Sunday, January 12, 2025
Home ସମ୍ପାଦକୀୟ ହଂସୁଆ ପୁନରୁଦ୍ଧାର ପାଇଁ ଲଢ଼େଇ ଜାରି ରଖିଛି: ରମାକାନ୍ତ

ହଂସୁଆ ପୁନରୁଦ୍ଧାର ପାଇଁ ଲଢ଼େଇ ଜାରି ରଖିଛି: ରମାକାନ୍ତ

by
0 comment

ଜଗତସିଂହପୁର: ହଂସୁଆ ନଦୀ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଜନତାଙ୍କ ପାଇଁ ଆଉ ଦୁଃଖ ନୁହେଁ ଜୀବନରେଖା ପାଲଟିବ। ହଂସୁଆର ପୁନରୁଦ୍ଧାର, ସ୍ଥାୟୀ ପ୍ରତିକାର ପାଇଁ ଡ୍ରେନେଜ୍‌ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନ ବୁଲିଛି। ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର କରାଗଲେ ଚାଷୀ ଉପକୃତ ହୋଇପାରିବେ। ‘ସମ୍ବାଦ’ ପକ୍ଷରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ବ୍ଲକ ଅଢ଼ଙ୍ଗଗଡ଼ ଯଶୋବନ୍ତ ପୀଠରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ ଏହା କହିଛନ୍ତି। ଡ. ଭୋଇ କହିଛନ୍ତି, ଯେତେବେଳେ ବିରୋଧୀ ଦଳରେ ଥିଲି ସେତେବେଳ ଠାରୁ ସ୍ବର ଉତ୍ତୋଳନ କରି ଆସୁଛି। ନିର୍ବାଚନ ଜିତିଲା ପରେ ବିଧାନସଭାରେ ହଂସୁଆ ପୁନରୁଦ୍ଧାର ନେଇ ମୋର ପ୍ରଥମ ପ୍ରଶ୍ନ ରହିଥିଲା। ହଂସୁଆର ଉତ୍ପତ୍ତି ସ୍ଥଳରୁ ଜଟାଧାର ମୁହାଣ ନିକଟରେ ମିଶିବା ପର୍ଯ୍ୟନ୍ତ ୧୧୧ କିଲୋମିଟର ପ୍ରବାହିତ ହେଉଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଦେଇ ୪୪ କିଲୋମିଟର ପ୍ରବାହିତ ହେଉଛି। ତେଣୁ ପୁନରୁଦ୍ଧାର ସହ ସ୍ଥାୟୀ ପ୍ରତିକାର ପାଇଁ ଚେଷ୍ଚା କରାଯାଉଛି। ଖନନ ସହ ବନ୍ଧକୁ ଉଚ୍ଚା କରାଯିବା ଏବଂ ଆବଶ୍ୟକ ସ୍ଥାନରେ ଗାର୍ଡଵାଲ୍‌ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବ। ସେହିପରି ବାଇଶି ମୌଜାରେ ନଦୀବନ୍ଧ ସୁରକ୍ଷା, ବୃକ୍ଷରୋପଣ, ରିଂ ରୋଡ୍ ଓ ଆଲୋକୀକରଣ ପାଇଁ ମଧ୍ୟ ଯୋଜନା ରହିଛି। ବିଲୁଆଖାଇ ନଦୀବନ୍ଧକୁ ମଧ୍ୟ ଉଚ୍ଚ, ସୁଦୃଢ଼ୀକରଣ, ଗାର୍ଡଵାଲ କରାଯିବା ପାଇଁ ଯୋଜନା ରହିଛି। ବିଶେଷ କରି ହଂସୁଆ ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି ଓ ଆପଣମାନଙ୍କ ସହଯୋଗ ଲୋଡ଼ିବି ବୋଲି ଉପସ୍ଥିତ ଜନତାଙ୍କୁ କହିଥିଲେ।

