Sunday, January 12, 2025
Home ସମ୍ପାଦକୀୟ ପୁଣ୍ୟ ମାସରେ ‘କାଟ୍‌ଲ କ୍ଲାସ୍‌’

ପୁଣ୍ୟ ମାସରେ ‘କାଟ୍‌ଲ କ୍ଲାସ୍‌’

by
0 comment

ସତ୍ୟନାରାୟଣ ଗନ୍ତାୟତ

ଜାଣୁ, ଆପଣ ପଚାରିବେ ଯେ ପୁଣ୍ୟ ମାସ ବୋଇଲେ କାର୍ତ୍ତିକ ମାସ ତ ସରିଗଲା, ଏବେ ପୁଣି ଏ ପୁଣ୍ୟ ମାସର ଚର୍ଚ୍ଚା କିଆଁ? କଥା ହେଲା ଆମ ସହରର ନାମ ହେଉଛି ଗଡ଼ଗଡ଼ା ସହର। ଏଠି ଲୋକେ ଧର୍ପପ୍ରାଣ ବୋଲି ଆଖପାଖ ଲୋକେ ଜାଣନ୍ତି। ତେଣୁ, ପୁଣ୍ୟ ମାସ ସରିବାର ଢେର ଦିନ ପରେ ବି ସେ ବାବଦରେ ଗପସପ ଚାଲେ। 
ଆମେ ଗଡ଼ଗଡ଼ା ସହର ଛାଡ଼ି ଢେର ଦିନ ହେଲାଣି ରାଜଧାନୀରେ ବସା ବାନ୍ଧିଛୁ। କିନ୍ତୁ ସେଠିକାର ସ୍ଥାୟୀ ବାସିନ୍ଦା ପରମ ମିତ୍ର ସତ୍ୟେନ୍ଦୁ ସହିତ ବେଳେବେଳେ ଫୋନାଳାପ ହୋଇଥାଏ। ତ ସତ୍ୟେନ୍ଦୁ ସେ ଦିନ ଫୋନ କରି ପୁଣ୍ୟ ମାସ କଥା କହୁ କହୁ ଆମ ପିଲା ଦିନର କାର୍ତ୍ତିକ ମାସ କଥା କହି ପକାଇଲା। 
ସେ କହିଲା- ମନେ ପଡୁଛିଟି କେମିତି କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ଆମେ ଜାଣି ଯାଉଥିଲୁ ଯେ ଏଣିକି ଘରର ସଭିଏଁ ସବୁ ଦିନ ଜେଜେମା’ ଓ ବୋଉଙ୍କ ପାଇଁ ପ୍ରସ୍ତୁତ ହବିଷ୍ୟାନ୍ନ ଖାଇବେ। ଗୋଟାମୁଗ ସାରୁ ନଡ଼ିଆ କୋରା କନ୍ଦମୂଳାଦି ସହ ଓଉ ଭଳି କିଛି ପରିବା ପଡ଼ି ସିଝା ହୋଇ ବଘରା ନ ହୋଇ ଗୁଆ ଘିଅ ଆଉ ସୈନ୍ଧବ ଲୁଣ ପଡ଼ିଥିବା ଡାଲମା, ସାରୁ ବା କନ୍ଦମୂଳ ବା ନଡ଼ିଆରେ ଅଦା ମିଶା ଦହି ପାଚେଡ଼ି, ଅଗସ୍ତି ଶାଗ ଖରଡ଼ା ଓ ଖଟା କମଳା ଲେମ୍ବୁ ସୈନ୍ଧବ ଲୁଣ ଦଳା ପାଗ ଭଳି ଭୋଜପ, ପୁଣି ମଧ୍ୟାହ୍ନରେ କଦଳୀ ପତ୍ରରେ ବଢ଼ା, ଲାଗୁ ନ ଥିଲା କି ସତରେ ଏଇଟା ଗୋଟିଏ ପୁଣ୍ୟ ମାସ!
ଆମେ କହିଲୁ- ଠିକ୍‌ ତ କହିଛୁ, ଏବେ କ’ଣ କାର୍ତ୍ତିକ ମାସ ଆଉ ପୁଣ୍ୟ ମାସ ଭଳି ଲାଗୁନି କି?
