Sunday, February 23, 2025
Home Latest ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

by
0 comment

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

‌ଭୁବନେଶ୍ବର: ନିର୍ବାଚନ ଜିତି ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଯଥାକ୍ରମେ ସୋନପୁର ଓ ବ୍ରହ୍ମପୁ‌ରରେ ବିଜେଡି ସରକାର ବିରୋଧରେ ରଣହୁଙ୍କାର ଦେଇଥିଲେ। ଏବେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସୁଛନ୍ତି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୋଦୀ ପ୍ରଥମ ଥର ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି। ମୋଦୀ କାଲି ରାତି ୯ଟା ୩୦ରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ରାଜଭନବରେ ଦଳର କେତେକ ବରିଷ୍ଠ ନେତାଙ୍କ ସହ ରାତ୍ରିଭୋଜନ କରିବା ସହ ରାତ୍ରିଯାପନ କରିବେ। ସୋମବାର ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମୋଦୀ ସ୍ବତନ୍ତ୍ର ହେଲିକପ୍ଟରରେ ବ୍ରହ୍ମପୁର ଯିବେ। ସେଠାରେ ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ଜନସଭାରେ ଯୋଗଦେବେ। ସେଠାରୁ ନବରଙ୍ଗପୁର ଯିବେ। ସେଠାରେ ଜନସଭାକୁ ସମ୍ବୋଧନ କରିବେ। ବ୍ରହ୍ମପୁର, ଆସିକା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଲୋକସଭା ଅାସନ ଓ ଏହା ଅଧୀନସ୍ଥ ବିଧାନସଭା ଆସନଗୁଡ଼ିକୁ ବିଜେପି ଫୋକସ୍‌ କରିଛି। ତେଣୁ ମୋଦୀଙ୍କ କାର୍ଯ୍ୟକ୍ରମରେ ଏହି ସମସ୍ତ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଞ୍ଚରେ ରହିବେ। ସେହିପରି ମୋଦୀ ଆସନ୍ତା ୧୦ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୧୦ତାରିଖ ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଏଠାରେ ଏକ ରୋଡ୍‌ ସୋ’ କରିବେ। ରାଜଭବନରେ ରାତ୍ରିଯାପନ କରିବେ। ୧୧ତାରିଖରେ ବଲାଙ୍ଗୀରରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ଯିବେ।

Sambad is now on WhatsApp

Join and get latest news updates delivered to you via WhatsApp

ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ମୁତୟନ ହେବେ। ମୋଦୀଙ୍କ ସୁରକ୍ଷା ନେଇ କମିସନରେଟ୍ ପୁଲିସ ପକ୍ଷରୁ ଏସ୍‌ପିଜି ଓ ସିଆଇଏସ୍‌ଏଫ୍ ସହ ଆଲୋଚନା କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ରାତିରେ ରାଜଭବନରେ ରହିବାକୁ ଥିବାରୁ ପୂରା ଭୁବନେଶ୍ବରକୁ ନୋ ଡ୍ରୋନ୍ ଫ୍ଲାଇଁ ଜୋନ୍ ଘୋଷଣା କରାଯିବ। ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ୩ଜଣ ଡିସିପି, ୧୦ଜଣ ଏସିପି, ୧୭ଜଣ ଆଇଆଇସି, ୯୦ଜଣ ଏସ୍‌ଆଇ/ଏଏସ୍‌ଆଇ, ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅପରପକ୍ଷେ ମୋଦୀଙ୍କ ଗସ୍ତ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଅପରାହ୍ନରେ ପହଞ୍ଚୁଛନ୍ତି। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od