Sunday, February 23, 2025
Home ବିଶେଷ ମୋ ବୋଉର ପଥର ଭଗବାନ ମୋତେ ସ୍ଥାପତ୍ୟ ଶିଳ୍ପୀ କରିଦେଲେ: ଅଦ୍ବୈତ ଗଡ଼ନାୟକ

ମୋ ବୋଉର ପଥର ଭଗବାନ ମୋତେ ସ୍ଥାପତ୍ୟ ଶିଳ୍ପୀ କରିଦେଲେ: ଅଦ୍ବୈତ ଗଡ଼ନାୟକ

by
0 comment

ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀରୁ ଭାରତର ରାଜଧାନୀ ଦିଲ୍ଲୀ, ତା’ପରେ ଦିଲ୍ଲୀରୁ ବିଶ୍ବ ଦରବାରରେ ସ୍ବକୀୟ କଳାପ୍ରତିଭା ପ୍ରଦର୍ଶନ ବଳରେ ବହୁ ସମ୍ମାନ ଓ ସ୍ବୀକୃତିର ଅଧିକାରୀ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସ୍ଥାପତ୍ୟ ଶିଳ୍ପୀ ଅଦ୍ବୈତ ଗଡ଼ନାୟକ। ଭୁବନେଶ୍ବରର ବିକେ ଆର୍ଟ କଲେଜ୍, ଦିଲ୍ଲୀ କଲେଜ୍‌ ଅଫ୍‌ ଆର୍ଟ ଏବଂ ଲଣ୍ଡନ୍‌ସ୍ଥିତ ସ୍ଲେଡ୍ ସ୍କୁଲ୍ ଅଫ୍ ଫାଇନ୍‌ ଆର୍ଟରେ ପ୍ରଶିକ୍ଷଣ ପ୍ରାପ୍ତ ଶ୍ରୀ ଗଡ଼ନାୟକଙ୍କୁ ସଂପ୍ରତି କଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଅନନ୍ୟ ଅବଦାନ ନିମନ୍ତେ ‘ପଦ୍ମଶ୍ରୀ’ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଭେଟିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

ଶିଳ୍ପୀଟିଏ ହେବାକୁ କାହିଁକି ମନ ବଳାଇଲେ? 
ଶିଳ୍ପୀ ହେବାକୁ ହେଲେ ଜଣଙ୍କ ପାଇଁ ବାଇଶ ପିଢ଼ି ସାଧନାର ଆଶୀର୍ବାଦ ଆବଶ୍ୟକ। ପିଢ଼ି ପରେ ପିଢ଼ି ଆମ ପରିବାର ସ୍ଥାପତ୍ୟ କଳାକୁ ଗ୍ରହଣ କରିଆସିଛନ୍ତି। ମୁଁ ମୋ ଜେଜେବାପା ଓ ବାପାଙ୍କ କଳାଚାତୁରୀ ଦେଖିଛି। ମୁଁ ବିଜ୍ଞାନର ଛାତ୍ର ଥିଲି; କଳା କ’ଣ ଜାଣି ନ ଥିଲି କିମ୍ବା ସେଥିପାଇଁ ପାଠ ପଢ଼ିବାକୁ ହୁଏ ବୋଲି ମୋର ଧାରଣା ନଥିଲା। ବିଜ୍ଞାନ ପାଠ ସମ୍ବନ୍ଧୀୟ ଚିତ୍ର ଆଙ୍କୁ ଆଙ୍କୁ ମୁଁ କେତେବେଳେ କଳା ଦୁନିଆରେ ପ୍ରବେଶ କରିଯାଇଥିଲି ତାହା ମୋ ପାଇଁ ଚିରଦିନ ଅଜଣା ଓ ଅବୁଝା ହୋଇ ରହିଯାଇଛି। ତେଣୁ ମୁଁ କାହିଁକି ଶିଳ୍ପୀ ହେଲି ତା’ର ଉତ୍ତର ମୋ ପାଖରେ ନାହିଁ। ଖାଲି ଏତିକି କହିବି, ମୋ ପୂର୍ବଜମାନଙ୍କ ଆଶୀର୍ବାଦ ହିଁ ମୋତେ କଳା ଦୁନିଆକୁ ଟାଣିନେଇଛି। ସେମାନେ ତାଙ୍କ କଳା ସାଧନର ଶ୍ରେଷ୍ଠତ୍ବ ମୋ ହାତରେ ସମର୍ପି ଦେଇଛନ୍ତି ବୋଲି ମୁଁ ବିଶ୍ବାସ କରେ।

ତେବେ ଆପଣ ସ୍ଥାପତ୍ୟ ଶିଳ୍ପୀ ହେଲେ କାହିଁକି? ପୁଣି ପଥରକୁ କଳା ପ୍ରକାଶର ମାଧ୍ୟମ ଭାବେ ବାଛିଲେ…
ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ପଥ‌ରରେ ଭାସ୍କର୍ଯ୍ୟ କଳା ସୃଷ୍ଟି କରିବାର ଆଗ୍ରହ ମୁଁ ମୋ ବୋଉର ପଥରରୂପୀ ଈଶ୍ବରଙ୍କ ପ୍ରତି ବିଶ୍ବାସରୁ ପାଇଥିଲି। ଆମ ବାଡ଼ିରେ ଥିବା ଅଁଳା ଗଛମୂଳେ ଖଣ୍ଡେ ପଥରରେ ସିନ୍ଦୂର ଲେପନ କରି ବୋଉ ତାକୁ ଜୀବନ୍ତ ଈଶ୍ବର ବୋଲି ବିବେଚନା କରୁଥିଲା। ତା’ର ସେହି ଆବେଗ ହିଁ ମୋତେ ପ୍ରସ୍ତର ଶିଳ୍ପୀ କରିଦେଲା। ବୋଉର ଅଗାଧ ବିଶ୍ବାସରୁ ମୁଁ ପଥରରେ ଥିବା ଜୀବନୀଶକ୍ତିକୁ ମର୍ମେ ମର୍ମେ ଅନୁଭବ କରିଥିଲି। ଆମ ଗଁା ନେଉଳପୋଇର ଗୋଟିଏ ପାର୍ଶ୍ବରେ ଯୋରନ୍ଦା ମହିମା ଗାଦି ଏବଂ ଅନ୍ୟ ପାର୍ଶ୍ବରେ ଶୈବପୀଠ କପିଳାସ। ଏହି ସଂଯୋଗ ହେତୁ ପଥରରେ ମୁଁ ଶୂନ୍ୟସ୍ବରୂପ ଏବଂ ଶକ୍ତିର ସମନ୍ବୟକୁ ଅନୁଭବ କରିପାରିଥିଲି। ପଥର ପ୍ରତି ମୋ ମନରେ ଆକର୍ଷଣ ଓ ସମର୍ପଣ ଭାବ ଦିନକୁ ଦିନ ବଢ଼ିଚାଲିଲା ଏବଂ ମୁଁ ସ୍ଥାପତ୍ୟ ଶିଳ୍ପୀ ହେବାକୁ ମନ ବଳାଇଲି। 

ଓଡ଼ିଶାରୁ ପ୍ରଥମେ ଦିଲ୍ଲୀ ଓ ପରେ ଲଣ୍ଡନ୍‌ରେ ଆପଣ କଳାରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ ସମୟର ଅଭୁଲା ସ୍ମୃତି ଆମ ପାଠକଙ୍କୁ କହିବେ କି? 
ହଁ, ଦିଲ୍ଲୀରେ ପଢ଼ିବା ବେଳେ କାମ କରିବାକୁ ପଥର କିଣିବା ଲାଗି ମୋ ପାଖରେ ଟଙ୍କାପଇସା ନଥିଲା। ତେଣୁ ମୁଁ ରାତିରେ ଲୁଚିଛପି ସୁପ୍ରିମକୋର୍ଟ ନିକଟରୁ ପଥର ଗଡ଼ାଇ ଗଡ଼ାଇ ଆଣି କଳାକୃତି ସୃଷ୍ଟି କରିଥାଏ। ଥରେ ରାତିରେ ପଥର ଆଣିବା ବେଳେ ଜଣେ ପୁଲିସ ମତେ ଧରି ପକାଇଲେ। ପଥର କୁଆଡ଼େ ନେଉଛ ବୋଲି ପଚାରିଲେ। ମୁଁ ନିର୍ଭୟରେ କହିଲି, ମୁଁ ଦିଲ୍ଲୀ ଆର୍ଟ କଲେଜର ଛାତ୍ର ଏବଂ ପାଠ ପଢ଼ିବାକୁ ଏହି ପଥର ନେଉଛି। ସେ ହସି ହସି କହିଥିଲେ, ଯାଅ। ୧୯୯୩ ମସିହାର ଘଟଣା। ମୁଁ ସେତେବେଳେ ଲଣ୍ଡନ୍‌ରେ ପଢୁଥିଲି। ଭାରତରେ ଏଟିଏମ୍  ବ୍ୟବସ୍ଥା ଆରମ୍ଭ ହୋଇ ନଥିବାରୁ ମୋର ତା’ ସଂପର୍କରେ ଧାରଣା ନଥିଲା। ସେଠାରେ କେତେକ ବିଦେଶୀ ଏବଂ ଧନୀ ଭାରତୀୟ ଛାତ୍ର ଏଟିଏମ୍‌ରୁ ଟଙ୍କା ବାହାର କରିବା ଏକ ଯାଦୁ ବୋଲି କହି ମୋତେ ବୋକା ବନାଇଥିଲେ। ସେ କଥା ମନେ ପଡ଼ିଲେ ଏବେ ବି ମତେ ହସ ଲାଗେ। ବୈଷୟିକ ସ୍ତରରେ ସେମାନେ ଆମଠାରୁ ସବୁବେଳେ ଯଥେଷ୍ଟ ଆଗୁଆ। କିନ୍ତୁ କଳାସଂସ୍କୃତି ‌େକ୍ଷତ୍ରରେ ଓଡ଼ିଶା ସେମାନଙ୍କଠାରୁ ବହୁ ଊର୍ଦ୍ଧ୍ବରେ। ସେଠାରେ ମୁଁ ଓଡ଼ିଶାର କଳାସଂସ୍କୃତି ଏବଂ ସେମାନଙ୍କ ବୈଷୟିକ ଜ୍ଞାନ ଉପରେ ଏକ ଚିତ୍ରକଳା ପ୍ରଦର୍ଶନୀ କରିଥିଲି। କଳାସଂସ୍କୃତିରୁ ହିଁ ବୈଷୟିକ ଜ୍ଞାନକୌଶଳ ଉଦ୍ଭାବିତ ବୋଲି ଦର୍ଶାଇଥିଲି। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତା’ପରେ ମୋତେ ଆଉ କୌଣସି ଯାଦୁବିଦ୍ୟା ନ ଦେଖାଇ ଓଲଟି ଓଡ଼ିଶାର ସ୍ଥାପତ୍ୟ କଳା ଓ ସଂସ୍କୃତି ଉପରେ ଜ୍ଞାନ ଆହରଣ କରିବାକୁ ସେମାନେ ମୋ ପାଖକୁ ଆସିଲେ।