ସତ୍ୟେନ୍ଦୁ କହିଲା- ନା’ରେ ଭାଇ ବହୁତ କିଛି ବଦଳି ଯାଇଛି ଗଡ଼ଗଡ଼ା ସହରରେ। ମା’ ଓ ମାଉସୀଏ ନିଷ୍ଠାର ସହିତ ପାଳୁଛନ୍ତି ସତ, କିନ୍ତୁ ସେ ଭାବ ଆଉ ନାହିଁ। 
ଆମର ମନେ ପଡ଼ିଗଲା ଯେ ସତ୍ୟେନ୍ଦୁ ପିଲା ଦିନୁ ଶୁଦ୍ଧ ଶାକାହାରୀ ଏବଂ ଯୋଗକୁ ତା’ ପତ୍ନୀ ବି ତା’ ଭଳି। କୁକୁଡ଼ା ବଦଳରେ କାକୁଡ଼ି ଓ କଙ୍କଡ଼ା ବଦଳରେ କାଙ୍କଡ଼ ଖାଇ ସେମାନେ ସଦା କାଳେ ଖୁସି। ତେଣୁ ସେ ଓ ତା’ ପତ୍ନୀ କାର୍ତ୍ତିକ ମାସ ସାରା ହବିଷ୍ୟାନ୍ନ ଖାଉଥିବେ ନିଶ୍ଚୟ। 
ତ ପଚାରିଲୁ- କ’ଣ ହେଲା? ତୁ ତ ମାସ ସାରା ହବିଷ୍ୟାନ୍ନ ଖାଇଥିବୁ! 
ସତ୍ୟେନ୍ଦୁ କହିଲା- ଆରେ ଭାଇ, ପ୍ରତି ମାସ ଗୋଟେ ମନ୍ଦିର ପକ୍ଷରୁ ହବିଷ୍ୟାନ୍ନ ବିକ୍ରି ହୁଏ। ତାକୁ ଆମେ ଦୁଇ ପ୍ରାଣୀ ମଗାଇ ଖାଉଁ। ହେଲେ ଏ ବର୍ଷ ସେ ନନା ମନା କରିଦେଲେ। କାହିଁକି ମନା କରୁଛନ୍ତି ବୋଲି ପଚାରିଲାରୁ ନନାଙ୍କ ପୁଅ କହିଲେ- ଆମେ ଆପଣଙ୍କ ଭଳି ଜଣେ ଦି ଜଣଙ୍କ ପାଇଁ ଏ ଝିଞ୍ଜଟ ‌େନବାକୁ ଚାହୁଁନୁ। ଏବେ ପରିବାରର ବୁଢ଼ାବୁଢ଼ୀମାନଙ୍କ ଛଡ଼ା ଆଉ କେହି ହବିଷ୍ୟାନ୍ନ ଖାଇବାକୁ ରାଜି ନୁହେଁ। ପରିବାରର ଅନ୍ୟମାନେ ଘରେ ଆଇଁଷ ଖାଇବା ମନା ଥିବାରୁ ବାହାରେ ଖାଉଛନ୍ତି। ତେଣୁ ମା’ ମାଉସୀଏ ଯେ ଝା ଘରେ ନିଜ ଲାଗି ଅରୁଆ ଡାଲମା କମଳା ଲେମ୍ବୁ ପାଗ କରି ଚଳାଇ ନେଉଛନ୍ତି। ତେଣୁ ଅଧିକ ଅର୍ଡର ନାହିଁ।
ରାଜଧାନୀରେ ରହୁଥିବା ହେତୁ କଥାଟା ଆମକୁ ସେମିତି କିଛି ତା‌ଜୁବ କଲା ଭଳି ଲାଗିଲା ନାହିଁ। କିନ୍ତୁ, ଗଡ଼ଗଡ଼ା ଭଳି ଛୋଟ ସହରରେ ରହୁଥିବା ସତ୍ୟେନ୍ଦୁ ଲାଗି ଏହା ଥିଲା ଏକ ବିରାଟ ଅପଲକ୍ଷଣ! 
ଆମେ ତା’ ପରେ ପଚାରିଦେଲୁ- ହଉ ପୁଣ୍ୟ ମାସ ତ ସରିଗଲା। ଏବେ କହ ଛାଡ଼ଖାଇଟା ତୁମ ସହରରେ କେମିତି ହେଲା?
କଥାଟି ପଚାରି ଜାଣ ବିରୁଡ଼ି ବସାରେ ହାତ ମାରିଦେଲୁ। ଲାଗିଲା ସହସ୍ର ବିରୁଡ଼ି ବିନ୍ଧି ପକାଇବେ। ସେ କହିଲା- ଚୁଲିକି ଯାଉ ଗଡ଼ଗଡ଼ା ଲୋକଙ୍କ ପୁଣ୍ୟ! ମାସ ସାରା ତ ଘରେ ଆଇଁଷ ନ ଖାଇ ବାହାରେ ଖାଉଥିଲେ, ଏବେ ଛାଡ଼ଖାଇକୁ ଲାଗିଲା ସତେ ଯେମିତି କାହିଁ କେତେ କାଳୁ ଆଇଁଷ ଦେଖି ନାହାନ୍ତି। ମାଛ, ଛେଳି ଓ କୁକୁଡ଼ାଙ୍କ ବଂଶ ବୁଡ଼େଇ ଦେଲେ ହୋ! କରିମ୍ ଚାଚାଙ୍କ ପୁଅ ସଲିମ କହୁଥିଲା ଯେ ଏତେ କାଟିବାକୁ ପଡ଼ିଲା ଯେ ବିଚରା ସନ୍ଧ୍ୟାରେ ହାଲିଆ ହୋଇ ଅଚେତ ହେବା ଭଳି ଅବସ୍ଥା। କିନ୍ତୁ ପୁଣ୍ୟ ମାସ ସାରିଥିବା ଲୋକେ କହିଲେ, ବିଶ୍ରାମ ନାହିଁ। ସାଲାଇନ୍‌ ଲଗା ଆଉ ମା‌ଉଁସ କାଟ୍‌!
ସେ ପଟୁ ସେ ହଠାତ୍‌ ତୁନି ହୋଇଗଲା।
ଏବେ ଆମେ କହିଲୁ- ହଉ, ଯାହା ହେଲା ହେଲା। ତୁ ଏଇ କଥା ସବୁକୁ ଦିହକୁ ନେଏନା। ଯୁଗ ବଦଳୁଛି ଧନ। ଆଗ ଭଳି ମାସେ କାଳ ହବିଷ୍ୟାନ୍ନ ଖାଇ ଆନନ୍ଦିତ ହେବାର ପରିବାରମାନ ନାହାନ୍ତି। ତୁ ଓ ଭାଉଜ ଶୁଦ୍ଧ ଶାକାହାରୀ, ତେଣୁ ତୁମେମାନେ ପୁଣ୍ୟ ମାସରେ ଖୁସି ପାଉଛ। କିନ୍ତୁ ଚିକେନ ଟିକ୍‌କା କବାବରେ ସ୍ବର୍ଗସୁଖ ପାଉଥିବା ଅଧିକାଂଶମାନଙ୍କ ଆଖିରେ ତୁମେମାନେ ଏବେ ଏବେ ‘କାଟ୍‌ଲ କ୍ଲାସ୍‌’ ବା ଗୋରୁ ଶ୍ରେଣୀୟ। ତୁମେମାନେ ତୃଣଭୋଜୀ ଆଉ ତୃଣଭୋଜୀଙ୍କ ମାଉଁସରେ ତ ଛାଡ଼ଖାଇ ଭୋଜି ହୁଏ!
କଥାର ଶ୍ଳେଷ ବୁଝିଲା ସତ୍ୟେନ୍ଦୁ କିନ୍ତୁ ଆମେ ବିସ୍ମିତ ହେଲୁ ଯେ ସେ ରାଗି ନ ଯାଇ ହୋ ହୋ ହୋଇ ହସି ଉଠିଲା ଓ କହିଲା ଏବେ କଥା ଭଳି କଥାଟିଏ କହୁଲୁ। ଆମେମାନେ ହିଁ ‘କାଟ୍‌ଲ କ୍ଲାସ୍‌’। ସୁଧା ମୂର୍ତ୍ତିଙ୍କୁ ଧନ୍ୟବାଦ। ଆମ ଭଳି ‘ମଫ’ଙ୍କ ଲାଗି ଗୋଟିଏ ନାଁ ବାହାର କରି ନାହାଁନ୍ତି ଆଉ କ’ଣ! ‘କାଟ୍‌ଲ କ୍ଲାସ୍‌’।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୯୦୯୬୭୫

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od