ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଅନ୍ୟ କାହାକୁ ବିରୋଧୀ ଦଳ ନେତା କରିବା ପାଇଁ ଇଣ୍ଡି ମେଣ୍ଟରେ ମନ୍ଥନ ଚାଲିଛି ବୋଲି ବିଜେପି ଦାବି କରିଛି। ବିଜେପି କହିଛି ଯେ ରାହୁଲ ଗାନ୍ଧୀ ଭଲ ପ୍ରଦର୍ଶନ କରୁନଥିବାରୁ ଏଭଳି ମନ୍ଥନ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀ ଲୋକସଭା ଆସନର ବିଜେପି ସାଂସଦ ବାଂସୁରୀ ସ୍ୱରାଜ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ଦଳରେ ଅନେକ ଦକ୍ଷ ନେତା ଅଛନ୍ତି, ଯେଉଁମାନେ ବିରୋଧୀ ଦଳ ନେତା ଭୂମିକା ନିର୍ବାହ କରିପାରିବେ। ଇଣ୍ଡିଆ ମେଣ୍ଟର ଏହା ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଆମେ ଏ ବାବଦରେ ଅଧିକ କିଛି କହିବୁ ନାହିଁ ବୋଲି ସେ କହିଛନ୍ତି।
ବିଜେପିର ଏହି ଦାବି ଉପରେ ଇଣ୍ଡି ମେଣ୍ଟ କୌଣସି ପ୍ରତିକ୍ରିୟା ଦେଇନାହିଁ। ବିଶେଷଜ୍ଞଙ୍କ ମତରେ ଅତି କମ୍ରେ ୧୦ ପ୍ରତିଶତ ଆସନ ଥିବା ସର୍ବବୃହତ ବିରୋଧୀ ଦଳର ଜଣେ ସାଂସଦଙ୍କୁ ହିଁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦିଆଯାଇପାରିବ। କଂଗ୍ରେସ ଗୃହରେ ସବୁଠାରୁ ବଡ଼ ବିରୋଧୀ ଦଳ ହୋଇଥିବାରୁ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଂସୁରୀ କହିଛନ୍ତି, ମୁଁ ଏହା ମଧ୍ୟ ଶୁଣିଛି ଯେ ବିରୋଧୀ ଦଳ ନେତା ପଦ ପରିବର୍ତ୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଯଦି ଇଣ୍ଡି ମେଣ୍ଟ ଅନୁଭବ କରିବ ଯେ ମାନ୍ୟବର ରାହୁଲ ଗାନ୍ଧୀ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠା ଦେଖାଉନାହାନ୍ତି ଏବଂ ପଦ ସମ୍ଭାଳି ପାରୁନାହାନ୍ତି, ତେବେ ସେମାନଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିବ।