Sunday, February 23, 2025
Home ସମ୍ପାଦକୀୟ ଅନୀତାଙ୍କ ଆର୍ତ୍ତନାଦ

ଅନୀତାଙ୍କ ଆର୍ତ୍ତନାଦ

by
0 comment

କାଲ୍‌ଭିନ୍‌ଙ୍କ ସମୟରେ ଯେଉଁଭଳି ପରିଶ୍ରମକାତର ଲୋକମାନଙ୍କୁ ସମାଜର ଅଭିଶପ୍ତ ସଦସ୍ୟ ରୂ‌େପ ବିଚାର କରାଯାଉଥିଲା, ବର୍ତ୍ତମାନ ସେଇଭଳି ଏକ କଂପାନିରେ ଅଧିକ ପରିଶ୍ରମ କରିବା ପାଇଁ ପଛଘୁଞ୍ଚା ଦେଉଥିବା କର୍ମଚାରୀମାନେ ଭ୍ରୂକୁଞ୍ଚନ ଓ ଭର୍ତ୍ସନାର ସମ୍ମୁଖୀନ ହୋଇଥାନ୍ତି, ସତେ ଯେମିତି ସେମାନେ ହେଉଛନ୍ତି ପାପୀ।

ପୃଥିବୀର ଚାରିଟି ବୃହତ୍ତମ ଫାଇନାନ୍‌ସିଆଲ୍ କନ୍‌ସଲ୍‌ଟାନ୍‌ସି କଂପାନି ବା ‘ବିଗ୍ ଫୋର୍’ ମଧ୍ୟରୁ ଅନ୍ୟତମ ‘ଇୱାଇ’ (ପୂର୍ବେ ‘ଅର୍ନ‌୍ଷ୍ଟ ଆଣ୍ଡ୍ ୟଙ୍ଗ୍’ ରୂପେ ପରିଚିତ)ର ଜଣେ ଯୁବ କର୍ମଚାରୀଙ୍କର ଭାରତର ପୁନେଠାରେ ଘଟିଥିବା ଅକାଳ ବିୟୋଗ ବର୍ତ୍ତମାନ ସମଗ୍ର କର୍ପୋରେଟ୍ ଦୁନିଆରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଛି। ଆନା ସେବାଷ୍ଟିଆନ୍ ପେରାଇଲ୍ ନାମ୍ନୀ ମାତ୍ର ୨୬ ବର୍ଷ ବୟସର ଏହି ଚାର୍ଟଡ୍‌ ଆକାଉଣ୍ଟାଣ୍ଟ ‘ଇୱାଇ’ରେ ଯୋଗଦେବାର ମାତ୍ର ଚାରି ମାସ ମଧ୍ୟରେ ତାଙ୍କ ଉପରେ ଲଦି ଦିଆଯାଉଥିବା ଅଣନିଃଶ୍ବାସୀ କାର୍ଯ୍ୟଭାର ସମ୍ଭାଳି ନ ପାରି ଅସୁସ୍ଥତାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିବା ପରେ ତାଙ୍କ ମା’ ଅନୀତା ଭାରତସ୍ଥିତ ସେଇ କଂପାନିର ମୁଖ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ହୃଦୟବିଦାରକ ପତ୍ର କର୍ପୋରେଟ୍ ଜଗତର ବହୁଳ ଅନୁସୃତ ଏହି ଶୋଷଣମୂଳକ କର୍ମସଂସ୍କୃତି ଉପରୁ ପର୍ଦ୍ଦା ହଟାଇ କେବଳ ‘ଇୱାଇ’ ନୁହେଁ ପ୍ରାୟ ସବୁ କଂପାନିମାନଙ୍କର ମାଲିକ ଓ ପରିଚାଳକମାନଙ୍କ ମଧ୍ୟରେ ଘୋର ଅସ୍ବସ୍ତି ସୃଷ୍ଟି କରିଛି। ଆନା ବହନ କରୁଥିବା ଅସ୍ବାଭାବିକ କାର୍ଯ୍ୟବୋଝ ସମ୍ବନ୍ଧରେ ଟିକିନିଖି ବର୍ଣ୍ଣନା ନ କରି ଏତିକି କହିଲେ ଯଥେଷ୍ଟ ହେବ ଯେ ଡାକ୍ତରଙ୍କ ସତର୍କବାଣୀ ସତ୍ତ୍ବେ ସେ ଠିକ୍ ଭାବରେ ଖାଇପିଇ ପାରୁ ନ ଥିଲେ କିମ୍ବା ରାତିରେ ମଧ୍ୟ ଯଥେଷ୍ଟ ଶୋଇବା ପାଇଁ ସମୟ ପାଉ ନ ଥିଲେ।
ଯାହା ହେଉଛି ଅତ୍ୟନ୍ତ ଚିନ୍ତାଜନକ, ତାହା ହେଲା କର୍ପୋରେଟ୍ ସେକ୍ଟର୍‌ରେ ଜୀବିକା ଅର୍ଜନ କରୁଥିବା ଅଧିକାଂଶ ଯୁବକଯୁବତୀମାନେ ଯେଉଁ କର୍ମସଂସ୍କୃତି ଆପଣାଇଥାନ୍ତି, ତାହା ହେଉଛି ଅନୀତା ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ସେଇ କର୍ମସଂସ୍କୃତି, ଯାହା ତାଙ୍କ ଝିଅର ପ୍ରାଣ ନେଇଛି। ଏହି କର୍ମସଂସ୍କୃତିର ନାମ ହେଉଛି: ‘କର୍ମ ହିଁ ଈଶ୍ବର ଆରାଧନା’ ବା ଏହାର ଅଧିକ ସୁପରିଚିତ ଇଂରେଜୀ ସଂସ୍କରଣ: ‘ୱର୍କ ଇଜ୍ ଵର୍‌ସିପ୍’। ବସ୍ତୁତଃ ସମଗ୍ର ପୁଞ୍ଜିବାଦୀ ଶିଳ୍ପ ସଭ୍ୟତାର ସଫଳତାର ମୂଳାଧାର ହେଉଛି ଏହି ସଂସ୍କୃତି, ଯାହା ଖ୍ରୀଷ୍ଟଧର୍ମର ପ୍ରୋଟେଷ୍ଟାଣ୍ଟ୍ ଶାଖାର ଗର୍ଭରୁ ଜନ୍ମଲାଭ କରିଥିଲେ ହେଁ, ଯାହାକୁ ପୃଥିବୀର ପ୍ରତ୍ୟେକ ଅର୍ଥନୈତିକ ପ୍ରଗତି ଅନୁସରଣକାରୀ ସମାଜ ନିଜର ସଂସ୍କୃତି ରୂପେ ଆପଣାଇ ନେଇଛନ୍ତି। ଏହି ସଂସ୍କୃତି ଆମର ଏପରି ଅସ୍ଥିମଜ୍ଜାଗତ ହୋଇଯାଇଛି ଯେ ଆନା ପେରାଇଲ୍‌ଙ୍କ ପରି ସୁଶିକ୍ଷିତା ବୁଦ୍ଧିମତୀ ଝିଅମାନେ କେବଳ ସେମାନଙ୍କର ଉପରିସ୍ଥ କର୍ମଚାରୀ ବା ‘ବସ୍’ମାନଙ୍କ ଚାପ ଯୋଗୁଁ ଯେ ଏପରି ଅସ୍ବାଭାବିକ କାର୍ଯ୍ୟବୋଝ ବହନ କରିବାକୁ ବାଧ୍ୟ ହୋଇଥାନ୍ତି, ତାହା ନୁହେଁ; ଈଶ୍ବରଙ୍କ ଆରାଧନାରେ ତ୍ରୁଟି କଲେ ଜଣେ ଭକ୍ତ ନିଜକୁ ଅପରାଧୀ ଭଳି ବୋଧ କଲାପରି କାର୍ଯ୍ୟରେ ହେ‌ଳା କଲେ ଏହି କର୍ମଚାରୀମାନଙ୍କ ଠାରେ ଏକ ଅପରାଧବୋଧ ସୃଷ୍ଟି ହୋଇଥାଏ।
ପୁଞ୍ଜିବାଦୀ ଶିଳ୍ପ ସଭ୍ୟତାର ସଫଳତାର ଏହି ରହସ୍ୟ ପ୍ରଥମେ ଯିଏ ଆବିଷ୍କାର କରିଥିଲେ, ସିଏ ହେଉଛନ୍ତି ପ୍ରସିଦ୍ଧ ଜର୍ମାନ୍ ସମାଜତତ୍ତ୍ବବିତ୍ ମାକ୍ସ ୱେବର୍। ଯେଉଁ ଏକ ପ୍ରଶ୍ନ ୱେବର୍‌ଙ୍କ ଠାରେ ଏ ସଂପର୍କରେ ଅନୁସନ୍ଧିତ୍ସା ଜାଗ୍ରତ କରିଥିଲା, ତାହା ହେଲା- କେବଳ ଖ୍ରୀଷ୍ଟିଆନ୍‌ ଓ ମୁଖ୍ୟତଃ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିଆନ୍ ଦେଶମାନଙ୍କରେ କାହିଁକି ପୁଞ୍ଜିବାଦ ଓ ତହିଁରୁ ପ୍ରସୂତ ସଂପଦ ଓ ସମୃଦ୍ଧି ଚେର ବିସ୍ତାର କରିଥିବା ଦେଖାଯାଏ? ୱେବର୍ ଏହାକୁ କେବଳ ଏକ ଭାଗ୍ୟବାନ୍ ସଂଯୋଗ ରୂପେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ; ତାଙ୍କ ବିଚାରରେ ଏହି ନିର୍ଦ୍ଦିଷ୍ଟ ଧର୍ମବିଶ୍ବାସ ତା’ର ଅନୁଗାମୀମାନଙ୍କ ଠାରେ ଯେଉଁ କର୍ମସଂସ୍କୃତି ଓ ଜୀବନଶୈଳୀକୁ ରୂପ ଦେଇଥାଏ, ତାହା ପୁଞ୍ଜିବାଦର ସଫଳ ପରିପ୍ରକାଶ ନିମିତ୍ତ ଏକ ଉର୍ବର କ୍ଷେତ୍ର ପ୍ରସ୍ତୁତ କରିଥାଏ।
ୱେବର୍ ୧୯୦୫ରେ ପ୍ରକାଶିତ ତାଙ୍କର ପୁସ୍ତକ, ‘ଦି ପ୍ରୋଟେଷ୍ଟାଣ୍ଟ୍ ଏଥିକ୍ ଆଣ୍ଡ୍ ଦି ସ୍ପିରିଟ୍ ଅଫ୍ କ୍ୟାପିଟାଲିଜ୍‌ମ’ରେ ଏହା ଉପରେ ଆଲୋକପାତ କରି ନିର୍ଦ୍ଦିଷ୍ଟ ଭାବରେ ପ୍ରୋଟେଷ୍ଟାଣ୍ଟିଜ୍‌ମରୁ ଉତ୍ପନ୍ନ ଦୁଇଟି ପୁଞ୍ଜିବାଦ-ଅନୁକୂଳ ସଦ୍‌ଗୁଣର ଚିହ୍ନଟ କରିଥିଲେ। ସେ ଦୁଇଟି ହେଲେ: (୧) ଆମର ସାଂସାରିକ କର୍ମ ହେଉଛି ଈଶ୍ବରଙ୍କ ଦୃଷ୍ଟିରେ ଆମର ପବିତ୍ର କର୍ତ୍ତବ୍ୟ; (୨) ଭୋଗବିଳାସ-ବିରୋଧୀ ମିତବ୍ୟୟିତା, ଯାହା ଫଳରେ ଉତ୍ପାଦନରେ ନିବେଶ ନିମିତ୍ତ ପୁଞ୍ଜି ଠୁଳ ହୋଇଥାଏ।
ୱେବର୍‌ଙ୍କର ଯୁକ୍ତି ଅନୁସାରେ ସପ୍ତଦଶ ଶତାବ୍ଦୀରେ ଇଉରୋପରେ ବ୍ୟାପକ ପ୍ରସାର ଲାଭ କରିଥିବା କାଲ୍‌ଭିନିଜ୍‌ମ ନାମକ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟଧର୍ମର ଏକ ଚରମ ସଂସ୍କରଣର ଅନୁଗାମୀମାନଙ୍କର ବିଶ୍ବାସ ଅନୁସାରେ ମନୁଷ୍ୟର ମୋକ୍ଷଲାଭର ଏକମାତ୍ର ରାସ୍ତା ହେଉଛି ଉତ୍ସର୍ଗୀକୃତ କଠିନ ପରିଶ୍ରମ। ଏହି ମତବାଦର ପ୍ରବର୍ତ୍ତକ ଫରାସୀ ଧର୍ମଗୁରୁ ଜନ୍ କାଲ୍‌ଭିନ୍‌ ଏକ ଧାରଣାର ପ୍ରସାର ଘଟାଇଥିଲେ ଯେ କେବଳ କେତେକ ସୀମିତ ସଂଖ୍ୟକ ଲୋକ ଈଶ୍ବରଙ୍କ ଆଶୀର୍ବାଦ ଲାଭ କରି ସ୍ବର୍ଗଲୋକକୁ ଯାଇପାରିବେ। ଯେହେତୁ ସଂପଦ ସୃଷ୍ଟି ନିମିତ୍ତ କଠିନ ଉଦ୍ୟମ ହେଉଛି ଈଶ୍ବରଙ୍କର ଏହି ଆଶୀର୍ବାଦ ଲାଭ କରିବାର ଏକମାତ୍ର ଉପାୟ, ଏଣୁ ଯେଉଁ ସୀମିତ ସଂଖ୍ୟକ ଲୋକମାନେ ସଂପଦ ସୃଷ୍ଟିରେ ସର୍ବାଧିକ ସଫଳତା ଅର୍ଜନ କରିଥାନ୍ତି, କେବଳ ସେଇମାନେ ହିଁ ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ସ୍ବର୍ଗଲାଭ କରିଥାନ୍ତି।
ପୁଞ୍ଜିବାଦର ସଫଳତା ପାଇଁ ଏହାର ଗଭୀର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ପାର୍ଥିବ ସଂପଦ ପ୍ରତି ସର୍ବଦା ଘୃଣାସୂଚକ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରୁଥିବା ଆଧ୍ୟାତ୍ମିକ ଜଗତରେ କାଲ୍‌ଭିନ୍‌ଙ୍କର ଏହି ସଂପୂର୍ଣ୍ଣ ବିପରୀତ ଆଭିମୁଖ୍ୟର ଆବିର୍ଭାବ ପୁଞ୍ଜିବାଦର ଜୟଯାତ୍ରା ପାଇଁ କିପରି ପଥ ପରିଷ୍କାର କରିଦେଇଥିବ, ତାହା ସହଜେ ଅନୁମେୟ। ସଂପଦ ସୃଷ୍ଟି ନିମିତ୍ତ କଠିନ ପରିଶ୍ରମ ଏକ ଆଧ୍ୟାତ୍ମିକ କାର୍ଯ୍ୟ ରୂପେ ବିବେଚିତ ହେବା ପରେ ଲୋକମାନଙ୍କ ମନରେ ଏଥିପ୍ରତି ଥିବା ସମସ୍ତ କୁଣ୍ଠା ଦୂର ହୋଇଗଲା ଏବଂ ଏହା ହିଁ ସମସ୍ତଙ୍କ ପାଇଁ ସାଧାରଣ ଆଚରଣବିଧିରେ ପରିଣତ ହୋଇଗଲା। ବ୍ୟକ୍ତିର କଠିନ ପରିଶ୍ରମ ଓ ତା’ ମାଧ୍ୟମରେ ସଂପଦ ଠୁଳ କରିବାରେ ସଫଳତା ତା’ର ଜୀବନର ମୂଲ୍ୟାୟନର ମାପକାଠିରେ ପରିଣତ ହୋଇଗଲା।
କ୍ରମେ ପାଶ୍ଚାତ୍ୟ ପୁଞ୍ଜିବାଦର ପ୍ରସାର ସହିତ ତାଳ ଦେଇ ପୃଥିବୀରେ ସର୍ବତ୍ର ଏହି ମୂଲ୍ୟବୋଧ କର୍ପୋରେଟ୍ କର୍ମସଂସ୍କୃତିର ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇଯାଇଛି। କାଲ୍‌ଭିନ୍‌ଙ୍କ ସମୟରେ ଯେଉଁଭଳି ପରିଶ୍ରମକାତର ଲୋକମାନଙ୍କୁ ସମାଜର ଅଭିଶପ୍ତ ସଦସ୍ୟ ରୂ‌େପ ବିଚାର କରାଯାଉଥିଲା, ବର୍ତ୍ତମାନ ସେଇଭଳି ଏକ କଂପାନିରେ ଅଧିକ ପରିଶ୍ରମ କରିବା ପାଇଁ ପଛଘୁଞ୍ଚା ଦେଉଥିବା କର୍ମଚାରୀମାନେ ଭ୍ରୂକୁଞ୍ଚନ ଓ ଭର୍ତ୍ସନାର ସମ୍ମୁଖୀନ ହୋଇଥାନ୍ତି, ସତେ ଯେମିତି ସେମାନେ ହେଉଛନ୍ତି ପାପୀ। ଏହି ମୂଲ୍ୟବୋଧ ଏପରି ସ୍ବାଭାବିକ ହୋଇଯାଇଛି ଯେ ନିଯୁକ୍ତି ପାଇଁ ସାକ୍ଷାତକାର ସମୟରେ ପ୍ରାର୍ଥୀମାନଙ୍କ ଠାରୁ ସାଧାରଣତଃ ଶୁଣିବାକୁ ମିଳିଥାଏ ‌େଯ ସେମାନଙ୍କୁ କଠିନ ପରିଶ୍ରମ ଆନନ୍ଦ ଦେଇଥାଏ; ଆନା ସେବାଷ୍ଟିଆନ୍ ପେରାଇଲ୍‌ମାନଙ୍କ ଭଳି କର୍ମଚାରୀମାନେ ଡାକ୍ତରଙ୍କ ଉପଦେଶ ନ ମାନି କଠୋର ପରିଶ୍ରମ ମାଧ୍ୟମରେ ଏ ପାର୍ଥିବ ସଂସାରରୁ ବିଦାୟ ନିଅନ୍ତି। ଆନାଙ୍କୁ ସ୍ବର୍ଗରେ ସ୍ଥାନ ମିଳିବ କି ନାହିଁ, ତାହା ‘ଇୱାଇ’ର ନିୟନ୍ତ୍ରଣ ବାହାରେ; କିନ୍ତୁ ଏଇ ସଂସାରରେ ଆନାଙ୍କ ଭଳି କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବା ହେଉଛି ‘ଇୱାଇ’ ଭଳି କଂପାନିମାନଙ୍କର ନୈତିକ ଦାୟିତ୍ବ। ଆଶା, ଅନୀତାଙ୍କ ଆର୍ତ୍ତନାଦ କର୍ପୋରେଟ୍ ନେତୃବର୍ଗଙ୍କର କାନରେ ପ୍ରବେଶ କରି ଏହି ମାରାତ୍ମକ କର୍ମସଂସ୍କୃତିରେ ସଂସ୍କାର ଘଟାଇବା ପାଇଁ ସେମାନଙ୍କୁ ପ୍ରବୃତ୍ତ କରିବ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od