Thursday, January 9, 2025
Thursday, January 9, 2025
Home ରାଜ୍ୟ ଅତନୁଙ୍କ ଗଣିତକୁ ନେଇ ଚର୍ଚ୍ଚା: ଆଉ ଦଶ ସିଟ୍‌… ନବୀନ ମୁଖ୍ୟମନ୍ତ୍ରୀ

ଅତନୁଙ୍କ ଗଣିତକୁ ନେଇ ଚର୍ଚ୍ଚା: ଆଉ ଦଶ ସିଟ୍‌… ନବୀନ ମୁଖ୍ୟମନ୍ତ୍ରୀ

by
0 comment

କେନ୍ଦ୍ରାପଡ଼ା: ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ରବିବାର ଅନୁଷ୍ଠିତ ବିଜେଡି ଜନସ˚ପର୍କ ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅତନୁ ନିଜ ଦଳର କର୍ମୀ ତଥା ମୁରବିଙ୍କୁ ଭରସା ଦେବାକୁ ଯାଇ ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କହିଛନ୍ତି। ଏହା ସହିତ ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କୁ କଟାକ୍ଷ କରି ମହାକାଳପଡ଼ାରେ ନେତା କିଏ ଲୋକେ ଜାଣି ପାରୁନାହାନ୍ତି ବୋଲି କହିଛନ୍ତି। ଅତନୁ କହିଛନ୍ତି ଯେ ନବୀନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଉ ଆଠ ଦଶଟି ସିଟ୍‌ ଦରକାର। କିନ୍ତୁ ଏହି ଆସନଗୁଡ଼ିକ ସଂପର୍କରେ ସେ ଖୋଲିକି କହି ନାହାନ୍ତି। କିନ୍ତୁ ଅତନୁଙ୍କ ଏଭଳି ଗଣିତ ଉପରେ ଜବାବ ରଖିଛନ୍ତି ମହାକାଳପଡ଼ାର ବିଜେପି ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ। ସେ ଏହାକୁ ପ୍ରତ୍ୟାଖ୍ୟାତ ନେତାଙ୍କ ବାଚାଳାମି ବୋଲି କହିବା ସହିତ ନିଜ ପାଦ ତଳୁ ମାଟି ଖସିଯାଉଥିବା ଜାଣିପାରି ଅତନୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଲୋକମାନେ କିନ୍ତୁ ଠିକ୍‌ କ’ଣ ତାହା ଜାଣିଛନ୍ତି। ଦୁଇ ନେତାଙ୍କ ଏଭଳି ଆକ୍ଷେପ-ପ୍ରତିଆକ୍ଷେପ ଜିଲ୍ଲା ରାଜନୀତିକୁ ସରଗରମ କରିଛି। 

ପ୍ରତ୍ୟାଖ୍ୟାତ ନେତା ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଦୁର୍ଗା

ଗତ ସାଧାରଣ ନିର୍ବାଚନରେ ବିଜେପିଠୁ ହାରିଯିବା ପରେ ମହାକାଳପଡ଼ାରେ ଅତନୁଙ୍କର ଏହା ଥିଲା ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ। ଅବସର ଥିଲା ଦଳର ଜନସ˚ପର୍କ ପଦଯାତ୍ରା। ମହାକାଳପଡ଼ା ଗଡ଼ାରୁ ପଦଯାତ୍ରା ଆରମ୍ଭ ହେଇ କେୟାରବାଙ୍କଠାରେ ଶେଷ ହେବା ପରେ ତହସିଲ କାର୍ଯ୍ୟାଳୟରେ ଏକ ସଭାକାର୍ଯ୍ୟ ହୋଇଥିଲା। ଏଥିରେ ଉପସ୍ଥିତ ଶତାଧିକ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଅତନୁ କହିଛନ୍ତି ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ତାଙ୍କ ସମୟରେ ଯେଉଁ ବିକାଶର ରଥ ଚାଲିଥିଲା, ତାହା ଗଲା ପାଞ୍ଚ ମାସ ହେବ ବନ୍ଦ ହୋଇଯାଇଛି। ମହାକାଳପଡ଼ାରେ ନେତା କିଏ ଲୋକେ ଜାଣିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ନାହାନ୍ତି ବୋଲି ସାରା ଓଡ଼ିଶାବାସୀ କାନ୍ଦୁଛନ୍ତି। ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକମାନେ ପ୍ରସ୍ତୁତ ହୋଇ ସାରିଲେଣି। ଏଥିରେ ଆଉ ଦ୍ବନ୍ଦ୍ବ ନାହିଁ। ସ˚ଖ୍ୟା ଗଣିତ ଦର୍ଶାଇବାକୁ ଯାଇ ଅତନୁ କହିଛନ୍ତି ଯେ ଆମର ୫୧, କ˚ଗ୍ରେସର ୧୪, ସ୍ବାଧୀନ ୩କୁ ମିଶାଇ ଦେବା ପରେ ଆଉ କେତେ ବାକି ରହିଲା? ଦଶଟା ତ’…? ଯାହା ଅବସ୍ଥା ହେଲାଣି, କିଛି ଖୋଲିକି ଏଠି କହିବି ନାହିଁ। ମହାକାଳପଡ଼ାରୁ ନିପନ ଷ୍ଟିଲ୍‌ ଅନ୍ୟଆଡେ଼ ଯିବା ପାଇଁ ନିଷ୍ପତ୍ତି ନେଇ ସାରିଲାଣି। ବଙ୍ଗୀୟମାନେ ଏଯାଏଁ ପଟ୍ଟା ପାଇପାରିଲେ ନାହିଁ। ଲୋକମାନଙ୍କୁ ଆଉ କେତେ ଦିନ ମିଛ କହିବେ ବୋଲି ଅତନୁ ପ୍ରଶ୍ନ କରିବା ସହିତ ମହାକାଳପଡ଼ାର ବିକାଶ ପରିବର୍ତ୍ତେ ବିନାଶ କରାଗଲେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି।

ସେପଟେ ଅତନୁ ଏଭଳି ମନ୍ତବ୍ୟ ରଖି ଅପରିପକ୍ବତାର ପରିଚୟ ଦେଇଛନ୍ତି ବୋଲି ବିଧାୟକ ଦୁର୍ଗା କହିଛନ୍ତି। ସେ କହିଛନ୍ତି ଯେ ମହାକାଳପଡ଼ା ନିର୍ବାଚନ ମଣ୍ତଳୀବାସୀ ସ୍ପଷ୍ଟ ଜନାଦେଶ ଦେଇ ଅତନୁ ଭାଇଙ୍କୁ ତାଙ୍କ ସ୍ଥିତି ସ˚ପର୍କରେ ଜଣାଇ ଦେଇଛନ୍ତି। ତାଙ୍କ ଭଳି ଜଣେ ପରିପକ୍ବ ନେତାଙ୍କଠୁ ଏଭଳି ମନ୍ତବ୍ୟ ଶୋଭା ପାଉନାହିଁ। ନିଜ ସ୍ଥିତି ରକ୍ଷା ଏବ˚ ମୁଖିଆଙ୍କୁ ଖୁସି କରିବା ପାଇଁ ସେ ଏଭଳି ପ୍ରଳାପ କରୁଛନ୍ତି। ଲୋକମାନେ ତାଙ୍କୁ ମହାକାଳପଡ଼ା ନିର୍ବାଚନମଣ୍ତଳୀରେ ପୂରାଇ ଦେବେ ନାହିଁ। ସେହି ଡରରେ ରବିବାର ପଦଯାତ୍ରା ଯେଉଁଠି ଆରମ୍ଭ କଲେ, ସେଇଠି ଶେଷ କରିଦେଲେ। ଦାଦାଗିରି, ପିସି କାରବାର କଥା ଯାହା କହିଛନ୍ତି, ତାହା ଠାକୁର ଘରେ କିଏ ନା ମୁଁ କଦଳୀ ଖାଉନି ନ୍ୟାୟରେ ନିଜ ଅଭିଜ୍ଞତାର କଥା ଅତନୁ ଭାଇ କହିଛନ୍ତି। ନିପନ ଷ୍ଟିଲ୍‌ ମହାକାଳପଡ଼ାରୁ ଯାଉନାହିଁ ବୋଲି ସରକାରଙ୍କ ତରଫରୁ ଶିଳ୍ପ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି। ବଙ୍ଗ ଭାଷାଭାଷୀଙ୍କୁ ପଟ୍ଟା ଦେବା ସରକାରଙ୍କ ପ୍ରାଥମିକତା ରହିଛି। ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ବି ସରିଛି। ପୂର୍ବତନ ବିଧାୟକ ମିଛ କଥା କହି ଲୋକମାନଙ୍କୁ ଆଉ ଭ୍ରମିତ କରନ୍ତୁ ନାହିଁ ବୋଲି ଦୁର୍ଗା କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od