ପ୍ରୟାଗରାଜ: ସରିଲାଣି ମହାକୁମ୍ଭ, ତଥାପି ସରୁନି ବୁଡ଼ । ଗତକାଲି ମହାଶିବରାତ୍ରିରେ ମହାକୁମ୍ଭ ଶେଷ ହୋଇଥିବା ବେଳେ ଆଜି ବି ତ୍ରିବେଣୀ ସଙ୍ଗମରେ ବୁଡ଼ ଜାରି ରହିଛି । ଅନେକ ଶ୍ରଦ୍ଧାଳୁ ସଙ୍ଗମ ଘାଟରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି ।
ଯଦିଓ ପ୍ରୟାଗରାଜରେ ଭିଡ କିଛିଟା କମିଛି ମାତ୍ର ବୁଡ ଜାରି ରହିଛି । ଯେଉଁମାନେ ଏଯାଏଁ ପ୍ରୟାଗରାଜ ଛାଡି ନାହାନ୍ତି ସେମାନେ ଆଉ ଥରେ ଥରେ ବୁଡ ପକାଇବାର ସୁଯୋଗ ହାତ ଛଡା କରୁନଥିବା ସୂଚନା ମିଳିଛି । ତେବେ ଆଗାମୀ ସୋମବାର ଯାଏଁ ବୁଡ ଏମିତି ଅଳ୍ପ ମାତ୍ରାରେ ହେଲେ ବି ଜାରି ରହିବ । କାରଣ ପୁଣି ଏକ ରବିବାର ନିକଟରେ ପଡୁଥିବାରୁ ଯେଉଁମାନେ ଭିଡ ଯୋଗୁ ମହାକୁମ୍ଭ ଯାଇ ପାରିନାହାନ୍ତି ସେମାନେ ଫାଙ୍କା ସମୟରେ ଯିବାକୁ ପସନ୍ଦ କରିବେ ।
— ANI (@ANI) February 27, 2025
ସେପଟେ ଟେଣ୍ଟ ଧିରେ ଧିରେ ଖୋଲା ଚାଲିଲାଣି । ଆଉ ଦୁଇ ତିନି ଦିନ ଭିତରେ ଗଙ୍ଗା ନଦୀର ପଠା ଧିରେଧିରେ ଫାଙ୍କା ପଡିଯିବ । ପ୍ରୟାଗରାଜରେ ଭିଡ ଏଥର ସବୁଠାରୁ ଅଧିକ ହୋଇଥିଲା । ତେବେ ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି ପୂର୍ଣ୍ଣ ମହାକୁମ୍ଭ । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ ୪୫ ଦିନରେ ୬୬ କୋଟିରୁ ଅଧିକ ବୁଡ ପକାଇଥିବା ସୂଚନା ମିଳିଛି ।