ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀରେ ଆତ୍ମସମର୍ପଣ କରିବା ପରେ ହାଥରସ ଦଳାଚକଟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ଗିରଫ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଭାବେ ଦେବପ୍ରକାଶଙ୍କୁ ଗିରଫ କରାଯିବା ପରେ ଏବେ ଭୋଲେ ବାବା ଶନିବାର ନିଜର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ଜୁଲାଇ ୨ରେ ୧୨୧ଜଣଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ମୁଁ ଏବେ ଯନ୍ତ୍ରଣାରେ ଅଛି। ମୁଁ ପୀଡିତଙ୍କ ସହ ଅଛି ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, “ଜୁଲାଇ ୨ରେ ଘଟିଯାଇଥିବା ଘଟଣାକୁ ନେଇ ଆମେ ଦୁଃଖିତ। ଭଗବାନ ଏହି ଦୁଃଖକୁ ଭୁଲିବା ପାଇଁ ଆମକୁ ଶକ୍ତି ଦିଅନ୍ତୁ। ସରକାରଙ୍କ ଉପରେ ଆମର ବିଶ୍ୱାସ ରହିବା ଉଚିତ୍। ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ଆମେ ଆମର ଓକିଲଙ୍କ ମାଧ୍ୟମରେ କହିଛୁ ଯେ ଯେଉଁମାନେ ଏହି ଦୁଃଖର ସମୟ ଦେଇ ଗତି କରୁଛନ୍ତି, ସେମାନଙ୍କ ସହିତ ଆମେ ଛିଡା ହୋଇଛୁ।”
ଉଲ୍ଲେଖଯୋଗ୍ୟ, ଜୁଲାଇ ୨ରେ ଦିନ ୨ଟାରେ ସତସଙ୍ଗ ସରିବା ପରେ ବାବା ନିଜ ଗାଡ଼ି ଆଡକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଦ ଧୂଳି ନେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ତାଙ୍କ ଆଡକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ଆରମ୍ଭ ହୋଇଥିଲା। ଭିତରେ ଏତେ ଲୋକ ଥିବାରୁ ଭିତରଟି ଧୂଳିମୟ ହେବା ସହ ଭକ୍ତ ସବୁ ଅଣନିଶ୍ବାସୀ ହୋଇଯାଇଥିଲେ। ଏହା ପରେ ବାହାରକୁ ବାହାରିବା ପାଇଁ ଗେଟ୍ ଆଡକୁ ଆସିବା ବେଳେ ବାବାଙ୍କ ସେବାଦାରମାନେ ସେମାନଙ୍କୁ ଯିବାକୁ ଦେଇନଥିଲେ। ଅଣନିଶ୍ବାସୀ ହୋଇଯାଉଥିବା ହଜାର ହଜାର ଲୋକ ହାତଯୋଡ଼ିଥିଲେ ବି, ବାବା ପ୍ରଥମେ ଯିବେ, ତା’ ପରେ ଭକ୍ତ ବୋଲି କହିଥିଲେ ସେବାଦାର। ଏହି ସମୟ ମଧ୍ୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା।