ମାତ୍ର ଦିନ କେଇଟାରେ ରଣବୀର ଲକ୍ଷାଧିକ ପ୍ରଶଂସକ ହରାଇଛନ୍ତି, ଯାହା ତାଙ୍କ ଲାଗି ଏକ ଦଣ୍ଡ ଭଳି ଓ ଏହା ହିଁ ଅସହଯୋଗ। ଏଥିରେ ଦ୍ବିମତ ନାହିଁ ଯେ ସାମାଜିକ ଗଣମାଧ୍ୟମର ତାରକାମାନେ କିଛି କାଳ ଦୃଶ୍ୟମାନ ନ ହେଲେ ବିସ୍ମୃତିର କୃଷ୍ଣଗର୍ତ୍ତରେ ଅନ୍ତର୍ହିତ ହୋଇଯାଆନ୍ତି। ତେଣୁ ସୂଚନା ପ୍ରଯୁୁକ୍ତି ଆଇନର ଉପଯୋଗ କରି ବିଷଭରା ବିଷୟବସ୍ତୁ ପ୍ରସ୍ତୁତକାରୀମାନଙ୍କୁ ସାମୟିକ ଭାବେ ସାମାଜିକ ଗଣମାଧ୍ୟମରୁ ମଧ୍ୟ ବହିଷ୍କୃତ କରାଯାଇପାରେ।
ରଣବୀର ଅାଲ୍ହାବାଦିଆ ନାମକ ଜଣେ ଅତ୍ୟନ୍ତ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ତାରକାଙ୍କ ଦ୍ବାରା ନିକଟରେ ପ୍ରଦତ୍ତ ଏକ ମନ୍ତବ୍ୟ ସମଗ୍ର ଦେଶରେ ଏଭଳି ବିବାଦ ସୃଷ୍ଟି କରିଛି ଯେ ଜନରୋଷରୁ ଆରମ୍ଭ କରି ପୁଲିସ କାର୍ଯ୍ୟାନୁଷ୍ଠାନ େଦଇ ସଂସଦରେ ପ୍ରତିବାଦ ଓ ଉଦ୍ବେଗ ପ୍ରକାଶ ପର୍ଯ୍ୟନ୍ତ ବିଭିନ୍ନ ସ୍ତରୀୟ ପ୍ରତିକ୍ରିୟାମାନ ଦୃଷ୍ଟିଗୋଚର ହୋଇଛି। ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ଥିବେ ଯେ ଇଣ୍ଟର୍ନେଟ୍ରେ ପ୍ରସାରିତ ହାସ୍ୟରସଧର୍ମୀ ବୋଲି କୁହାଯାଉଥିବା ଏକ କାର୍ଯ୍ୟକ୍ରମରେ ଅତିଥି ବିଚାରକ ରୂପେ ଯୋଗଦେଇ ରଣବୀର କୌଣସି ଜଣେ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ଯାହା କହିଥିଲେ, ତହିଁରେ ପିତା-ମାତାଙ୍କ ଯୌନକ୍ରିୟା ନେଇ ଏକ ଜଘନ୍ୟ ଜିଜ୍ଞାସା ବିଦ୍ୟମାନ ଥିଲା। ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କିଭଳି କଳ୍ପନାତୀତ ଅଶ୍ଳୀଳତା, ଅଶାଳୀନତା, ଅନିୟନ୍ତ୍ରିତ ଅପମାନସୂଚକ ବିଷୋଦ୍ଗାର ଇତ୍ୟାଦିର ନାଭିକେନ୍ଦ୍ରରେ ପରିଣତ ହୋଇଛନ୍ତି ଏବଂ ସେଥିରେ ‘ସୋସିଆଲ୍ ମିଡିଅା ଇନ୍ଫ୍ଲୁଏନ୍ସର’ ଭାବେ ଆଖ୍ୟାୟିତ ରଣବୀର ଓ ତାଙ୍କ ସମଧର୍ମାମାନଙ୍କ ସନ୍ଦିଗ୍ଧ ଭୂମିକା ରହିଛି ସେ ନେଇ ଆଲୋଚନା ଏବେ ତୀବ୍ର ହୋଇଛି। କେବଳ ସେତିକି ନୁହେଁ, ଏ ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡ ବିଧାନ କିଭଳି ହେବା ଉଚିତ, ସେ ନେଇ ମଧ୍ୟ ତର୍କମାନ ଦୃଷ୍ଟିଗୋଚର ହେବାରେ ଲାଗିଛନ୍ତି, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ସ୍ବୀୟ ଭୂମିକା ଓ ପ୍ରଭାବ ହେତୁ ରଣବୀର ରାଷ୍ଟ୍ରୀୟ ସ୍ତରରେ ପୁରସ୍କୃତ ହୋଇଥିଲେ, ଯହିଁରେ ପୁରସ୍କାର ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ଲାଗି ଅନୁରୋଧ ଥିଲା ଯେ ସଂପ୍ରତି ନିଦ୍ରାହୀନତା ଏକ ବ୍ୟାଧିରେ ପରିଣତ ହୋଇଥିବାରୁ ରଣବୀର ସୁନିଦ୍ରା ସକାଶେ ଏକ ମାର୍ଗଦର୍ଶନକାରୀ ‘କଣ୍ଟେଣ୍ଟ’ ବା ବିଷୟବସ୍ତୁ ପ୍ରସ୍ତୁତ କରନ୍ତୁ। କହିବାର ତାତ୍ପର୍ଯ୍ୟ ହେଲା ଲକ୍ଷ ଲକ୍ଷ ଅନୁସରଣକାରୀଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଥିବା ‘ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର’ମାନଙ୍କ ଠାରୁ ରାଷ୍ଟ୍ର ଏହିଭଳି ଯୋଗଦାନ ଚାହିଁଥାଏ। ପ୍ରକାଶ ଥାଉ କି ରଣବୀରଙ୍କ ‘ୟୁଟ୍ୟୁବ୍’ ଚ୍ୟାନେଲ ‘ବିଅର୍ ବାଇସେପ୍ସ’କୁ ନିୟମିତ ଦେଖୁଥିବା ଲୋକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ। ଏହା ମଧ୍ୟ ସତ ଯେ ସ୍ବାସ୍ଥ୍ୟରୁ ଆରମ୍ଭ କରି ସଂସ୍କୃତି, ଇତିହାସରୁ ନେଇ ରାଜନୀତି ଓ ଲୌକିକରୁ ନେଇ ପାରଲୌକିକ ପର୍ଯ୍ୟନ୍ତ ଦିଗନ୍ତ ବିସ୍ତାରୀ ସଂଦର୍ଭରେ ସେ କେତେକ ଉଚ୍ଚକୋଟୀର ‘କଣ୍ଟେଣ୍ଟ’ ପ୍ରସ୍ତୁତ କରିଛନ୍ତି। କିନ୍ତୁ, ଗଭୀର ଦୃଷ୍ଟିପାତ କଲେ ଦିଶିଥାଏ କିଭଳି ଅନାହୂତ ଓ ଅନାବଶ୍ୟକ ଭାବେ ସଂଭ୍ରମ ଚାତୁର୍ଯ୍ୟ ସହିତ ସେ ସନ୍ତର୍ପଣେର ତହିଁରେ ଅଶ୍ଳୀଳତାର ପ୍ରବେଶ ଘଟାନ୍ତି, ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାହାକୁ ଅଧିକ ସଂଖ୍ୟାରେ ଦେଖିବାକୁ ପ୍ରଲୁବ୍ଧ କରି ଅଧିକ ଅର୍ଥ ଉପାର୍ଜନ କରିବା। କହିବା ବାହୁଲ୍ୟ, ମନୁଷ୍ୟ ମନରେ ଥିବା ଅବିମୋଚନୀୟ ଆଦିମ ଜାନ୍ତବ କ୍ଷୁଧାର ଏକ ପରିପୂର୍ଣ୍ଣ ଆହାର ହେଉଛି ଅଶ୍ଳୀଳତା। ସୁତରାଂ, ରଣବୀର ଓ ତାଙ୍କର ଅନେକ ସତୀର୍ଥ ଅଶ୍ଳୀଳତାର ଭୋଜି ଦେବାରେ ବ୍ୟାପୃତ, ଯହିଁରେ ସେମାନଙ୍କ ଅନୁସରଣକାରୀମାନଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି।
ସଦ୍ୟପ୍ରାପ୍ତ ପରିସଂଖ୍ୟାନରୁ ଜଣାଯାଏ ଯେ ଭାରତରେ ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୯୫ କୋଟି, ଯେଉଁମାନେ ଦୈନିକ ହାରାହାରି ଛଅ ଘଣ୍ଟା ଇଣ୍ଟର୍ନେଟ୍ ବ୍ୟବହାର କରନ୍ତି, ଅର୍ଥାତ୍ ଅଶ୍ଳୀଳତା ଓ ଅେଶାଭନୀୟତାର ବିଶାଳ ବଜାର ମଧ୍ୟକୁ ଉନ୍ମୁକ୍ତ ପ୍ରଶସ୍ତ ରାଜପଥଟି ଜନାକୀର୍ଣ୍ଣ! ରଣବୀର ଅଂଶ ଗ୍ରହଣ କରିଥିବା ସୋ’ର ନାମ ‘ଇଣ୍ଡିଅାସ୍ ଗଟ୍ ଲାଟେଣ୍ଟ୍’, ଯାହା ଏକ ହାସ୍ୟରସ ସୃଷ୍ଟିକାରୀ କାର୍ଯ୍ୟକ୍ରମ ବୋଲି କୁହାଯାଇଥାଏ ଓ ସେହିଭଳି ଅନେକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମ ମଞ୍ଚରେ ବିଦ୍ୟମାନ। କିନ୍ତୁ ବାସ୍ତବତାଟି ହେଲା ଅଶ୍ଳୀଳତା, ମର୍ମଭେଦୀ ଅପମାନ ପ୍ରଦାନ, କଟୁ ଅକ୍ଷେପ ଇତ୍ୟାଦି ଜରିଆରେ ଜଣକ ଉପରେ ଲକ୍ଷ୍ୟ ସାଧି ଯେଉଁ ପୈଶାଚିକ ହାସ୍ୟରୋଳ ଉଦ୍ରେକ କରାଯାଏ, ତାକୁ ଯଥାର୍ଥତା ପ୍ରଦାନ ପୂର୍ବକ କୁହାଯାଉଛି ‘ଡାର୍କ ହ୍ୟୁମର୍’ ବା ‘ତମସାଚ୍ଛନ୍ନ ହାସ୍ୟରସ’, ଯାହାକୁ ଉପଜୀବ୍ୟ କରି ଅନେକ ‘ଷ୍ଟାଣ୍ଡ୍ଅପ୍ କମେଡିଏନ୍’ଙ୍କ ଆବିର୍ଭାବ ଘଟିଲାଣି। ଅବଶ୍ୟ ସାମାଜିକ ଗଣମାଧ୍ୟମରେ ଅନେକ ଉଚ୍ଚକୋଟୀର ବିଷୟବସ୍ତୁ ମଧ୍ୟ ଉପଲବ୍ଧ, କିନ୍ତୁ ଦେଖଣାହାରିଙ୍କ ସଂଖ୍ୟା ଉପେର ଅର୍ଥ ଉପାର୍ଜନର ଆକାର ନିର୍ଭର କରୁଥିବାରୁ ପୈଶାଚିକ ଉଲ୍ଲାସ ସୃଷ୍ଟି କରୁଥିବା ‘କଣ୍ଟେଣ୍ଟ’ଙ୍କ ସଂଖ୍ୟା ଅନେକ ଗୁଣରେ ଅଧିକ। ଏହି କ୍ରମରେ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଗାଳିଗୁଲଜ କରିବା ବା ବିନା ସଂକୋଚରେ ନଗ୍ନତା ପ୍ରଦର୍ଶନ କରିବା କ୍ରମେ ମୁଖ୍ୟସ୍ରୋତୀୟ ହେବା ଉପକ୍ରମ କଲାଣି, ଯହିଁରେ ସାଧାରଣ ମଧ୍ୟବିତ୍ତ ପରିବାରର ପୁରୁଷ, ମହିଳା ଏପରିକି ନାବାଳକ ସନ୍ତାନମାନେ ମଧ୍ୟ ପାରଂପରିକ ସଂଭ୍ରମବୋଧ ଓ ମୂଲ୍ୟବୋଧ ପରିତ୍ୟାଗ କରି ଅଶ୍ଳୀଳ ‘କଣ୍ଟେଣ୍ଟ’ ପ୍ରସ୍ତୁତ କରିବାରେ ଲିପ୍ତ। କହିବା ବାହୁଲ୍ୟ ଏଭଳି ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ।
ରଣବୀରଙ୍କ ମନ୍ତବ୍ୟ ପ୍ରାୟ ସର୍ବତ୍ର ସମାଲୋଚିତ ହୋଇଛି, କିନ୍ତୁ ଦଣ୍ଡ ବିଧାନ କିଭଳି ହେବା ଉଚିତ, ସେ ନେଇ ମତାନୈକ୍ୟ ଜାତ ହୋଇଛି। ଏଭଳି ଏକ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅନେକ ନାପସନ୍ଦ କରି ଏହାକୁ ମୁକ୍ତ ଅଭିବ୍ୟକ୍ତିି ଉପରେ ସରକାରୀ ହସ୍ତେକ୍ଷପ ରୂପେ ଅଭିହିତ କରିଥାନ୍ତି। ଅଥଚ, ଆଉ ଏକ ବିଶାଳ ବର୍ଗ ଅଧିକ ଦଣ୍ଡ ଏପରିକି ‘ପ୍ରାଣଦଣ୍ଡ’ର ଯଥାର୍ଥତା ନେଇ ଉଚ୍ଚାଟ ସୃଷ୍ଟି କରିବାରେ ଲାଗିଛନ୍ତି। ସେହିଭଳି ଅନେକଙ୍କ ମତରେ ସାମାଜିକ ଗଣମାଧ୍ୟମ ଏକ ଗଣତାନ୍ତ୍ରିକ ମଞ୍ଚ ହୋଇଥିବାରୁ ସ୍ବାଧୀନତା ସୀମାହୀନ ହେବା ଉଚିତ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଏଭଳି ସ୍ବାଧୀନତା କ’ଣ ସହନଶୀଳତାର ସମସ୍ତ ସୀମା ଲଂଘିଯିବ? ଏଭଳି ସ୍ଥଳେ ବାସ୍ତବତାଟି ହେଲା, ଏମିତି ତର୍କ-ବିତର୍କ ହେତୁ ପ୍ରକୃତ ସଂଦର୍ଭଟି କୋଣଠେସା ହୋଇଯିବା ସ୍ବାଭାବିକ, ଅର୍ଥାତ୍ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳତାର ପ୍ରସାରଣ ସଂପର୍କିତ ଆଲୋଚନା ଓ ପ୍ରତିକାରର ମାର୍ଗ ଉନ୍ମୋଚନ ଭଳି ଉଦ୍ୟମ ହୁଏତ ନିଷ୍ପ୍ରଭ ପଡ଼ିଯିବ, ଯେମିତି ପୂର୍ବରୁ ଅନେକ ଗୁରୁତର ପ୍ରସଙ୍ଗରେ ସ୍ବାଭାବିକ ପରିଣତି ଭାବେ ତାହା ହିଁ ଘଟିଛି!
ଗଲା ବର୍ଷ ଅନୁଷ୍ଠିତ ଓସ୍କାର ପୁରସ୍କାର ସମାରୋହରେ ‘ଷ୍ଟାଣ୍ଡ୍ଅପ୍ କମେଡିଏନ୍’ ଖ୍ରୀସ ରକ୍ଙ୍କ ଏକ ବ୍ୟକ୍ତିଗତ ଓ ଅରୁୁଚିକର ଟିପ୍ପଣୀ ବରଦାସ୍ତ କରି ନ ପାରି ଅଭିନେତା ୱିଲ୍ ସ୍ମିଥ୍ ମଞ୍ଚ ଉପରକୁ ଉଠିଯାଇ ସର୍ବ ସମକ୍ଷରେ ତାଙ୍କୁ ଚପେଟାଘାତ କରିଥିଲେ। କିନ୍ତୁ, ଏଭଳି ପ୍ରତିକ୍ରିୟା ଲାଗି ୱିଲ୍ ସ୍ମିଥ୍ ଅଧିକ ସମାଲୋଚିତ ହେଲେ ଓ ଦଣ୍ଡ ସ୍ବରୂପ ତାଙ୍କୁ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ଓସ୍କାର ସମାରୋହରୁ ନିଷେଧ କରାଗଲା। କୁହାଯାଏ ଯେ ସେ ଦିନ ଯଦି ୱିଲ୍ ସ୍ମିଥ୍ ପ୍ରତିବାଦ ପୂର୍ବକ ନିରବରେ ସପତ୍ନୀକ ସମାରୋହରୁ ନିଷ୍କ୍ରାନ୍ତ ହୋଇଥାନ୍ତେ, ତେବେ ସମାଲୋଚନା ଓ ଭର୍ତ୍ସନାର ପାତ୍ର ହୋଇଥାନ୍ତେ ଖ୍ରୀସ ରକ୍, ଯାହା ପ୍ରକାରାନ୍ତରେ ତାଙ୍କ ସକାଶେ ଦଣ୍ଡ ସ୍ବରୂପ ହୋଇଥାଆନ୍ତା। ଏହା ହିଁ େହଉଛି ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଦର୍ଶିତ ଅସହଯୋଗ ମାର୍ଗର ଉପଯୋଗିତା, ଯାହା ଅନେକଙ୍କ ମତରେ ସାମାଜିକ ଗଣମାଧ୍ୟମରେ ଜହର ପ୍ରସାରଣକାରୀଙ୍କ ସକାଶେ ଯୁକ୍ତିଯୁକ୍ତ ଦଣ୍ଡ ହୁଅନ୍ତା। ମାତ୍ର ଦିନ କେଇଟାରେ ରଣବୀର ଲକ୍ଷାଧିକ ପ୍ରଶଂସକ ହରାଇଛନ୍ତି, ଯାହା ତାଙ୍କ ଲାଗି ଏକ ଦଣ୍ଡ ଭଳି ଓ ଏହା ହିଁ ଅସହଯୋଗ। ଏଥିରେ ଦ୍ବିମତ ନାହିଁ ଯେ ସାମାଜିକ ଗଣମାଧ୍ୟମର ତାରକାମାନେ କିଛି କାଳ ଦୃଶ୍ୟମାନ ନ ହେଲେ ବିସ୍ମୃତିର କୃଷ୍ଣଗର୍ତ୍ତରେ ଅନ୍ତର୍ହିତ ହୋଇଯାଆନ୍ତି। ତେଣୁ ସୂଚନା ପ୍ରଯୁୁକ୍ତି ଆଇନର ଉପଯୋଗ କରି ବିଷଭରା ବିଷୟବସ୍ତୁ ପ୍ରସ୍ତୁତକାରୀମାନଙ୍କୁ ସାମୟିକ ଭାବେ ସାମାଜିକ ଗଣମାଧ୍ୟମରୁ ମଧ୍ୟ ବହିଷ୍କୃତ କରାଯାଇପାରେ। କହିବାର ଉଦ୍ଦେଶ୍ୟ ହେଲା ସାମାଜିକ ଗଣମାଧ୍ୟମକୁ ଅଶ୍ଳୀଳତା ଓ ଅଶୋଭନୀୟତାମୁକ୍ତ କରିବାରେ ଯତ୍ପରୋନାସ୍ତି ଉଦ୍ୟମ ହେଉ, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କଠୋର ଦଣ୍ଡ ବିଧାନ ଅଥବା ମାତ୍ରାଧିକ ପୁଲିସ କିମ୍ବା ଅଦାଲତୀ ହସ୍ତକ୍ଷେପ କରି ଅଯଥା ବାଦାନୁବାଦ ସୃଷ୍ଟି କରା ନ ଯାଉ, ଯଦ୍ଦ୍ବାରା ମୂଳ ପ୍ରସଙ୍ଗଟି ଅସାର ହୋଇଯିବ ଓ ଅଶ୍ଳୀଳତାର ଧ୍ରୁବତାରାମାନେ ପଥ ଭ୍ରଷ୍ଟ କରି ଚାଲିଥିବେ।