ରାଉରକେଲା: ବାଲିଘାଟକୁ କେନ୍ଦ୍ର କରି ଶନିବାର ରାତିରେ ଇସ୍ପାତ ସହରରେ ଗୁଳି ଫୁଟିଛି। ଗୁଳିମାଡ଼ରେ କୁଆରମୁଣ୍ଡାର ବ୍ୟବସାୟୀ ବିଜୟ ଲାକ୍ରା ଗୁରୁତର ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଥିବାବେଳେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅତିରିକ୍ତ ଏସ୍ପି ପ୍ରଭାଶଙ୍କର ନାୟକ ଓ ସେକ୍ଟର-୩ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୁଆରମୁଣ୍ଡାର ଜଣେ ଜଣାଶୁଣା ରାଜନୈତିକ ଦଳର ନେତା ଦୁଇଜଣ ଦୁର୍ବୃତ୍ତଙ୍କୁ ପଠାଇ ହତ୍ୟା ଉଦ୍ୟମ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗୁରୁତର ବିଜୟ ଲାକ୍ରା ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ଫେରାର ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୁଆରମୁଣ୍ଡାର ମୂଳବାସିନ୍ଦା ବିଜୟ ଲାକ୍ରା ସେକ୍ଟର-୪, ଏ-୮୮ରେ ପରିବାର ସହ ରୁହନ୍ତି। ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ ବିଜୟ ନିଜ କାର୍ (ଓଡି୧୩୪ ଆର୍-୫୫୨୬)ରେ ପରିବାର ସହ ଘରକୁ ଫେରୁଥିଲେ। ସେକ୍ଟର-୪ ପୋଷ୍ଟ ଅଫିସ୍ ପାଖ ଏ -୩୦ ଆର୍ଏସ୍ପି କ୍ବାର୍ଟର୍ସ ଆଗରେ ମୋଟରସାଇକଲ୍ରେ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ବିଜୟଙ୍କ କାର୍କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁଳି କାର୍ର ଡାହାଣପାର୍ଶ୍ବ କାଚ ଫଟାଇ ବିଜୟଙ୍କ ବେକରେ ବାଜିଥିଲା।
ଗୁଳି ବାଜିବା ପରେ ବିଜୟଙ୍କ କାର୍ ନିୟନ୍ତ୍ରଣ ହରାଇ ଏ-୩୦ କ୍ବାର୍ଟର୍ସ ପାଚେରି ଭାଙ୍ଗି ଭିତରକୁ ପଶିଯାଇଥିଲା। ଏହାର ସୁଯୋଗ ନେଇ ଦୁଇ ଦୁର୍ବୃତ୍ତ ମୋଟର ସାଇକଲ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ବିଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାର୍ ଭିତରକୁ ଉଦ୍ଧାର କରି ଆଇଜିଏଚ୍ ପଠାଇଥିଲେ। ଗୁରୁତର ବିଜୟଙ୍କ କହିବାନୁଯାୟୀ ଗତ କିଛିଦିନ ପୂର୍ବରୁ ବାଲିଘାଟକୁ ନେଇ କୁଆରମୁଣ୍ଡାର ଜଣେ ଜଣାଶୁଣା ରାଜନୈତିକ ଦଳର ନେତାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ନେତାଜଣକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଅତିରିକ୍ତ ଏସ୍ପି ପ୍ରଭାଶଙ୍କର ନାୟକ କହିଛନ୍ତି, ବାଲିଘାଟକୁ ନେଇ ଗୁଳିକାଣ୍ଡ ହୋଇଛି କି ନାହିଁ ସ୍ପଷ୍ଟ ହୋଇନାହିଁ। ମୋଟରସାଇକଲ୍ରେ ଆସି ଦୁଇଜଣ ଯୁବକ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତଦନ୍ତ ପରେ ଗୁଳିକାଣ୍ଡର କାରଣ ଜଣାପଡ଼ିବ। ସୂଚନାଯୋଗ୍ୟ, ବାଲିଘାଟକୁ ନେଇ ପୂର୍ବରୁ ବିଶ୍ରା ବ୍ଲକ୍ ତେତେରକେଲାରେ ଗୁଳିକାଣ୍ଡ ହୋଇଥିବାବେଳେ ଏଥିରେ ଜଣେ ବାଲିମାଫିଆଙ୍କ ମୃତ୍ୟୁ ହୋଇଥିଲା। କିଛିମାସ ତଳେ ପୁଣି ତେତେରକେଲା ବାଲିଘାଟ ଗୁଳିକାଣ୍ଡରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ଚୋରା ବାଲିଚାଲାଣକୁ ନେଇ ବାରମ୍ବାର ଗୁଳି ଫୁଟିବା, ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।