Saturday, January 11, 2025
Home Latest ପ୍ରଥମ ସ୍ତମ୍ଭ: ଗୋଟେ ଭୋଟ୍ ପାଇଁ

ପ୍ରଥମ ସ୍ତମ୍ଭ: ଗୋଟେ ଭୋଟ୍ ପାଇଁ

by
0 comment

ପ୍ରଥମ ସ୍ତମ୍ଭ: ଗୋଟେ ଭୋଟ୍ ପାଇଁ

ଏକ ଗଣମାଧ୍ୟମ ଅନୁଷ୍ଠାନରେ କାମ କରୁଥିବାରୁ, ବିଭିନ୍ନ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସାକ୍ଷାତ୍‌ କରିବାର ଅବସର ମିଳିଥାଏ। ଜନନାୟକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ, ‘ସମ୍ବାଦ’ର ଦୁଆର ସବୁବେଳେ ସମସ୍ତଙ୍କ ପାଇଁ ଖୋଲାଥାଏ। ଏବେ ପୁରରୁ ପଲ୍ଲୀ, ସବୁଠି ସମସ୍ତେ ଭୋଟ୍ ଚର୍ଚ୍ଚାରେ ମାତିଛନ୍ତି। ଆଜି ମୁଁ ଏମିତି ଏକ ଭୋଟ ଚର୍ଚ୍ଚା ସମ୍ପର୍କରେ ଲେଖୁଛି, ଯାହା ଖବରକାଗଜ ପୃଷ୍ଠାରେ ଏବଂ ଟିଭି ଷ୍ଟୁଡିଓରେ ଚାଲିଥିବା ଆଲୋଚନାରୁ ଟିକେ ଅଲଗା।
କିଛିଦିନ ତଳେ ଜଣେ ବରିଷ୍ଠ ନାଗରିକ ଏକ ପ୍ରସଙ୍ଗ ନେଇ ମୋ ଅଫିସ୍‌ରେ ପହଞ୍ଚିଲେ। ବୟସ ୭୦ରୁ ୭୫ ଭିତରେ ହେବ। କଥାବାର୍ତ୍ତାରୁ ସେ ଖୁବ୍ ସରଳ, ସାଧାରଣ ଓ ସ୍ପଷ୍ଟବାଦୀ ମନେହେଉଥିଲେ। କଥା କଥାରେ ଭୋଟର୍ ସଚେତନତାକୁ ନେଇ କିଛି କାର୍ଯ୍ୟକ୍ରମ କରିବା ପାଇଁ ସେ ମୋତେ ପ୍ରସ୍ତାବ ଦେଲେ। କହିଲେ, “ବିଶେଷକରି ଯୁବପିଢ଼ିଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ନିହାତି ଆବଶ୍ୟକ। ଆଜିକାଲିର ପୁଅ, ଝିଅ କୌଣସି ବିଷୟରେ ନିଜର ମତ ରଖିବା ପାଇଁ ପଛଉନାହାନ୍ତି। ସାମାଜିକ ଗଣମାଧ୍ୟମରେ ଏମାନେ ଅଧିକ ସକ୍ରିୟ। କିଏ କହିଲାଣି ଭାରତର ଗଣତନ୍ତ୍ର ବିପଦରେ ତ କିଏ କହିଲାଣି ଆମ ଗଣତନ୍ତ୍ର ହେଉଛି ବିଶ୍ବରେ ସର୍ବଶ୍ରେଷ୍ଠ। ୟାଙ୍କ କଥା ଯିଏ ଶୁଣିବ ଭାବିବ ଏଇମାନେ ହିଁ ଦେଶଟାକୁ ଟେକି ଧରିଛନ୍ତି। ମତ ଦେଲାବେଳକୁ ଏମାନେ ଆଗଭର, କିନ୍ତୁ ମତଦାନ ବେଳକୁ ଏମାନଙ୍କର ଦେଖା ଦର୍ଶନ ମିଳେନାହିଁ। ଏଇ ମୋ ନାତୁଣୀ କଥା ଦେଖୁନ। ଭୁବନେଶ୍ୱରରେ ଚାକିରି କରୁଛି। ଆମମାନଙ୍କର ଭୋଟ୍ ସବୁ ଢେଙ୍କାନାଳରେ। ମୁଁ ଯେତେବେଳେ ତାକୁ ଭୋଟ୍ ଦବାକୁ ଆସିବା କଥା ପଚାରିଲି, ସେ କହିଲା, ‘ଭୋଟ୍ ଦବାକୁ ଯାଇ ଛୁଟି କିଏ ବରବାଦ୍ କରିବ! ଭୋଟ ଖଣ୍ଡେ ଦବାକୁ ଏତେ ବାଟ କିଏ ଯିବ! ମୁଁ ଦେଲେ କେତେ ନ ଦେଲେ କେତେ? ମୋର ଗୋଟେ ଭୋଟ୍‌ରେ କ’ଣ ଭାସିଯିବ?’ ଗୋଟେ ଭୋଟ୍‌ର ମୂଲ୍ୟ କ’ଣ, ମୋ’ଠୁ ଅଧିକ କିଏ ଜାଣେ?” ଏକଥା କହିଲା ବେଳେ ତାଙ୍କ ମୁହଁର ଭାବଭଙ୍ଗୀ ଦେଖି ମୁଁ ଆଉଟିକେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କଲି। କିଛି ମୁହୂର୍ତ୍ତ ଚୁପ୍‌ରହି ଭଦ୍ରବ୍ୟକ୍ତି ଜଣକ ଆରମ୍ଭ କଲେ, “ଅନେକ ବର୍ଷ ତଳର କଥା। ମୋତେ ୨୩ ବର୍ଷ ହେଇଥାଏ। ସେତେବେଳକୁ ଆମ ଗାଁରେ ପଞ୍ଚାୟତ ନିର୍ବାଚନ ଚାଲିଥାଏ। ସରପଞ୍ଚ ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ଭିତରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଲାଗିଥାଏ। ସେମାନଙ୍କ ଭିତରୁ ଜଣେ ଟିକେ ଗୁଣ୍ଡା ହୁଣ୍ଡା ଲୋକ ଓ ପଇସାବାଲା।” ମୁଁ ପଚାରିଦେଲି, ‘‘ତା’ହେଲେ ତ ସେ ବହୁତ ପଇସା ବାଣ୍ଟିଥିବ।’’ ମତେ ଅଟକେଇ ସେ କହିଲେ, “ଏବେ ସିନା ନିର୍ବାଚନରେ ପୁଳାପୁଳା ଟଙ୍କା ବଣ୍ଟା ହଉଛି, ସେଥିପାଇଁ ତମ ମନରେ ଏକଥା ଆସିଲା। ସେତେବେଳ କଥା ଅଲଗା ଥିଲା। ରାତିଅଧିଆ ଘରେ ଘରେ ଏମିତି ଟଙ୍କା ବଣ୍ଟା ହଉ ନ ଥିଲା। କାଁ ଭାଁ କାହାକୁ ଛାଡ଼ିଦେଲେ ଲୋକ ବି ଏମିତି ଟଙ୍କା ଲୋଭରେ ନିଜ ସମ୍ମାନ ବିକିଦେଉ ନ ଥିଲେ। ହଁ, ମୁଁ ସେ ପ୍ରାର୍ଥୀ ବିଷୟରେ କହୁଥିଲି। ପଇସା ସିନା ଥିଲା, ଲୋକଟା ସୁଦୁ ମୂର୍ଖ ଆଉ ଅହଙ୍କାରୀ। ଦ୍ୱିତୀୟ ପ୍ରାର୍ଥୀ ଜଣକ ଶିକ୍ଷିତ ଓ ଭଦ୍ର। ଗାଁରେ ଯେତେ ବିବାହ, ବ୍ରତ, ମେଳଣ, ସବୁଠି ସେ ଆଗରେ। କାହା ଘରେ କିଏ ଚାଲିଗଲେ ଶବ କାନ୍ଧେଇବା ପାଇଁ ଡାକ ନ ଡାକ, ସେ ପହଞ୍ଚି ଯାଇଥିବ। ଆମ ପରିବାରର ଛଅ ଖଣ୍ଡ ଭୋଟ୍ ଆମେ ତାକୁ ଦେବା ପାଇଁ ନିଷ୍ପତ୍ତି ନେଇସାରିଥିଲୁ।
ରାତି ପାହିଲେ ଭୋଟ୍। ସାହି ସାହିରେ ମୁରବିମାନଙ୍କ ବୈଠକ। କୋଉଠି ପାଦୁକ ଛୁଇଁ ଶପଥ ଚାଲିଛି ତ, କୋଉଠି ଜନ୍ତାଳ ବସିଛି। ଆମ ସାହି ଟୋକାମାନେ ରାତିରେ ଆସି ଭୋଜି ପାଇଁ ମତେ ଘରୁ ଡାକିନେଲେ। ମୁଁ ଜାଣିଥିଲି ଆର ପ୍ରାର୍ଥୀ ଏ ଭୋଜି ଦେଉଛି। ହେଲେ ସେମାନେ କହିଲେ ଭୋଟ୍ ପଛେ ଯାହାକୁ ଦଉଛୁ ଦେ, ଆମ ସାଙ୍ଗରେ ଭୋଜିରେ ବସିବାରେ କ’ଣ ଅସୁବିଧା ଅଛି। ଖାଇବା ସହ ପିଇବାର ବ୍ୟବସ୍ଥା ବି ଥିଲା। ସମସ୍ତେ ନିର୍ଧୂମ୍‌ ପିଇଲେ। ମୁଁ ବି ପିଇଲି। ମତେ ସମସ୍ତେ ମୋ ଘରର ସବୁ ଭୋଟ୍ ଆର ପ୍ରାର୍ଥୀକୁ ଦେବା ପାଇଁ ବାଧ୍ୟ କଲେ। ମତେ ବୁଝେଇଦେଲେ- ଦେଖ୍, ଆମ ଭାଇ ଜିତିବାଟା ଥୟ। ଭୋଜିଭାତରେ ସେ ଯେତିକି ଖର୍ଚ୍ଚ କଲେଣି, ତାଙ୍କୁ ହିଁ ଭୋଟ୍ ଦେବାଟା ଉଚିତ ହେବ। ତା’ଛଡ଼ା ହାରିବା ପ୍ରାର୍ଥୀକୁ ଭୋଟ୍ ଦେଇ ଭୋଟ୍ କାହିଁକି ନଷ୍ଟ କରିବୁ। ମୁଁ ବି ସେଦିନ ମୋ ନାତୁଣୀ ଭଳି ଭାବିଲି, ଯିଏ ଜିତିବା କଥା ଜିତିବ। ମୋର ଗୋଟେ ଭୋଟ୍‌ରେ କ’ଣ ବା ଭାସିଯିବ!
ସକାଳେ ମୋ ଭୋଟ୍ ଆର ପ୍ରାର୍ଥୀକୁ ଦେଇଦେଲି। ଘରେ ଅବଶ୍ୟ କାହାକୁ କିଛି କହିଲିନି। ଆମ ଘରର ବାକି ପାଞ୍ଚଟି ଭୋଟ୍ ଆମ ପ୍ରାର୍ଥୀ ପାଇଲା। ଭୋଟ୍ ଗଣତି ଆରମ୍ଭ ହେଲା। ଉଭୟ ପ୍ରାର୍ଥୀଙ୍କୁ ତିନି ଶହ କୋଡ଼ିଏ ଖଣ୍ଡ ଭୋଟ୍ ମିଳିଲା। କିଏ ଜିତିବ ନିର୍ଣ୍ଣୟ କରିବା ପାଇଁ ଧର୍ମଗୁଳା ପଡ଼ିଲା। ମୋତେ କିନ୍ତୁ ଲାଗୁଥିଲା, ମୁଁ ଦୋଷୀ କି ନିର୍ଦ୍ଦୋଷ, ସ୍ଥିର କରିବା ପାଇଁ ଧର୍ମଗୁଳା ପଡୁଛି। ଆମ ପ୍ରାର୍ଥୀ ହାରିଗଲା। ସେତେବେଳକୁ ମୋତେ କେମିତି ଲାଗୁଥାଏ, ମୁଁ ତୁମକୁ ଶବ୍ଦରେ ବୁଝେଇ ପାରିବି ନାହିଁ। ମୋର ଗୋଟେ ଭୋଟ୍‌ ପାଇଁ …”
“ଆଜିକାଲି ଟଙ୍କାରେ ଭୋଟ୍ କିଣା ଚାଲିଛି। ଆରେ ଥରେ ହିସାବ କରି ଦେଖ। ପାଞ୍ଚ ବର୍ଷରେ ଏକ ହଜାର ଆଠ ଶହ ପଚିଶ ଦିନ ପାଇଁ ଆମେ ପ୍ରତିନିଧି ବାଛୁଛେ। ଯଦି ଭୋଟ୍ ପିଛା କେହି ପାଞ୍ଚ ଶହ ଟଙ୍କା ଦିଏ, ତେବେ ଦିନକୁ ତା’ର ମୂଲ୍ୟ ସତେଇଶ ପଇସା। ହଜାରେ ଟଙ୍କାରେ ଚଉବନ ପଇସା। କେହି ଯଦି ଦଶ ହଜାର ଟଙ୍କା ବି ଦିଏ, ଦିନକୁ ୫ ଟଙ୍କା। ଆମ ଭବିଷ୍ୟତର ମୂଲ୍ୟ କ’ଣ ଏତିକି? ଯଦି ଏଇ ସାମାନ୍ୟ ହିସାବ ଆମେ କରି ପାରୁନେ, ତା’ହେଲେ ଆମଠୁ ବୋକା ଆଉ କେହି ନାହାନ୍ତି।”
ଆମେ ହେଲୁ ସାଧାରଣ ଲୋକ। ସବୁବେଳେ ଆମ ଉପରେ କାହାର ନା କାହାର ଚାପ। କେବେ ପରିବାରର, କେବେ ସାଙ୍ଗସାଥୀଙ୍କର, ଅଫିସ୍‌ରେ ମାଲିକର, କେବେ ସରକାରଙ୍କର। ଇଚ୍ଛା ଥାଇ ବି ଅନେକ କଥା ପାଇଁ ଆମର ସ୍ୱାଧୀନତା ନଥାଏ। ହେଲେ ମୋ ମନଲାଖି ପ୍ରାର୍ଥୀକୁ ଭୋଟ୍ ଦେବା ମୋର କର୍ତ୍ତବ୍ୟ ଓ ଅଧିକାର। ମୋ ଭୋଟ୍ ମୋର। ମୋ’ ଠାରୁ ଏ ଅଧିକାର କେହି ଛଡ଼ାଇ ନେଇପାରିବେ ନାହିଁ।

Sambad is now on WhatsApp

Join and get latest news updates delivered to you via WhatsApp

ତନୟା ପଟ୍ଟନାୟକ
ସଂପାଦକ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od