Monday, February 24, 2025
Home Latest ଜମି କିଣା ନେଇ ବିଜେଡି-ବିଜେପି ମୁହଁାମୁହିଁ

ଜମି କିଣା ନେଇ ବିଜେଡି-ବିଜେପି ମୁହଁାମୁହିଁ

by
0 comment

ଭୁବନେଶ୍ବ: ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଆକ୍ଷେପ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଏହାର ଜବାବ ରଖି ଗନ୍ଧମାର୍ଦ୍ଦନକୁ କୌଣସି କମ୍ପାନିକୁ ଦିଆଯିବ ନାହିଁ ବୋଲି ଜୋର୍ ଦେଇଛନ୍ତି। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ‘‘ଗନ୍ଧମାର୍ଦ୍ଦନ ପର୍ବତ ଆଧ୍ୟାତ୍ମିକ, ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସ୍ଥାନୀୟ ଲୋକଙ୍କ ଭାବପ୍ରବଣତା ସହ ଯୋଡ଼ି ହୋଇ ରହିଛି। ଅଶୀ ଦଶକରେ ସେଠାରେ ବକ୍ସାଇଟ୍ ଖନନ ପାଇଁ ବାଲ୍‌କୋକୁ ଅନୁମତି ଦିଆଯାଇଥିଲା। ଏହା ବିରୋଧରେ ଜନମତ ପ୍ରବଳ ହୋଇଥିଲା। ୧୯୯୦ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ଜନମତକୁ ସମ୍ମାନ ଜଣାଇ ଚୁକ୍ତି ବାତିଲ କରିଥିଲେ। ଏବେ ଯେଉଁ କମ୍ପାନି ସାରା ବିଶ୍ବରେ ଭାରତକୁ ନିନ୍ଦିତ କରିଛି, ସେହି କମ୍ପାନି ଶହ ଶହ ଏକର ଜମି ସେଠାରେ କିଣୁଛି। ଏହାକୁ ନେଇ ଗାଁ ଗାଁରେ ଜନ ଆନ୍ଦୋଳନ ତେଜିଲାଣି। ବନ ବିଭାଗ କହୁଛି, ପରିପୂରକ ବନୀକରଣ ପାଇଁ ଆଦାନୀ ଜମି କିଣିଛି। ସେଠାରେ ତ ଜଙ୍ଗଲ ଅଛି। 

ଗାଁ ଗାଁରେ ଜନ ଆନ୍ଦୋଳନ ତେଜିଲାଣି: ବିଜେଡି
ପୂର୍ବ ସରକାର ଦେଇଥିଲେ ବନୀକରଣ ଅନୁମତି: ଉପମୁଖ୍ୟମନ୍ତ୍ରୀ
ଗନ୍ଧମାର୍ଦ୍ଦନକୁ କୌଣସି କଂପାନିକୁ ଦିଆଯିବ ନାହିଁ: ସରକାର

ପୁଣି ସେଠାରେ ଜଙ୍ଗଲ ସୃଷ୍ଟି କରିବା ମାନେ ସମୁଦ୍ର ଭିତରେ ଜଳାଶୟ ସୃଷ୍ଟି କରିବା ସହ ସମାନ। ୧୦ ଏକରରୁ ଅଧିକ ଜମି କିଣିଲେ ସରକାରଙ୍କ ଅନୁମତି ଦରକାର। ସେହି କମ୍ପାନିକୁ ସରକାର ଅନୁମତି ଦେଇଛନ୍ତି କି? ଗନ୍ଧମାର୍ଦ୍ଦନରେ ବକ୍ସାଇଟ୍ ଖନନ ପାଇଁ ଅନୁମତି ଦେବାକୁ ସରକାର ବିଚାର କରୁଛନ୍ତି କି? ଯେଉଁଠି ଜଙ୍ଗଲ ଅଛି, ସେଠାରେ କମ୍ପାନି କି ଜଙ୍ଗଲ ସୃଷ୍ଟି କରିବ?’’ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତତ୍‌କାଳ ଏହାର ଜବାବ ରଖିଥିଲେ। ସେ କହିଥିଲେ, ‘‘ଖପ୍ରାଖୋଲରେ ପରିପୂରକ ବନୀକରଣ ପାଇଁ ଆଦାନୀ ଜମି କିଣିଛି। ଏହି ବନୀକରଣ ପାଇଁ ପୂର୍ବ ସରକାର ଅନୁମତି ଦେଇଥିଲେ। କୌଣସି କମ୍ପାନିକୁ ଗନ୍ଧମାର୍ଦ୍ଦନ ଖନନ ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ସେମିତି କେବେ ହୁଏ, ତେବେ ଆପଣମାନଙ୍କ ସହ ମୁଁ ବି ଆନ୍ଦୋଳନକୁ ଓହ୍ଲାଇବି। ସୁନ୍ଦରଗଡ଼ରେ ଖଣି ଖନନ ପାଇଁ ପରିପୂରକ ବନୀକରଣ ନିମନ୍ତେ ବଲାଙ୍ଗୀର ଜିଲ୍ଲାକୁ କାହିଁକି ଆଦାନୀକୁ ପଠାଗଲା, ତାହା ସେହି ସମୟର ଜିଲ୍ଲାପାଳ କହିପାରିବେ। ଗନ୍ଧମାର୍ଦ୍ଦନକୁ ନେଇ ରହିଥିବା ଲୋକଙ୍କ ଆସ୍ଥା, ବିଶ୍ବାସ, ସଂସ୍କୃତି ସହ ଖେଳିବା ପାଇଁ କାହାକୁ ସୁଯୋଗ ଦିଆଯିବ ନାହିଁ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ କହିଥିଲେ, ‘‘ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ୧୯୮୩ ମସିହାରେ କଂଗ୍ରେସ ସରକାର ସମୟରେ ବାଲ୍‌କୋକୁ ଗଦ୍ଧମାର୍ଦ୍ଦନରେ ଖଣି ଖନନ ପାଇଁ ଅନୁମତି ଦିଆଯାଇଥିଲା। ଏପରିକି ପାଇକମାଳରେ ଟାଉନସିପ୍ ପାଇଁ ୫୨ କୋଟି ଟଙ୍କା ମଞ୍ଜୁର ବି ହୋଇଥିଲା। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ବି ‘ବାଲ୍‌କୋ’ ସହ ଆଉ ଏକ ଚୁକ୍ତି ହୋଇଥିଲା। ୨୦୦୪ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ବି ଏ ନେଇ ଉଦ୍ୟମ ହୋଇଥିଲା। ଏବେ ଗନ୍ଧମାର୍ଦ୍ଦନ କାହାରିକୁ ଦେବାର ପ୍ରଶ୍ନ ଉଠୁନି। ନିଆଁ ନ ଥାଇ ଧୂଆଁ ବାହାରୁଛି। ଆଦାନୀ ସହ ହୋଇଥିବା ସେଲ୍ ଡିଡ୍‌ରେ ଏହା ବନୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ଲେଖା ଅଛି।’’ ବିଜେପି ସଭ୍ୟ ଟଙ୍କଧର ତ୍ରିପାଠୀ ମଧ୍ୟ ଏହି ପ୍ରସଙ୍ଗରେ ମତ ରଖିଥିଲେ। 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od