ଭୁବନେଶ୍ୱର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜରିଆରେ ସରକାର ଟାଉନ ପ୍ଲାନିଂ (ଟିପି) ଯୋଜନା କାର୍ଯ୍ୟକ୍ଷମ କରିବାକୁ ୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଦେଶ୍ୟଥିଲା, ପଡ଼ିରହିଥିବା ଜମିରୁ କିଛି ଅଂଶ ଆଣି ଜମିମାଲିକଙ୍କୁ ମୌଳିକ ଆବଶ୍ୟକତା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା। ଏବେ ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି। ଭୁବନେଶ୍ବର ଭଳି ଅନ୍ୟ ସମସ୍ତ ମହାନଗର ନଗମ ଅଞ୍ଚଳରେ ଏଭଳି ସ୍କିମ୍ ପ୍ରସ୍ତୁତ କରି ନୂଆ ସହର ତିଆରି କରିବେ। ତେବେ ୧୦ ବର୍ଷ ପରେ ଗୋଟିଏ ବି ‘ଟିପି’ କାର୍ଯ୍ୟକ୍ଷମ ହୋଇ ପାରି ନଥିବାରୁ ଏହି ସବୁ ଯୋଜନା କେବେ କାର୍ଯ୍ୟକ୍ଷମ ହେବ ସେ ନେଇ ପ୍ରଶ୍ନ ଉଠିଛି।
୨୦୧୩ ମସିହାରେ ଟିପି ସ୍କିମ୍ ଘୋଷଣା ହୋଇଥିଲେ ମଧ୍ୟ ୨୦୧୫ରେ ବିଡିଏ ଡିମାର୍କେସନ ଆରମ୍ଭ କରିଥିଲା। ୨୦୨୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରଥମ ପଟ୍ଟା ବାଣ୍ଟିଥିଲେ। ଯେବେ ଘୋଷଣା ହେଲା ସେବେଠାରୁ ଏହି ଜମି କିଣାବିକା ଉପରେ କଟକଣା ଲାଗିଥିଲା। କେହି କଣାବିକା କରିପାରୁ ନଥିଲେ କିମ୍ବା ଅନ୍ୟ କୌଣସି ବ୍ୟବହାରରେ ଲଗାଇପାରୁ ନଥିଲେ। କଟକଣା ଥିଲେ ମଧ୍ୟ କେତେକ ପରିସ୍ଥିତିରେ ପଡ଼ି ବିକି ଦେଇଥିଲେ, କେତେକ ଘର ତିଆରି କରିଥିଲେ। ଏହି ସମସ୍ୟାର ଏ ଯାବତ୍ ସମାଧାନ ହୋଇନଥିବା ବେଳେ ଏବେ ନୂଆ ଅଭଯୋଗ ଆସିଲାଣି। ସମତଳ ଜମି ନେଇ କାହାକୁ ଖାଲ ଜମି ଦେଇଦେଇଥିବା ବେଳେ, ଖାଲୁଆ ଜମି ପାଇଥିବା ଲୋକଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସମତଳ ଜମି ଦେଇଦେଲେଣି। ଗୋଟିଏ ପଟେ ସରକାର ଏହି ସ୍କିମ୍କୁ ‘ସହରୀକରଣର ମୁଖଶାଳା’ କହି ସାରା ଓଡ଼ିଶାରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରୁଥିବା ବେଳେ କେତେକ ଅଧିକାରୀଙ୍କ ଅପାରଗତା ଯୋଗୁ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।ବିଜିପୁର-ନାରଗୋଦା ସ୍କିମ୍ର ଜଣେ ଜମି ମାଲିକ ଅବଧୂତ ପ୍ରଧାନଙ୍କ କହିବା କଥା, ସରକାର କହିଲେ ୪୦% ଜମି ନେବୁ, ବିଦ୍ୟୁତ୍, ଡ୍ରେନେଜ୍, ସ୍ବେରେଜ୍ ବ୍ୟବସ୍ଥା କରିବୁ। ହେଲେ ବର୍ଷ ପରେ ବର୍ଷ ଗଡ଼ିଗଲା। ମୃତ୍ୟୁ ପ୍ରମାଣପତ୍ର, ଲିଗାଲ୍ ହାୟାର, ଏମିତି କେତେ କଣ କାଗଜ ମାଗିଲେ ଯେ, ଜମିମାଲିକ ନୟାନ୍ତ ହୋଇପଡ଼ିଲେ। ୪୦ ବର୍ଷ ହେଲା କିଏ କୁଆଡ଼େ ମରିହଜି ଗଲେଣି। କୋଉଠୁ ଲିଗାଲ୍ ହାୟାର ବାହର କରିବୁ? ଏ ସବୁ କାଗଜ ନ ହେଲେ ପଟ୍ଟା ମଳିବନି। ଏମିତି ଅଧିକାଂଶଙ୍କୁ ପଟ୍ଟା ମିଳିପାରୁନି। କିନ୍ତୁ ଇଏ ଯୋଜନା କରି ପଳେଇବେ। ଆମର ସମତଳ ଜମି ଗଲା, ଆମକୁ ଖାଲ ଜମି ଦେଲେ। ଜମ ଦର ସିନା ବଢ଼ିଗଲା, ପଇସାରୁ କଣ ମଳିବ? ୟାକୁ ପୋତି ଆମେ ଘର କରି ପାରିବୁ ତ? ଏହା ବାଧ୍ୟ ହୋଇ ବିଲ୍ଡରକୁ ବିକଦେବୁ। ଦୁଇଜଣ ପୁତୁରା ବିକିଦେଲେ, ସୁନା ଚେନ୍, ଗାଡ଼ି କିଣିଲେ। ବିକି ଖାଇଦେଲେ। କୋଟିଏ ଟଙ୍କା ହେଲେ ବି କେତେ ଦିନ ଯିବ?
ପ୍ରକାଶ ସାହୁ କହିଛନ୍ତି, ଆମଠୁଁ ଧାନ ଜମି ନେଲେ, ହେଲେ ଖାଲ ଜମି ଦେଇଦେଲେ। ୧୦ ବର୍ଷ ପକେଇ ରଖିଲେ। ଆମକୁ ଚାଷ କରିବାକୁ ଦେଲେନି କି ପଟ୍ଟା ବି ଦେଲେନି। ଘର କରିବାକୁ ସୁଯୋଗ ବି ଦେଲେନି। ମୁଁ ଯୋଉ ଚାଷ ପାଇଁ ବଳଦ ରଖିଥିଲି ତାକୁ ବିକି ଛେଳି କିଣିଛି। ପିଲାଛୁଆ ମୋଟାଅଙ୍କର ଅର୍ଥ ପାଇ ନଷ୍ଟ ହେଲେଣି। ବିଲ୍ଡର କିଣିବା ପାଇଁ ଟଣାଓଟରା ହେଉଛନ୍ତି। କିନ୍ତୁ ଥରେ ପୁରୁଷପୁରୁଷ ଅମଳର ଜମି ବିକି ଦେଲେ ଟଙ୍କା ବା କେତେ ଦିନ ଯିବ? ଏତିକିରେ ସରିନି, ପାଇକରାପୁର ଟିପି ସ୍କିମ୍ର ଜଣେ ଜମିମାଲିକ କହିଛନ୍ତି, ୧୯୯୦ ମସିହାରେ ଜମି କିଣାବିକା ହୋଇଥିଲା। ୨୦୧୫ ମସିହାରେ ଟିପି ସ୍କିମ୍ ଆରମ୍ଭ ହେଲା। ଖାତା ସଂଖ୍ୟା ସମାନ ଥିବା ବେଳେ ପ୍ଲଟ୍ ସଂଖ୍ୟା ବଦଳିଛି। ଏହାକୁ ବାଇ ପ୍ଲଟ୍ କହି ବିଡିଏ ପଜେସନ ଦେଉନି। ଏଣୁ କିଣାବିକା ହେଇପାରୁନି ବୋଲି କହିଛନ୍ତି। ଏ ସବୁ ସମସ୍ୟାକୁ ବିଚାରକୁ ନେଲେ ସ୍କିମ୍ କିଭଳି ସଫଳ ହେବ ସେ ନେଇ ପ୍ରଶ୍ନ ଉଠୁଛି। ତେବେ ବିଡିଏ କହିଛି କି ସବୁ ସମସ୍ୟାର ସମାଧାନ କରାଯାଉଛି। କୌଣସି ସମସ୍ୟା ଯେଭଳି ରହିବନାହିଁ ସେ ନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି।