ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ-ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ୍-ଉଷା) ଆରମ୍ଭ ହୋଇଛି। ରାଜ୍ୟ କୃଷି ଭବନରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ଓଡ଼ିଶାରେ ପିଏମ୍-ଉଷା କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ୮୧ତମ ଦିନରେ ପିଏମ୍-ଉଷା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପିଏମ୍-ଉଷା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ ଏହାକୁ ପୂର୍ବରୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ। ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମାନବ ସମ୍ବଳର ବିକାଶ ହେବ। ଶିକ୍ଷା ପରିବେଶକୁ ଏହା ବିଶ୍ୱସ୍ତରୀୟ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ସ୍କୁଲ, କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କ ଠିକ୍ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ୫ଶହ କୋଟି ଟଙ୍କା ଦିଆଯିବ। ଏହି କାର୍ଯ୍ୟକ୍ରମ ୩ ବର୍ଷ ଆଗରୁ ହେବାର ଥିଲା। କିନ୍ତୁ ରାଜନୀତି ଯୋଗୁ ଓଡ଼ିଆ ପିଲାମାନେ ବଞ୍ଚିତ ହୋଇଥିଲେ। ଓଡ଼ିଶାରେ ଖୁବ୍ ଶୀଘ୍ର ଶିକ୍ଷାରେ ସ୍ୱାୟତ୍ତତା ଆସିବ। ୟୁଜିସିର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବ।
ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ପିଏମ୍- ଉଷା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଡ଼ିବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ସୁନୀଲ କୁମାର ବର୍ଣ୍ଣୱାଲ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ।