Sunday, February 23, 2025
Home ସମ୍ପାଦକୀୟ ସରସ ରସ: ମନ ଜାଣେ କ୍ଳେଶ

ସରସ ରସ: ମନ ଜାଣେ କ୍ଳେଶ

by
0 comment

ସୁଭାଷ ପଟ୍ଟନାୟକ

“କାଁଟୋ ମୈଁ ଗୁଜାର ଦେତା ହୈ ଗୁଲାବ୍ ଜୀନ୍ଦଗି ଅପନି/କୌନ୍ କହତା ହୈ ଫୁଲୋଁ କି ଜୀନ୍ଦଗି ମୈଁ ଗମ୍ ନହିଁ ହୋତେ..”। ସୁନ୍ଦର ଫୁଲଟିଏ। ଦେଖିଲେ ଖୁସିରେ ମନ ଭରିଉଠେ। ଏପରି କୋମଳ ଫୁଲଟିର ଜୀବନରେ ମଧ୍ୟ ବେଦନା ଅଛି। କିଏ କହେ ଫୁଲର ଦୁଃଖ ନାହିଁ? ଏଡ଼େ ସୁନ୍ଦର ଗୋଲାପ ପରା ସାରା ଜୀବନ କଣ୍ଟାର ମେଳରେ ବ୍ୟଥା ସହିସହି ବିତାଇଦିଏ! ଏମିତି କୌଣସି ହୃଦୟ ଅଛିକି ଯାହାକୁ କେବେ ବେଦନା ସ୍ପର୍ଶ କରିନାହିଁ? ପ୍ରାଣୀ ମାତ୍ରକେ ସମସ୍ତେ ଯନ୍ତ୍ରଣାର ଅନୁଭବୀ। ସେମାନଙ୍କ ମଧ୍ୟରୁ କେବଳ ମନୁଷ୍ୟ ହିଁ ଶରୀରର ପୀଡ଼ା ସହିତ ମାନସିକ ବେଦନା ମଧ୍ୟ ସହିଥାଏ। ପୀଡ଼ା ଠାରୁ ଦୂରେଇ ରହିବାର ଚେଷ୍ଟା ତା’ର ବିଫଳ ହୁଏ, କାରଣ ମନୁଷ୍ୟ ଜାଣେ, ପୀଡ଼ା ତା’ ଅସ୍ତିତ୍ବର ଏକ ମୌଳିକ ଉପାଦାନ। ଦୁଃଖ ଓ ଯନ୍ତ୍ରଣା ଏକ ସମାନ ନୁହନ୍ତି। ଦୁଃଖ କୌଣସି ଏକ କ୍ଷତିର ପ୍ରାକୃତିକ ପ୍ରତିକ୍ରିୟା। ପ୍ରିୟ ବସ୍ତୁ ହାତଛଡ଼ା ହେଲେ କିମ୍ବା ପ୍ରିୟତମ ଭାବାବେଗଟି ଆହତ ହେଲେ ମନରେ ଯେଉଁ ଉଦ୍‌ବେଳନ ସୃଷ୍ଟି ହୁଏ, ତାହା ହିଁ ଦୁଃଖ। ଦୁଃଖର ପାଖେ ପାଖେ ରହିଥାଏ ମାନସିକ ବ୍ୟଥା। ଦୁଃଖ ବିଷାଦ ହେଲେ, ବ୍ୟଥା ବିଷାଦ ଜନିତ ଜ୍ବଳନ।
ଶାରୀରିକ ପୀଡ଼ା କ୍ଷଣସ୍ଥାୟୀ, ମାତ୍ର ମାନସିକ ପୀଡ଼ାର ଉପଶମକ ନାହିଁ। ମନୁଷ୍ୟକୁ ଏହା କେତେବେଳେ ଭାଙ୍ଗିପକାଏ ତ’ ଆଉ କେତେବେଳେ ତା’ର ମନୋବଳ ସୁଦୃଢ଼ କରିଥାଏ। ଭୟ ଓ କ୍ରୋଧର ପ୍ରାକୃତିକ ସମାଧାନ ଥିଲାପରି ମାନସିକ ବ୍ୟଥାର ସମାଧାନ କିଛି ନାହିଁ। ଦୁଃଖ ଚାଲିଯାଏ, ବ୍ୟଥା ରହିଯାଏ। ମନର ଦୁଃଖ ପ୍ରକାଶ୍ୟ, ବେଦନା ଅପ୍ରକାଶ୍ୟ। ସେଥିପାଇଁ କାହାରି ଦୁଃଖ ଆମକୁ ସମଦୁଃଖୀ କଲେ ମଧ୍ୟ ତା’ର ମନର ବେଦନା ରହିଯାଏ ଅପ୍ରକାଶିତ ଓ ଅସମ୍ବେଦିତ। ଦରଦୀ ବନ୍ଧୁ ନିକଟରେ ଆପଣ ଦୁଃଖ ବାଣ୍ଟିପାରିବେ, ମନର