ପଦ୍ମଚରଣ ନାୟକ
ମଧୁବାବୁ ୧୮୯୭ ମସିହାରେ ବିଲାତ ଯାଇ ଓଡ଼ିଶାର ଗୌରବ ବଢାଇଥିବାରୁ ‘ଉତ୍କଳ ଦୀପିକା’ ତାଙ୍କୁ ଉତ୍କଳଗୌରବ ବୋଲି ଘୋଷଣା କରିଥିଲେ। ଆଜି ପର୍ଯ୍ୟନ୍ତ ସେ ସମଗ୍ର ଓଡ଼ିଶାରେ ଉତ୍କଳଗୌରବ ଭାବରେ ପରିଚିତ। କିନ୍ତୁ ମଧୁବାବୁଙ୍କର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଓ କାର୍ଯ୍ୟକଳାପ ଲାଗି ମହାତ୍ମା ଗାନ୍ଧୀ, ରାଜେନ୍ଦ୍ର ପ୍ରସାଦ, ଜବାହରଲାଲ ନେହରୁ ଓ ଶ୍ୟାମାପ୍ରସାଦ ମୁଖାର୍ଜୀ ଆଦି ବି ତାଙ୍କୁ ଭାରତ ମାତାଙ୍କର ସୁଯୋଗ୍ୟ ସନ୍ତାନ ବୋଲି କହି ଯାଇଛନ୍ତି। ମୃତ୍ୟୁ ବେଳକୁ ସେ ଖାଲି ଉତ୍କଳର ଗୌରବ ହୋଇ ନଥିଲେ, ସେ ହୋଇ ପାରିଥିଲେ ଭାରତ ବର୍ଷର ଗୌରବ। ଇଂରେଜ ସରକାର ଅଧୀନରେ ମନ୍ତ୍ରୀ ହେବାକୁ ସେ ସମୟର ସ୍ୱାଧୀନତା ସଂଗ୍ରାମୀମାନେ ଅପସନ୍ଦ କରୁଥିଲେ। କିନ୍ତୁ ମଧୁବାବୁ ମନ୍ତ୍ରୀ ଥିବା ସମୟରେ ଏଭଳି କାମ କରିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଭଳି ନେତା କହିଥିଲେ, “ମଧୁସୂଦନ ଦାସ ଓ ଯଜ୍ଞେଶ୍ୱର ଚିନ୍ତାମଣିଙ୍କ ଭଳି ମନ୍ତ୍ରୀ ହୋଇ କାର୍ଯ୍ୟ କଲେ ମୁଁ ସେମାନଙ୍କୁ ସ୍ୱାଗତ କରିବି।”
ଆର୍ଯ୍ୟ ମଧୁସୂଦନ
ମାୟାଧର ମାନସିଂହ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
ଗୋଟି ଗୋଟି କରି ଜଳାଇ ଯାଇଛ
କୋଟିଏ ଜାତୀୟ ସୂର୍ଯ୍ୟ ହେ।
ମୃତ୍ୟୁଞ୍ଜୟ ମୃତ୍ୟୁ ତୁମର ନାହିଁ ଯେ,
ମରଣ ନଇଁବ ତମର ବିଜୟ ପାଇଁ ଯେ,
ସ୍ୱଭାବ ଛାଡ଼ିବ ଦେଖି େସେ ଅମୋଘ-ଶୌର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ।
ଭୀଷ୍ମ ହେ ବାଛି ନେଇଥିଲ ନିଜ ଅୟନ
ରଣ-ସଙ୍କୁଳ ପଣ-ପିଚ୍ଛିଳ ଗହନ,
ପର ପାଇଁ କେତେ ବରିଅଛ ଶର-ଶୟନ
ବଜାଇ ଚାଲିଛ ଏକା ଏକା ରଣ ତୂର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
ରୁଦ୍ର ହେ, ତବ ଡମ୍ବରୁ ଘନ ଘୋଷରେ
ସୁପ୍ତ ଏ ଜାତି ତେଜିଲା ଜଡ଼ତା ଶେଷରେ,
ଦେଲ ତୁମେ ନିଜେ ଜୈତ୍ର-କୁସୁମ ଲଗାଇ
ଜନନୀ-କେଶରେ
ଯଶ ଲାଗି ତା’ର ଝସାଇ ପଶିଲ ଯୁଦ୍ଧେ ପରମ ବୀର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
