Monday, March 3, 2025
Monday, March 3, 2025
Home daringibadi ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଏକଜୁଟ୍‌ ହେଲେ ପରିବେଶପ୍ରେମୀ, ପଲିଥିନ୍‌ ମୁକ୍ତ ପାଇଁ ନେଲେ ଶପଥ

ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଏକଜୁଟ୍‌ ହେଲେ ପରିବେଶପ୍ରେମୀ, ପଲିଥିନ୍‌ ମୁକ୍ତ ପାଇଁ ନେଲେ ଶପଥ

by
0 comment

ଦାରିଙ୍ଗବାଡ଼ି,୩ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ଶୀତର ମଜା ନେବା ଓ ଥଣ୍ଡା ଜଳବାୟୁକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସାରା ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ହୋଇଥିବା ବେଳେ ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ମଧ୍ୟ ଦେଖାଯାଉଛି। ତେବେ ସମୟ ପୂର୍ବରୁ କିଭଳି ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ସେନେଇ ଚିରନ୍ତନ ପର୍ଯ୍ୟଟନର ବିକାଶ ସମ୍ବନ୍ଧୀୟ ଆଲୋଚନାଚକ୍ର ଜାଗୃତି ସଭାଗୃହ ପରିସରରେ ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ରାଜ୍ୟର ଓ୍ବାଟର ମ୍ୟାନ୍‌ ଭାବେ ପରିଚିତ ରଞ୍ଜନ ପଣ୍ଡା, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ, ହୋଟେଲ ସଂଘର ରେଣୁବାଳା ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଭାଗ ନେଇଥିଲେ।

ବିଶେଷକରି ଦାରିଙ୍ଗବାଡ଼ିକୁ ନିୟମିତ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି ଆସିବେ କିନ୍ତୁ ଦାରିଙ୍ଗବାଡ଼ିକୁ ସବୁଜ ସୁନ୍ଦର କରିବା ପାଇଁ ହେଲେ ପ୍ଲାଷ୍ଟିକ ମୁକ୍ତ, ଜଳ ଉତ୍ସଗୁଡ଼ିକୁ ପ୍ରଦୂଷଣ ମୁକ୍ତ, ବର୍ଜ୍ୟବସ୍ତୁଗୁଡ଼ିକୁ ଏଣେତେଣେ ନ ପକାଇବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି। ସମସ୍ତେ କିଭଳି କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ ସେନେଇ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥିପାଇଁ ଆଲୋଚନା କରାଯାଇଛି। ସମସ୍ତେ ନିଜ ସାଙ୍ଗରେ କପଡ଼ା ବ୍ୟାଗ ରଖିବା ସହ ମାଛ, ମାଂସ ବଜାରରୁ କିଣିବା ବେଳେ ଘରୁ କିଛି ବକ୍ସ ବା ପାତ୍ର ନେଇଯିବାକୁ ପରାମର୍ଶ ଦିଆଯାଇଥିଲା।

ସେହିପରି ପ୍ରକୃତି ପାଠଶାଳା ମାଧ୍ୟମରେ ଯୁବପିଢ଼ିଙ୍କୁ ସିଧାସଳଖ ବିଭିନ୍ନ ଗ୍ରାମରେ ଲୋକମାନେ କିଭଳି ଜୀବନଯାପନ କରୁଛନ୍ତି ଦୁର୍ଗମ ଗାଁରେ ଆଜି ମଧ୍ୟ ଶିଆଳି ପତ୍ରରେ ଠୁଙ୍ଗା, ଖଲିପତ୍ରର ବ୍ୟବହାର ରହିଛି ସେ ସବୁ ଶିକ୍ଷା ପ୍ରଦାନ କରାଯାଇଥିଲା। ସେହିଭଳି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରକୁ ନେଇକି ସେଠାକାର ପରିବେଶ କିଭଳି ସ୍ବଚ୍ଛତା ରହିଛି ତାକୁ ନିରନ୍ତର ସ୍ବଚ୍ଛତା ରଖିବା ପାଇଁ ପାଠଶାଳାରେ ପାଠ ପଢ଼ାଇଥିଲେ ଓ୍ବାଟର ମ୍ୟାନ୍‌ ରଞ୍ଜନ ପଣ୍ଡା ଏବଂ କୈଳାସ ଚନ୍ଦ୍ର ଦଣ୍ଡପାଟ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହୋଟେଲ ସଂଘର ଦିଲ୍ଲୀପ କୁମାର ସାହୁ, ତୁଷାର ସାହୁ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od