ବେଦନା ନୁହେଁ। ଅସ୍ତିତ୍ବ ନିମନ୍ତେ ମନୋବ୍ୟଥା ଏକ ଅତ୍ୟାବଶ୍ୟକ ଭାବାବେଗ। ମନୁଷ୍ୟ ତା’ର ଜୀବନରେ କରିଚାଲିଥିବା ଭୁଲ୍‌କୁ ତା’ ମନର ପୀଡ଼ା ହିଁ ସୂଚାଇଦେଇ ତାକୁ ସତର୍କ କରିଦିଏ। ଅନେକ ଅଭିଯୋଗ କରିଥାନ୍ତି ଯେ, ଜୀବନଟା ଦୁଃଖରେ ବିତିଗଲା। କିନ୍ତୁ ଜୀବନ ପାଇଁ ଦୁଃଖ ଅର୍ଥହୀନ। ଆମର ଅଜ୍ଞତା ହେତୁ ଦୁଃଖ ଜୀବନ ମଧ୍ୟକୁ ପ୍ରବେଶାଧିକାର ପାଇଯାଏ। ଏହାର ଉତ୍ପତ୍ତି କେଉଁଠାରୁ? ଏ ପ୍ରଶ୍ନର ଉତ୍ତର ରହିଛି ‘ଶ୍ରୀମଦ୍‌ଭାଗବତ’ର ୧୧.୨୩.୪୨ ଅଧ୍ୟାୟରେ: “ନାୟଂ ଜନୋମେ ସୁଖଦୁଃଖ ହେତୁର୍ନଦେବତାତ୍ମା ଗ୍ରହ କର୍ମ କାଳାଃ/ମନଃ ପରଂ କାରଣଂମାମନନ୍ତି ସଂସାର ଚକ୍ରଂ ପରିବର୍ତ୍ତୟେଦ୍ ୟତ୍”। ସୁଖ ଓ ଦୁଃଖ ପାଇଁ କେହି ଉତ୍ତରଦାୟୀ ନଥାନ୍ତି। କୌଣସି ବ୍ୟକ୍ତି ନୁହେଁ, ସ୍ବୟଂ ଭଗବାନ ନୁହନ୍ତି, ଆତ୍ମା ନୁହେଁ, ଭାଗ୍ୟ ନୁହେଁ, ପ୍ରାରବ୍‌ଧ କର୍ମ ନୁହେଁ କିମ୍ବା ଆମର ସମୟଚକ୍ର ମଧ୍ୟ ନୁହେଁ। ସୁଖ ଓ ଦୁଃଖର ହେତୁ ହେଉଛି ଆମର ଅନିୟନ୍ତ୍ରିତ ମନ। ମନ ହିଁ ଦୁଃଖ ଓ ବେଦନାର ମୂଳ କାରଣ। ମନ ତା’ହେଲେ କ’ଣ ଓ ଥାଏ କେଉଁଠି? ଦାର୍ଶନିକ ଏଡଵାର୍ଡ ଡେ’ ବନୋ ଏ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, “ମନ ମସ୍ତିଷ୍କର ଏକ ସଂଗଠିତ ପ୍ରଣାଳୀ, ଯାହାର ପ୍ରାଥମିକ କାର୍ଯ୍ୟ ହେଉଛି ଆମର ସୁବିନ୍ୟସ୍ତ ଚେତନାକୁ ରୋକିଦେଇ ନିଜର ନିୟନ୍ତ୍ରଣକୁ ନେଇନେବା। ଫଳତଃ, ଆମେ ମନର ଅଧୀନ ହୋଇ ରହିଥାଉ। ଭାବନାରେ ଯେତେ ଦୁଃଖର ଅନୁଭବ ହେଉଥାଏ ମନ ସେତିକି ପୀଡ଼ା ଅନୁଭବକୁ ଆଣୁଥାଏ। ଏକ ଅନିୟନ୍ତ୍ରିତ ମନ ଛଡ଼ା ମନୁଷ୍ୟର ଆଉ କେହି ପରମ ଶତ୍ରୁ ନାହାନ୍ତି। ମନ ହିଁ ବନ୍ଧନ ଓ ମୁକ୍ତିର କାରକ ଓ କାରଣ। ମନ ହିଁ ଆମର ଅଧିକରୁ ଅଧିକ ଆନନ୍ଦ ଚାହେ, ନିୟନ୍ତ୍ରଣ ଓ ଅଧିକାର ଚାହେ ଏବଂ ଅନ୍ୟଠାରୁ ଉତ୍ତମ ହେବାର ଲକ୍ଷ୍ୟରଖେ। ମନର ଏହି ଅଭିଳାଷ ପୂରଣ କିମ୍ବା ବ୍ୟାହତ ହେବାକୁ ଆମେ ସୁଖ ଓ ଦୁଃଖ କହିଥାଉ।” ମାନସିକ ବେଦନାକୁ ନେଇ ଦାର୍ଶନିକ ସୋପେନହାଵର୍‌ ତାଙ୍କ ରଚିତ ପୁସ୍ତକ ‘ଦ ଵାର୍ଲଡ୍‌ ଆଜ୍ ଵିଲ୍ ଏଣ୍ଡ୍ ରିପ୍ରେଜେଣ୍ଟେସନ୍’ରେ (ପ୍ରକାଶ କାଳ: ୧୮୧୮) ଦୀର୍ଘ ଆଲୋଚନା କରି ଲେଖିଛନ୍ତି, ମନୁଷ୍ୟର ଇଚ୍ଛା ହେଉଛି ସମଗ୍ର ବ୍ରହ୍ମାଣ୍ଡର ମୌଳିକ ଆଧ୍ୟାତ୍ମିକ ସିଦ୍ଧାନ୍ତ। ଇଚ୍ଛାକୁ ସେ ପ୍ରତ୍ୟେକ ପ୍ରାଣୀ ମଧ୍ୟରେ ଏକ ଅସମାପ୍ତ ଅନ୍ତଃସଂଘର୍ଷ ରୂପରେ ବିବେଚନା କରିଛନ୍ତି, ଯାହା ଖାଦ୍ୟ, ପେୟ, ଯୌନତା ଓ ନିଦ୍ରା ଆଦି ଆବଶ୍ୟକତାକୁ ନିରନ୍ତର ପୂରଣ କରିବାର ପ୍ରବୃତ୍ତି ଜନିତ ପରିଣାମ। ଇଚ୍ଛାମାନଙ୍କର ଏହି ଅଦମ୍ୟ ପ୍ରୟାସ ହିଁ ମନର ‘ପୀଡ଼ା’।
ମାନସିକ ବ୍ୟଥାର ପାର୍ଶ୍ବ ପ୍ରତିକ୍ରିୟା ଅନେକ। ଲୁଣ ହାଣ୍ଡିକୁ ଖାଇଯିବା ପରି ମନର ପୀଡ଼ା ଶରୀରକୁ ଖାଇଯାଏ। ତା’ ସତ୍ତ୍ବେ ମନର ବେଦନା ମନୁଷ୍ୟକୁ ମାନସିକ ସ୍ତରରେ ଦୃଢ଼ କରି ରଖେ। ଯନ୍ତ୍ରଣାର ଅନୁଭବ ଓ ଯନ୍ତ୍ରଣା ଭୋଗ ଏକ ପ୍ରକାର ଅବସ୍ଥାକୁ ବୁଝାଏ ନାହିଁ। ମନର ଯାତନା ମନୁଷ୍ୟ ନିଜେ ଭୋଗ କରେ ଓ ଅନ୍ୟର ମନୋଃପୀଡ଼ାକୁ ଅନୁଭବ କରେ। ଅନ୍ୟର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ବ୍ୟକ୍ତିଟି ସଚ୍ଚା ମଣିଷରେ ଗଣ୍ୟ ହୁଏ। ଏପରି ବ୍ୟକ୍ତି ଏବେ ଆଉ କାହାନ୍ତି? ସମସ୍ତେ ଅନ୍ୟକୁ ପୀଡ଼ା ପହଞ୍ଚାଇ ସୁଖ ପାଆନ୍ତି। ବୁଝନ୍ତି ନାହିଁ ଅନ୍ୟମାନେ ଆପଣଙ୍କ କଥା ଓ କାର୍ଯ୍ୟ ଭୁଲିଯିବେ, ମାତ୍ର ମନରେ ପାଇଥିବା ପୀଡ଼ା ସେମାନଙ୍କର ସବୁଦିନ ପାଇଁ ମନରେ ରହିଯିବ। ଗାଲିବ୍ ପଚାରିଛନ୍ତି ପରା, ହୃଦୟଟା ପଥର କି ଇଟା ନୁହେଁ ଯେ ତୁମେ ଦେଇଥିବା ଯାତନାକୁ ସମ୍ଭାଳିନେବ। ପୀଡ଼ା ପାଇଲେ ହଜାର ଥର ହୃଦୟ ବିଳାପ କରିବ ଜାଣି ସୁଦ୍ଧା ତାକୁ ତୁମେ ଆଘାତ ଦେବ କାହିଁକି? “ଦିଲ୍ ହି ତୋ ହୈ ନ ସଙ୍ଗ୍-ଓ-ଖିସ୍ତ୍, ଦର୍ଦ ସେ ଭର୍ ନ ଆୟେ କ୍ୟୁଁ?/ରୋଏଁଗେ ହମ୍ ହଜାର୍ ବାର୍…, କୋଇ ହମେଁ ସତାୟେ କ୍ୟୁଁ”? (ସଙ୍ଗ୍-ପଥର, ଖିସ୍ତ୍-ଇଟା)।
ମୋ: ୯୩୩୭୬୪୮୬୩୮

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od