ଡେସ୍କ: ଉତ୍ତରପ୍ରଦେଶର କୈସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଛଅ ଥର ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତିକୁ କୁସ୍ତିଯୋଦ୍ଧାମାନେ ତୀବ୍ର ସମାଲୋଚନା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ଗତବର୍ଷ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ବ୍ରିଜଭୂଷଣଙ୍କ ସାନ ପୁଅ କରଣ (୩୩) ଚଳିତ ଫେବ୍ରୁଆରିରେ ଉତ୍ତରପ୍ରଦେଶ କୁସ୍ତି ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ ଏହି ନିଷ୍ପତ୍ତି ସାର୍ବଜନୀନ ହେବା ପରେ ଏକ୍ସରେ ଲେଖିଛନ୍ତି, ଭାରତର ଝିଅମାନେ ହାରିଯାଇଛନ୍ତି, ବ୍ରିଜ ଭୂଷଣ ଜିତିଛନ୍ତି। “ଆମେ ସମସ୍ତେ ନିଜ କ୍ୟାରିୟରକୁ ବାଜି ଲଗାଇ ରାସ୍ତାରେ ଦିନ କାଟୁଥିଲୁ। ବ୍ରଜ ଭୂଷଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଆମେ କେବଳ ନ୍ୟାୟ ଦାବି କରିଥିଲୁ। କିନ୍ତୁ ଗିରଫ କରିବା ତ ଦୂରର କଥା ତାଙ୍କ ପୁଅକୁ ଟିକେଟ୍ ମିଳିଛି ଯାହା ଭାରତର କୋଟି କୋଟି ଝିଅଙ୍କ ମନୋବଳ ଭାଙ୍ଗିଦେଇଛି। ଟିକେଟ ପରିବାରରେ ରହିଛି। ଜଣେ ବ୍ୟକ୍ତିଙ୍କ ସାମ୍ନାରେ ସରକାର ଏତେ ଦୁର୍ବଳ କାହିଁକି?
ଆମେ ଗଭୀର ଦୁଃଖିତ ଓ ନିରାଶ। କୁସ୍ତିଯୋଦ୍ଧାମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ଏବଂ କରଣଙ୍କ ପଦୋନ୍ନତି ଦର୍ଶାଉଛି ଯେ କେହି ପ୍ରକୃତରେ ଆମପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି ମଲ୍ଲିକଙ୍କ ମା’ ସୁଦେଶ କହିଛନ୍ତି। “ପ୍ରତିବାଦରେ ମୋ ଝିଅ କୁସ୍ତି ଛାଡ଼ି ଦେଇଥିଲା। ବଜରଙ୍ଗ ଓ ଭିନେଶ ବିରକ୍ତି ପ୍ରକାଶ କରି ନିଜର ଜାତୀୟ ସମ୍ମାନ ଫେରାଇ ଦେଇଥିଲେ। ଏସବୁ କିଛି ବି ଫଳପ୍ରଦ ହୋଇନାହିଁ ବୋଲି ସେ କହିଛନ୍ତି।
ଜୁନ୍ ୨୦୨୩ରେ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪, ୩୫୪ଡି, ୩୪୫ଏ ପ୍ରୟୋଗ କରି ୧୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ବର୍ତ୍ତମାନ ଏହି ମାମଲାର ଶୁଣାଣି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଚାଲିଛି। ଗତ ମାସରେ କୋର୍ଟ ଏହି ମାମଲାର ଅଧିକ ତଦନ୍ତ ପାଇଁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ପରବର୍ତ୍ତୀ ଶୁଣାଣି ମେ’ ୭ରେ ହେବ।
କେଜ୍ରିଓ୍ଵାଲଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନ – ନିର୍ବାଚନ ପାଇଁ ଶୁଣାଣି କରିବେ ସୁପ୍ରିମକୋର୍ଟ