ନରପୁଙ୍ଗବ ମରତେ ଦେଖିଲ ଯାହାକୁ
ବର ସନ୍ତାନ ପରି ଚିହ୍ନାଇଲ ମାଆକୁ
ମାଆର ବିପଦେ ଦେଖାଇଲ ନିଜ ବାହାକୁ
ଇତିହାସ ଆଜି ତୁମର ସେ ସବୁ କାର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
ମୃତ୍ୟୁ-ସୂଦନ ହେ ମଧୁସୂଦନ ତୁମରେ
ଅମର୍ତ୍ତ୍ୟ ସବୁ ଘେରିଥିବେ ଦେବ-ଗ୍ରାମରେ
ମର୍ତ୍ତ୍ୟେ ସ୍ମରଣେ ଜୟଗାନ ତବ ନାମରେ
ମରଣ ତ ପଦେ ହେଉଅଛି ନିଜ ଅର୍ଘ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
କି ପାଇଁ ଅଶ୍ରୁ ତେଜିବୁ ହେ ଶୁର-ସତ୍ତମ,
ମରଣ ତ ତବ ଜୀବନରୁ ବଳି ଉତ୍ତମ
ଏକ ଥିଲ, ଆଜି ଅନେକ ହୋଇଛ
ଏକଥା କି ନିକି ଧାର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
ଖାଲି ଶୁଣ ଶୂର ମୃତ୍ୟୁ-ଆତୁରେ ଏକାଳେ
ତବ ଜୟଗାନ ଜନମୁଖେ ମୁଖେ ପ୍ରଚାରେ
ଫେରି ଚାହିଁ ନେତା, ମରଣ-ପ୍ରାଚୀର ସେପାରେ
ସେହି ତ ଆମକୁ ଦେବ ଅକଳନ ଧୈର୍ଯ୍ୟ ହେ
ଆର୍ଯ୍ୟ ହେ ବୀର ବର୍ଯ୍ୟ ହେ
ସ୍ତବ୍ଧ କି ତବ ତୂର୍ଯ୍ୟ ହେ?
(ମଧୁସୂଦନଙ୍କ ମୃତ୍ୟୁ ଅବସରରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ଆହୂତ ଶୋକସଭାରେ ପଠିତ) ୭ ଫେବ୍ରୁଆରି, ୧୯୩୪
ମଧୁବାବୁଙ୍କ ମୃତ୍ୟୁ ପରେ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ସେ ବେଳର ଡିଭିଜନାଲ କମିସନର ଇ.ଏସ୍. ହର୍ଣ୍ଣେଲ୍। ସେ ମଧୁବାବୁଙ୍କୁ ଇହୁଦୀମାନଙ୍କ ତ୍ରାଣକର୍ତ୍ତା ମୋଜେସ୍ଙ୍କ ସହିତ ତୁଳନା କରି କହିଥିଲେ: “ଆମେ ଆଜି ସବୁ ଧର୍ମାବଲମ୍ବୀ, ସବୁ ଶ୍ରେଣୀ ତଥା ସବୁ ପ୍ରକାର ଧନ୍ଦାରେ ନିଯୁକ୍ତ ନରନାରୀ ଏଭଳି ଜଣେ ବ୍ୟକ୍ତିଙ୍କ ସ୍ମୃତିକୁ ସମ୍ମାନ ଦେବାକୁ ଯାଉଛୁ, ଯେ କି ଥିଲେ ଜଣେ ମହାନ୍ ଜନସେବକ ତଥା ସମଗ୍ର ମାନବ ସମାଜକୁ ଶ୍ରଦ୍ଧା କରୁଥିବା ଜଣେ ସାଧାରଣ ଲୋକ। ନିଜ ଦେଶ ଓ ଜାତିକୁ ମହାଭାରତୀୟ ରାଜ୍ୟ ଗୋଷ୍ଠୀରେ ସମାନ ତଥା ସମ୍ମାନନୀୟ ଅଂଶୀଦାର ଭାବରେ ପ୍ରତିଷ୍ଠିତ କରାଇବା ଲାଗି ସେ ତାଙ୍କ ସାରା ଜୀବନ ସାଧନା ଚଳାଇଥିଲେ। ‘ବୀର ଭଳି ସମସ୍ତ ଶକ୍ତି ଦେଇ ସଂଗ୍ରାମରେ ଝାସ ଦିଅ’- ଏହି ଖ୍ରୀଷ୍ଟୀୟ ଅନୁଶାସନକୁ ସେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରି ଯାଇଛନ୍ତି। ଏକ ‘ସ୍ୱତନ୍ତ୍ର ଓଡ଼ିଶା’ ସ୍ୱପ୍ନକୁ ସାର୍ଥକ କରିବା ଲାଗି ସେ ନିଜର ପୌରୁଷକୁ ବାଜି ଲଗାଇ ଯାଇଛନ୍ତି। ଇହୁଦୀ ଜାତିର ତ୍ରାଣକର୍ତ୍ତା ମୋଜେସ୍ ମିଶରୀୟଙ୍କ କବଳରୁ ସେମାନଙ୍କୁ ନାନା ବିପଜ୍ଜନକ ପରିସ୍ଥିତିରୁ ଉଦ୍ଧାର କରି ପିଜ୍ଗା ପର୍ବତ ଶିଖର ପର୍ଯ୍ୟନ୍ତ ଘେନି ଯାଇଥିଲେ; ଯେଉଁଠୁ ସେମାନଙ୍କର ଈପ୍ସିିତ ମାତୃଭୂମି ପାଲେଷ୍ଟାଇନ୍ ଜଳ ଜଳ କରି ଦିଶି ଯାଉଥିଲା। ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଏ କଥା ଜାଣି ଅପାର ଆନନ୍ଦ ଲାଭ କରିଥିଲେ ଯେ ତାଙ୍କ ଜାତିର ଲୋକେ ମଧ୍ୟ ନିଶ୍ଚୟ ନିଜର ରାଜ୍ୟ ଫେରିପାଇବେ। ମଧୁବାବୁ ମଧ୍ୟ ସେହିଭଳି ସାରା ଜୀବନ ଲଢ଼ି ଲଢ଼ି ଓଡ଼ିଆ ଜାତିକୁ ସ୍ୱାତନ୍ତ୍ରୢ ଦେବାର ଠିକ୍ ପୂର୍ବରୁ ଚାଲିଗଲେ। ମୋଜେସ୍ଙ୍କ ଭଳି ସେ ଏତିକି ଜାଣି ସନ୍ତୋଷ ଲାଭ କରିଥିଲେ ଯେ ଓଡ଼ିଶାର ସ୍ୱତନ୍ତ୍ର ସତ୍ତାକୁ ଆଉ କେହି ରୋକିପାରିବେ ନାହିଁ।
ତାଙ୍କ ସ୍ମୃତିକୁ ସମ୍ମାନ ଦେବା ଏକ ମାମୁଲି କଥା। ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ଲାଗି ଭାଷା ନାହିଁ। ସେ ଯେଭଳି ନିଜର ସମ୍ମାନକୁ ବେଖାତିର କରି ଜାତିର ଭବିଷ୍ୟତ ଉନ୍ନତି ଲାଗି ଯଥାସମ୍ଭବ ନିଜକୁ ନିୟୋଜିତ କରିଥିଲେ, ସେହି ଭଳି କାର୍ଯ୍ୟ ଜରିଆରେ ହିଁ ଆମେ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିପାରିବା। ତାଙ୍କର ଉତ୍ସର୍ଗୀକୃତ ଜୀବନକୁ ବିଶୁଦ୍ଧ ପ୍ରେମ ଛଡ଼ା ଆଉ କଅଣ କହିହେବ? ଆମ ଭିତରେ ହୃଦୟର ମିଳନ ନହେଲେ, ଆଧ୍ୟାତ୍ମିକ ଭ୍ରାତୃତ୍ବ ଭାବ ନଆସିଲେ ଏବଂ ସର୍ବଜନ କଲ୍ୟାଣରେ ନିଃସ୍ୱାର୍ଥପର ଭାବରେ ଆମେ ସମସ୍ତେ କାମ ନକଲେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଭାରତ ମାନଚିତ୍ରରେ ଏକ ଅନ୍ତଃସାରଶୂନ୍ୟ ନିର୍ଜୀବ ଅଂଶବିଶେଷ ହୋଇ ରହିବ। ଆମେ ମୁକ୍ତ ହୃଦୟରେ ପରସ୍ପର ପ୍ରତି ଶ୍ରଦ୍ଧାବାନ ନହେଲେ, ତାଙ୍କର ଶ୍ରଦ୍ଧାର ପାତ୍ର ହୋଇପାରିବା ନାହିଁ।”
ମୋ: ୯୯୩୮୮୯୩୪୪୫
(ମଧୁବାବୁଙ୍କ ତିରୋଧାନ ଦିବସ)