ସେହିପରି ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ବୋଲି କହିବା ସହ ବିଧାନସଭା ଅଧିବେଶନ ଶେଷ ହେବା ପରେ ଜଙ୍ଗଲ ବିଭାଗ ସହ ଉନ୍ନୟନ ନେଇ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବି ବୋଲି କହିଥିଲେ ବିଧାୟକ। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ବୃକ୍ଷ କଟା ଯାଇଥିବା ବେଳେ ତୁରନ୍ତ ବୃକ୍ଷରୋପଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଜାତୀୟ ରାଜପଥ ସମ୍ପ୍ରସାରଣ କରୁଥିବା ଠିକା କମ୍ପାନିର ମନମୁଖି କାର୍ଯ୍ୟ ପାଇଁ ପ୍ରାକୃତିକ ପାଣି ନିଷ୍କାସନ ବାଟ ବନ୍ଦ ହୋଇ ପାଣି ଜମୁଛି। ଏ ନେଇ ଲୋକମାନଙ୍କର ଏକାଧିକ ଅଭିଯୋଗ ମଧ୍ୟ ରହିଛି। ବିଧାନସଭା ଶେଷ ହେବା ପରେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଏହି ସମସ୍ୟା ସଂକ୍ରାନ୍ତରେ ଆଲୋଚନା ହେବ। ବାଲିଆ ପଠାରେ ଜଙ୍ଗଲ ଗଢ଼ି ଉଠିଛି। ଏଠାକୁ ଲୋକମାନେ ବଣଭୋଜି କରିବାକୁ ଆସୁଛନ୍ତି। ତେଣୁ ଏଠାରେ ପ୍ରାକୃତିକ ପରିବେଶ ସୃଷ୍ଟି ସହ ନଳକୂପ ବସାଇବା ଓ ବଣଭୋଜି ପିଣ୍ଡି ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ନିହାତି ଆବଶ୍ୟକ ବୋଲି କହିଥିଲେ। ନିଜ ଜନ୍ମଦିନରେ ଅନ୍ତତଃ ଗୋଟିଏ ଗଛ ଲଗାଇ ବଡ଼ କରିବା ପାଇଁ ପରାମର୍ଶ ଦେବା ସହ ଏ ନେଇ ଚେଷ୍ଟା ଜାରି ରଖିବାକୁ କହିଥିଲେ। ‘ସମ୍ବାଦ’ ପକ୍ଷରୁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାକୁ ପ୍ରତି ପଞ୍ଚାୟତ ଓ ବ୍ଲକ ସ୍ତରରେ କରିବାକୁ ବିଧାୟକ ଡ. ଭୋଇ ପରାମର୍ଶ ଦେଇଥିଲେ। ପ୍ରତି ପଞ୍ଚାୟତରେ ଲୋକ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ହେଲେ ‘ ପରିବେଶ ପଞ୍ଚାୟତ’ ଓ ‘ପୁନଶ୍ଚ ପୃଥିବୀ’ର ଆଭିମୁଖ୍ୟ ଆହୁରି ସଫଳ ହୋଇପାରିବ ବୋଲି ସେ କହିଥିଲେ। ସେହିପରି କବି ଡାକ୍ତର ଶୁଭ କୁମାର ଦାଶ କହିଥିଲେ, ପରିବେଶ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। କିନ୍ତୁ ଏବେ ଦେଖାଯାଉଛି ଯୁବପିଢ଼ି ଯେମିତି ଅସହାୟ ହୋଇ ପଡ଼ିଛନ୍ତି। ପରିବେଶ ସୁରକ୍ଷିତ ରହିଲେ ଜୀବଜଗତ ତିଷ୍ଠି ରହିବ। ଅଧିକରୁ ଅଧିକ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ଓ ଏହାକୁ ବଞ୍ଚାଇବା ମଧ୍ୟ ନିହାତି ଦରକାର। ନଦୀର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଆମେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ବିଧାୟକ କିମ୍ବା ଜନପ୍ରତିନିଧି ଯେତେବେଳେ ସହଯୋଗ ମାଗିବେ ଆମେ ଯୋଗାଇ ଦେବୁ ବୋଲି ଡାକ୍ତର ଦାଶ କହିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପରିବେଶବିତ୍, ମହିଳା, ଯୁବକ, ଛାତ୍ର, ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଯୋଗ ଦେଇଥିଲେ। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od