର ସମ୍ମୁଖ ଖଟରେ ଅନ୍ୟ ସାତ ମୂର୍ତ୍ତି ବିରାଜମାନ କରନ୍ତି। ସମସ୍ତଙ୍କୁ ମିଶାଇ ସେମାନଙ୍କୁ ‘ଦଶାବତାର ଦିଅଁ’ କୁହାଯାଏ। ଅଣସର ସମୟରେ ସେମାନଙ୍କର ପୂଜା ହିଁ ହୋଇଥାଏ।
କିନ୍ତୁ ଏ ପ୍ରସଙ୍ଗରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ସେହି ବ୍ରହ୍ମା ହିଁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି। ତାହା ହେଉଛି- ‘‘ବାଉଁଶତାଟିର ଆବରଣ ବା ଅଣସର ଘରକୁ କେବଳ ବିଶ୍ବାବସୁ ଓ ବିଦ୍ୟାପତି ବଂଶର ସେବକ (ଅର୍ଥାତ୍ ଦଇତା ଓ ପତି) ପ୍ରବେଶ କରିପାରିବେ। ସେମାନଙ୍କ ଭିନ୍ନ ଆଉ କେହି ପ୍ରବେଶ କରିପାରିବେ ନାହିଁ। ଯେହେତୁ ଦାରୁବିଗ୍ରହଧାରୀ ଠାକୁର ସେହି ସମୟରେ ପଟରେ ଅଧିଷ୍ଠିତ ଥାଆନ୍ତି ଏବଂ ସେହି ପଟକୁ ହିଁ ଆଶ୍ରୟ କରି ରହିଥାଆନ୍ତି, ସେଥିପାଇଁ ସେତେବେଳେ ସେହି ପଟରେ ହିଁ ତାଙ୍କର ପୂଜା ହେବ। ଏହିପରି ଭାବରେ ଏହି ୧୫ ଦିନର ଅଣସର (ବା ନବକଳେବରର ଦେଢ଼ ମାସର ମହାଅଣସର) ସମୟରେ ‘ପଟବ୍ରହ୍ମ’ ହିଁ ‘ଦାରୁବ୍ରହ୍ମ’ ଦୃଷ୍ଟିରେ ପୂଜା ହେବେ। ସେ ଯେଉଁ ବାଉଁଶ ତାଟିରେ ପୂଜା ପାଆନ୍ତି, ତାହା ‘ତାଟି ମନ୍ଦିର’ ରୂପେ ବିବେଚିତ ହେବ।’’ ଏଇଥିପାଇଁ ହିଁ, ଏବର୍ଷର ଅଣସର ୧୩ ଦିନ ହେଉଥିବାରୁ, ନବଯୌବନ ଦର୍ଶନ ଦିନ ଦାରୁବ୍ରହ୍ମଙ୍କଠାରୁ ରଥପାଇଁ ଆଜ୍ଞାମାଳ ନ ଆସି, ଏହି ଅଣସର ପଟି ବା ପଟିଦିଅଁ ବା ‘ପଟବ୍ରହ୍ମ’ଙ୍କଠାରୁ ହିଁ ଆଜ୍ଞାମାଳ ଆସିବାର ବିଧାନ ହୋଇଛି।