ଆପଣ ବିଭିନ୍ନ ରାଷ୍ଟ୍ରର କଳା ସ୍ଥାପତ୍ୟ ଦେଖିଛନ୍ତି। ଓଡ଼ିଶା ସ୍ଥାପତ୍ୟ ଶିଳ୍ପର ସ୍ବତନ୍ତ୍ରତାକୁ ନେଇ କ’ଣ କହିବେ?
ବହୁ ବିଜ୍ଞବ୍ୟକ୍ତି ହୁଏତ ଏକଥା ଜାଣିନାହାନ୍ତି, ଓଡ଼ିଶାର ପଥର ଭାସ୍କର୍ଯ୍ୟରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଓ ଉତ୍ତରାୟଣ ଗତିର ନିଗୂଢ଼ ରହସ୍ୟ ଲୁଚିରହିଛି। ଏହି ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ କଳା ପୃଥିବୀର କୌଣସି ସ୍ଥାନରେ ପରିଲକ୍ଷିତ ହୁଏନାହିଁ। ଭାରତରେ ମଧ୍ୟ ଏହା ବିରଳ। ଓଡ଼ିଶାର ଶିଳ୍ପୀ ତା’ର କଳା ଭାସ୍କର୍ଯ୍ୟରେ ବିଜ୍ଞାନ, ଦର୍ଶନଶାସ୍ତ୍ର, ଈଶ୍ବରବାଦ ଏବଂ ନିରାକାର ତତ୍ତ୍ବର ପ୍ରତିଫଳନ କରିଛି। ଏହା ବିରଳ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କର ସାମୂହିକ ସୃଷ୍ଟି। ଆଜି କିନ୍ତୁ ଆମେ ତାହା ଭୁଲିଯାଇ ବ୍ୟକ୍ତିଗତ କଳା ଭାସ୍କର୍ଯ୍ୟ ପ୍ରତି ଧ୍ୟାନ ଦେଉଥିବାରୁ ସେଭଳି ସୃଷ୍ଟି ସମ୍ଭବ ହେଉନାହିଁ। ଉତ୍କଳର ସମୃଦ୍ଧ କଳା ସଂସ୍କୃତି ଉଜ୍ଜୀବିତ କରିବାର ଏକମାତ୍ର ଉପାୟ ହେଉଛି ଶିଳ୍ପୀ, କଳାକାର, ରାଜନୈତିକ ନେତୃତ୍ବ, ବୁଦ୍ଧିଜୀବୀ, ଲେଖକ, ବୈଜ୍ଞାନିକ, ପୁଞ୍ଜିପତି, ଏପରିକି ଚାଷୀ ଓ ମତ୍ସ୍ୟଜୀବୀମାନେ ମଧ୍ୟ ଗୋଟିଏ ପ୍ଲାଟ୍‌ଫର୍ମ ବା ସାମ୍ମୁଖ୍ୟରେ ଏକତ୍ର ହେବା। ଏଥିରେ ସରକାରଙ୍କର ବି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଆପଣ ନୂଅାଦିଲ୍ଲୀସ୍ଥିତ ନ୍ୟାସ୍‌ନାଲ୍‌ ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ମହାନିର୍ଦ୍ଦେଶକ ଥିବାବେଳେ ‘କଳାକୁମ୍ଭ’ର ଆୟୋଜନ କରି ବିଶ୍ବ ରେକର୍ଡ କରିଥିଲେ। ‘କଳାକୁମ୍ଭ’ ପରିକଳ୍ପନା ଆପଣଙ୍କ ମନକୁ କାହିଁକି ଆସିଥିଲା?
ମୁଁ ନିଶ୍ଚିତ ଥିଲି ଯେ ମୋ ପାଇଁ ମହାନିର୍ଦ୍ଦେଶକ ପଦବି ଓ କ୍ଷମତା ଚିରସ୍ଥାୟୀ ନୁହେଁ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ଏବଂ ବାବା କପିଳାସଙ୍କ କୃପାରୁ ଯେତିକି ଦିନ ମୁଁ ଏହି ପଦବିରେ ରହିଛି, ତା’ରି ମଧ୍ୟରେ ଜନ୍ମଭୂମି ଓଡ଼ିଶା ପାଇଁ ଯଦି କିଛି କରିପାରିବି ତାହା ମୋତେ ସ୍ମରଣୀୟ କରିବା ସହିତ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ଗୌରବାନ୍ବିତ କରିବ। ଏହାକୁ ନେଇ ଜଣେ ଓଡ଼ିଆ ହିସାବରେ ବିଶ୍ବର ଅନ୍ୟ ଶିଳ୍ପୀମାନଙ୍କ ଆଗରେ ମୁଁ ଗର୍ବରେ ମଥା ଟେକିପାରିବି। ସେଥିପାଇଁ ‘କଳାକୁମ୍ଭ’ର ଆୟୋଜନ କରିଥିଲି। ଏଥିରେ ମୁଁ ଓଡ଼ିଶାର ହସ୍ତତନ୍ତ ଶାଢ଼ି ପଣତରେ ଅଙ୍କିତ ନିଖୁଣ ତଥା ଜୀବନ୍ତ ଚିତ୍ରକଳା ପ୍ରଦର୍ଶନ କରିଥିଲି। ପ୍ରଦର୍ଶିତ ପଣତକାନିର ଲମ୍ବ ଥିଲା ୨୫ କିଲୋମିଟର। ଏଥିରେ ଓଡ଼ିଶାର ବାଦ୍ୟ, ସଂଗୀତ, ନୃତ୍ୟ, ଚିତ୍ର ଏବଂ ସମସ୍ତ ପାରମ୍ପରିକ କଳା ପ୍ରଦର୍ଶିତ ହୋଇଥିଲା। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସାରେ ଶତମୁଖ ହୋଇଥିଲେ। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ସ୍ବନାମଧନ୍ୟ ଶିଳ୍ପୀମାନେ ହତଚକିତ ହୋଇଥିଲେ।

ପଦ୍ମଶ୍ରୀ ଲାଗି ମନୋନୀତ ହେବା ପରେ କିପରି ଅନୁଭବ କରୁଛନ୍ତି?
ପ୍ରତିଟି ଓଡ଼ିଆ ଯେଉଁ ଅଗାଧ ସ୍ନେହଶ୍ରଦ୍ଧା ଅଜାଡ଼ି ଦେଉଛନ୍ତି ସେ ଋଣ କିପରି ଶୁଝିବି ମୁଁ ଭାବିପାରୁ ନାହିଁ। ମୋ ଉପରେ ବଡ଼ ବୋଝ ଲଦି ହୋଇଯାଇଛି। ରାଜ୍ୟର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ କଳାକୁ କିପରି ଆଗକୁ ନେବି ସେହି ଚିନ୍ତା ମୋତେ ଆନ୍ଦୋଳିତ କରୁଛି। ମୋ ବୋଉ ପୂଜିତ ପଥରରେ ଥିବା ବିଶ୍ବାସର ଭଗବାନ ଏବଂ ହାତୁଡ଼ି ଓ ନିହାଣ ଦ୍ବାରା ମୋ ପୂର୍ବସୂରୀଙ୍କ ପାଷାଣରେ ଜୀବନ୍ତ ରୂପ ପରିକଳ୍ପନା ମଧ୍ୟ ମୋ ମନରେ ଉଙ୍କିମାରୁଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od