ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ୮ ତାରିଖ ଦିନ ଘୋଷଣା ହେବ। ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଜାରି ହୋଇଛି। ୨୦୨୪ ଲୋକସଭା ନିର୍ବାଚନରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ମଧ୍ୟ ବାଜି ମାରିବ ବୋଲି ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ହରିୟାଣାରେ ବିଜେପିର ୧୦ ବର୍ଷର ଶାସନର ଅନ୍ତ ଘଟାଇ କଂଗ୍ରେସ ପରବର୍ତ୍ତୀ ସରକାର ଗଠନ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନ୍ୟାସନାଲ କନଫରେନ୍ସ(ଏନ୍ସି) ସହ ମେଣ୍ଟ କରି ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ପାଇଁ ସେଠାରେ ମଧ୍ୟ ଭଲ ଖବର ରହିଛି। ରାଜ୍ୟରେ ଝୁଲା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଏକ୍ଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଥିଲେ ମଧ୍ୟ ସରକାର ଗଠନ ପାଇଁ କଂଗ୍ରେସ ମେଣ୍ଟ ସୁବିଧାଜନକ ସ୍ଥିତିରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୫ଟି ସଂସ୍ଥାର ଏକ୍ଜିଟ ପୋଲ୍ ଆକଳନ ଅନୁଯାୟୀ ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ୫୫ଟି ଆସନରେ ବିଜୟୀ ହେବ।
ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ ପରେ ୯୦ଟି ଆସନ ଥିବା ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନ୍ସି ମେଣ୍ଟ ୪୩ଟି ଆସନରେ ବିଜୟୀ ହେବା ସମ୍ଭାବନା ରହିଛି। ସଂଖ୍ୟାଗରିଷ୍ଠତା ଠାରୁ ୩ଟି ଆସନ କମ୍ ପାଇ ଏହି ମେଣ୍ଟ ସବା ଆଗରେ ରହିବ ବୋଲି ଅନୁମାନ କରାଯାଇଛି। ‘ଦୈନିକ ଭାସ୍କର’ ଏକ୍ଜିଟ୍ ପୋଲ୍ରେ ହରିୟାଣାରେ କଂଗ୍ରେସକୁ ୪୪ରୁ ୫୪ ଓ ବିଜେପିକୁ ୧୫ରୁ ୨୯ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ‘ଧ୍ରୁବ ରିସର୍ଚ୍ଚ’ ବିଜେପିକୁ ୨୨ରୁ ୩୨ ଓ କଂଗ୍ରେସକୁ ୫୦ରୁ ୬୪ ଆସନ ଦେଇଛି। ‘ପିପୁଲ୍ସ ପଲ୍ସ’ ଏକ୍ଜିଟ୍ ପୋଲ୍ରେ କଂଗ୍ରେସକୁ ୪୯ରୁ ୬୧ ଓ ବିଜେପିକୁ ୨୦ରୁ ୩୨ ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ରିପବ୍ଲିକ୍ ଇଣ୍ଡିଆ-ମାଟ୍ରିଜ୍ କଂଗ୍ରେସକୁ ୫୫ରୁ ୬୨ ଓ ବିଜେପିକୁ ୧୮ରୁ ୨୪ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ଇଣ୍ଡିଆ ଟୁଡେ ସି-ଭୋଟର୍ ପୋଲ୍ରେ ବିଜେପିକୁ ୨୦ରୁ ୨୮ ଏବଂ କଂଗ୍ରେସକୁ ୫୦ରୁ ୫୮ ଆସନ ମିଳିବ ବୋଲି କୁହାଯାଇଛି।
ବୁଥ୍ ବାହୁଡ଼ା ମତ ୮ ତାରିଖରେ ଗଣତି
ଜମ୍ମୁ-କଶ୍ମୀର (୯୦ଟି ଆସନ)ରେ କଂଗ୍ରେସ ଓ ଏନ୍ସି ମେଣ୍ଟ ପ୍ରାୟ ସବୁ ଏକ୍ଜିଟ୍ ପୋଲରେ ଆଗୁଆ ଅଛନ୍ତି। ‘ପିପୁଲ୍ସ ପଲ୍ସ’ ଏକଜିଟ୍ ପୋଲରେ କଂଗ୍ରେସକୁ ୪୬ରୁ ୫୦ ଅର୍ଥାତ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଆକଳନ କରାଯାଇଛି। ଦୈନିକ ଭାସ୍କର ୩୫ରୁ ୪୦ ଟି ଆସନ ମିଳିବ ବୋଲି କହିଛି, ଯାହାକି ଝୁଲା ସ୍ଥିତିକୁ ଦର୍ଶାଇଛି। ଇଣ୍ଡିଆ ଟୁଡେ ଏବଂ ସି-ଭୋଟର କଂଗ୍ରେସ ମେଣ୍ଟ ପାଇଁ ୪୦ରୁ ୪୮ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ଏହି ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଜମ୍ମୁ-କଶ୍ମୀରରେ କଂଗ୍ରେସ ଓ ଏନ୍ସି ସରକାର ଗଢ଼ିବ ବୋଲି ଆଶା କରାଯାଉଛି।
ପଡ଼ୋଶୀ ଦିଲ୍ଲୀ ଓ ପଞ୍ଜାବରେ ସରକାର ରହିଥିବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ହରିୟାଣାରେ ନିର୍ବାଚନୀ ସଫଳତା ପାଇବ ନାହିଁ ଏବଂ ଦଳ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇନପାରେ ବୋଲି ଏକ୍ଜିଟ୍ ପୋଲ ପରିଣାମରୁ ଜଣାପଡ଼ିଛି। ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ସେଠାରେ ଝୁଲା ସ୍ଥିତିର ପୂର୍ବାନୁମାନକୁ ଦେଖି ରୋଚକ ରାଜନୈତିକ ସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି। ବିଜେପିର ପୂର୍ବ ସହଯୋଗୀ ମେହବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ୮ଟି ଆସନରେ ବିଜୟୀ ହେବା ସମ୍ଭାବନା ଥିବା ବେଳେ ସେ କିଙ୍ଗ୍ମେକର ଭାବେ ଉଭା ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।